ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ମା’ ଶାରଳାଙ୍କୁ ନିମନ୍ତ୍ରଣ

By ETV Bharat Odisha Team

Published : Jan 18, 2024, 7:52 PM IST

thumbnail

Samlei Project invitation: ଜଗତସିଂହପୁର: ସମଲେଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନିମିତ୍ତ ରାଜ୍ୟର ବିଭିନ୍ନ ଦୈବୀପୀଠରେ ଦିଆଯାଉଛି ନିମନ୍ତ୍ରଣ ପତ୍ର । ଏହି କ୍ରମରେ ଜଗତସିଂହପୁରର ଝଙ୍କଡ଼ ଠାରେ ପହଞ୍ଚିଛନ୍ତି ଶ୍ରୀ ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ । ମା’ ଶାରଳାଙ୍କୁ ଦେଇଛନ୍ତି ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର । ଏହି ନିମନ୍ତ୍ରଣ ପର୍ବ ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ ଫକୀର ମୋହନ ମାଝୀ, ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ସନ୍ତୋଷ ପୃଷେଠ, ମା’ ସମଲେଶ୍ବରୀ ମନ୍ଦିରର ସେବାୟତ ସଙ୍କୀର୍ତ୍ତନ ରାୟ ଆଜି ପୂର୍ବାହ୍ନରେ ନଡ଼ିଆ, ଅରୁଆ ଚାଉଳ ,ଗୁଆ ଏବଂ ମା'ଙ୍କ ପ୍ରସାଦ ସହ ନିମନ୍ତ୍ରଣ ପତ୍ର ନେଇ ମା’ ଶାରଳାଙ୍କ ମନ୍ଦିରରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ ... ସମଲେଇ ପ୍ରକଳ୍ପର ଭବ୍ୟ ଲୋକାର୍ପଣ, ମା' ତାରିଣୀଙ୍କୁ ନିମନ୍ତ୍ରଣ

ସେଠାରେ ମା’ ଶାରଳାଙ୍କ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବଡ ପଣ୍ଡା ରଞ୍ଜନ କୁମାର ପଣ୍ଡା, ପରିଛା ସୁଦାମ ଚରଣ ପଣ୍ଡା, ସେବାୟତ ମାନେ ଘଣ୍ଟ ହୁଳହୁଳି ସହ ସେମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନାରେ ମା’ଙ୍କ ନିକଟକୁ ପାଛୋଟି ନେଇଥିଲେ । ଆସିଥିବା ଅତିଥି ମାନେ ଆଣିଥିବା ଗୁଆ, ନଡ଼ିଆ ଓ ନିମନ୍ତ୍ରଣ ପତ୍ର ଦେଇ ମା’ ଶାରଳାଙ୍କୁ ଆସନ୍ତା ଜାନୁଆରୀ 27 ତାରିଖରେ ହେବାକୁ ଥିବା ଲୋକାର୍ପଣ ଉତ୍ସବ ନିମନ୍ତେ ନିମନ୍ତ୍ରଣ କରିଥିଲେ ଏବଂ ଶେଷରେ ପ୍ରସାଦ ସେବନ କରି ମା’ଙ୍କ ଆଶୀର୍ବାଦ ନେଇ ଫେରିଥିଲେ । ଏହି ଭବ୍ୟ ନିମନ୍ତ୍ରଣ ପର୍ବ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚି ତନୟା ମହାନ୍ତି ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ। 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.