ମଧ୍ୟାହ୍ନ ଭୋଜନରେ ପୋକ ଚାଉଳ, ଅଭିଭାବକଙ୍କ ହଙ୍ଗାମା

By ETV Bharat Odisha Team

Published : Nov 4, 2023, 9:02 PM IST

thumbnail

ଭଦ୍ରକ: ସ୍କୁଲରେ କୁନି କୁନି ପିଲାମାନଙ୍କୁ ଦିଆଯାଉଛି ଅତ୍ୟନ୍ତ ନିମ୍ନମାନର ଚାଉଳରେ ମଧ୍ୟାହ୍ନ ଭୋଜନ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଡିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେବେ ନିମ୍ନମାନର ଚାଉଳକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି । 

ସୂଚନା ଅନୁଯାୟୀ, ଧାମନଗର ବ୍ଲକ କୋଠରା ପଞ୍ଚାୟତ ଅନ୍ତର୍ଗତ ଡିଲୋ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ କିଛି ଦିନ ହେବ ମଧ୍ୟାହ୍ନ ଭୋଜନ ଅତ୍ୟନ୍ତ ଅରୁଚିକର ହେବାରୁ ପିଲାମାନେ ଖାଇବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଅବିଭାବକ ମାନେ ଜାଣିବାକୁ ପାଇଥିଲେ ।ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଚାଉଳର ମାନ ଯାଞ୍ଚ କରିଥିଲେ କିଛି ଅବିଭାବକ । ଏହି ସମୟରେ ଚାଉଳ ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ସେଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ । 

ଏହାମଧ୍ୟ ପଢନ୍ତୁ..ମଧ୍ୟାହ୍ନ ଭୋଜନ ଚାଉଳ ଚୋରି, ଯୋଗାଣରେ ଅନିୟମିତତା

ଏଥିସହ ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସମାଗ୍ରୀ ମଧ୍ଯ ଅତ୍ଯନ୍ତ ଦୂଷିତ ପରିବେଶ ମଧ୍ୟରେ ଗଚ୍ଛିତ ଥିବା ଦେଖିବାକୁ ପାଇଥିଲେ ଅଭିଭାବକମାନେ । ତେବେ ଏହି ଚାଉଳରେ ଖାଦ୍ୟ ରନ୍ଧା ହେଉଥିବାରୁ ପିଲାମାନେ ଖାଉନଥିବା ଅଭିଯୋଗ କରିବା ସହ ପ୍ରବଳ ହଙ୍ଗାମା କରିଥିଲେ ଅଭିଭାବକ । ତେବେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରସ୍ତୁତି ଦାୟିତ୍ବରେ ମାଁ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଭାବକ । 

ଅନ୍ୟପଟେ ସ୍କୁଲର ପ୍ରଧାନ ଶିକ୍ଷକ ସଫେଇ ଦେଇ କହିଛନ୍ତି,"ପୂର୍ବରୁ ଭଲ ଚାଉଳ ଆସୁଥିବା ବେଳେ ଏବେ ଏପରି ଚାଉଳ ଆସିଛି। ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇବୁ ଏବଂ ଏହାର ତୁରନ୍ତ ସମାଧାନ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବୁ।"  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.