ଚାଷୀ ବିକ୍ଷୋଭ, ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

By ETV Bharat Odisha Team

Published : Jan 17, 2024, 10:49 PM IST

thumbnail

Farmers Protest : ନୂଆପଡା : ଜିଲ୍ଲାରେ ଚାଷୀ ବିକ୍ଷୋଭ । ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରିଲେ ଉତ୍ତକ୍ତ ଚାଷୀ ।  7 ଦିନ ମଧ୍ୟରେ ବିଜୁଳି ସଂଯୋଗ କରିବେ ବୋଲି ଲିଖିତ ପ୍ରତିଶୃତି ଦେଲେ ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ।    

ଏହା ମଧ୍ୟ ପଢ଼ନ୍ତୁ... ପଞ୍ଚ ପାଇକ ସ୍ମାରକୀ ନିକଟରୁ ଶ୍ମଶାନ ସ୍ଥାନାନ୍ତର ଦାବି କଲା ଖୋର୍ଦ୍ଧା ବିକାଶ ମଞ୍ଚ

ଚାଷୀ ମୂଲିଆ ନେତା ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ନୂଆପଡା ଜିଲ୍ଲାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଗ୍ରାମର ଶତାଧିକ ଉତ୍ତକ୍ତ ଚାଷୀ ନୂଆପଡା ଜିଲ୍ଲା ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ବସି ବିକ୍ଷୋଭ କରିଥିଲେ ଚାଷୀ ।

 ତେବେ ’ଚାଷ ଜମିରେ ପାଣିଦିଅ ନଚେତ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯିବାପାଇଁ ଅନୁମତି ଦିଅ’ ସ୍ଲୋଗାନ ଦେଇଛନ୍ତି ଚାଷୀ ସମୂହ । ନୂଆପଡା ଜିଲ୍ଲା ସଦର ବ୍ଲକ ବୋରଭାଟି, କୋଦୋମେରି,ସିଆଲଲଟି, ଦରଲିମୁଣ୍ଡା, ବିଶୋରା,ଗୋଡଫୁଲା, ମାଗୁରପାଣି, ଚୁହୁରୀ, ଝିପାବାହାଲ, ଅଇଁଲାଯୁବା, ଚିଙ୍ଗରାସରା, ଲୁକୁପାଲି ଗ୍ରାମର ଶତାଧିକ ଚାଷୀ ଦୀର୍ଘ ବର୍ଷରୁ ସରକାରଙ୍କ ଯୋଜନା ମୁତାବକ ଚାଷ ଜମିରେ ଡିପବୋରେୱଲ ଖନନ କରିଛନ୍ତି । ବୋରୱେଲ ଖନନ କରି ଦୀର୍ଘ ବର୍ଷ ବିତି ଯାଇଥିଲେ ଶୁଦ୍ଧା ଉଠା ଜଳସେଚନ ବିଭାଗ , ବିଜୁଳି ବିଭାଗର ଅବହେଳା ଯୋଗୁଁ ଚାଷୀଙ୍କ ଚାଷ ଜମିରେ ବିଜୁଳି ସଂଯୋଗ ହୋଇପାରି ନାହିଁ । ଅର୍ଣ୍ଣଦାତା ଚାଷୀଙ୍କ ଚାଷ ଜମିରେ ପୋଲ ପୋତା ଯାଇଛି, ବିଜୁଳି ତାର ଟଙ୍ଗା ଯାଇଛି, ଟ୍ରାସଫର୍ମର ମଧ୍ୟ ଲାଗିଛି, ହେଲେ ସରକାରୀ ବାବୁଙ୍କ ଅବହେଳା କାରଣରୁ ବିଜୁଳି କରେଣ୍ଟ ସଂଯୋଗ ହୋଇପାରିନାହିଁ । ଫଳରେ ଚାଷୀ ଚାଷ କାମରେ ବିଭିନ୍ନ ଅସୁବିଧା ଭୋଗ କରୁଛି । ପ୍ରତିଦିନ ଚାଷୀ ଉଠା ଜଳସେଚନ ବିଭାଗ, ବିଜୁଳି ବିଭାଗ ଦୌଡି ଦୌଡି ନୟାନ୍ତ ହେଲେଣି । 

ଫଳରେ ସରକାରୀ ବାବୁଙ୍କ ପ୍ରତି ଚାଷୀଙ୍କ ବିଶ୍ୱାସ ତୁଟିଯାଇଛି । ଆଜି ବାଧ୍ୟ ହୋଇ ଚାଷୀ ମୂଲିଆ ନେତା ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ସମୂହ ଚାଷୀ ଉଠା ଜଳସେଚନ କାର୍ଯ୍ୟାଳୟ ଘେରାଉ କରି ଚାଷ ଜମିରେ ବିଜୁଳି ସଂଯୋଗ ପାଇଁ ଦାବି କରିଛନ୍ତି । ନଚେତ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଶେଷରେ ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ 7 ଦିନ ମଧ୍ୟରେ ବିଜୁଳି ସଂଯୋଗ କରିବେ ବୋଲି ଲିଖିତ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।

ଇଟିଭି ଭାରତ, ନୂଆପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.