ଢେଙ୍କାନାଳରେ ସାନ୍ତାଳୀ ଭାଷା ବିଜୟୀ ଦିବସ ପାଳିତ

By ETV Bharat Odisha Team

Published : Dec 23, 2023, 9:22 AM IST

thumbnail

Santali Language Day:ଢେଙ୍କାନାଳ: ସାନ୍ତାଳୀ ଭାଷା ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବା ପାଇଁ ସମ୍ବିଧାନର ୯୨ତମ ସଂଶୋଧନ ବିଲ୍ ୨୦୦୩ ଡିସେମ୍ବର ୨୨ ତାରିଖରେ ଲୋକସଭାରେ ପ୍ରଥମେ ଗୃହୀତ ହୋଇଥିଲା । ଏହାକୁ ସ୍ମରଣୀୟ କରିବା ପାଇଁ ଭାରତବର୍ଷର ସାନ୍ତାଳ ସମାଜ ଡିସେମ୍ବର ୨୨ ତାରିଖକୁ ପ୍ରତିବର୍ଷ ସାନ୍ତାଳୀ ଭାଷା ଦିବସ ବା ଭାଷା ବିଜୟୀ ଦିବସ ରୂପେ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମଠାରେ ସାନ୍ତାଳୀ ସମ୍ପ୍ରଦାୟର ଲୋକମାନେ ଭାଷା ବିଜୟୀ ଦିବସ ପାଳନ କରିଛନ୍ତି । ପାରମ୍ପରିକ ବେଶ ସହ ବାଦ୍ୟଯନ୍ତ୍ରରେ ଝୁମିଛନ୍ତି ସାନ୍ତାଳୀ ସମ୍ପ୍ରଦାୟ । ବାବା ତିଲକ ମାଝି ଆଦାସୀ ସଂଗଠନ, ଭାରତ ଜାକତ ମାଝି ପାରଗାନ ମହଲ, ଆଦିବାସୀ ଚେତନା ସଂଗଠନ ଓ ଆଦିବାସୀ ମୁକ୍ତ ସଂଗଠନ କାମାକ୍ଷାନଗର ଆନୁକୂଲ୍ୟରେ ଭାଷା ବିଜୟ ଦିବସ ପାଳିତ ହୋଇଯାଇଛି । ଶହ ଶହ ବିଭିନ୍ନ ସଂଗଠନର ସାନ୍ତାଳୀ ପୁରୁଷ ଓ ମହିଳାମାନେ ଜିରିଡାମାଳି ଛକଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରିଥିଲେ । ହାତରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟାର ଦାବି ଲିଖିତ ପ୍ଲାକାର୍ଡ ଧରି ନାରାବାଜି ସହ ସହର ପରିକ୍ରମା କରିଥିଲେ । ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ଦେଇଥିଲେ । ପୁଣି ସେଠାରୁ ବାହାରି ସାରଙ୍ଗଧର ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ତେବେ ଏହି ଅବସରରେ ଷ୍ଟାଡିୟମ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ACP ଅଞ୍ଜନା ଟୁଡୁ ଏବଂ MSCB ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଡ ପ୍ରଫେସର ଜତିନ୍ଦ୍ରନାଥ ବେହେରା ଯୋଗ ଦେଇଥିଲେ । ସାନ୍ତାଳୀମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ସମସ୍ୟା ସମାଧାନ ଉପରେ ଆଲୋକପାତ କରିଥିଲେ  ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.