ETV Bharat / sukhibhava

ଦୁନିଆରେ ପ୍ରଥମ ! HIV ସଂକ୍ରମିତ ସ୍ବାମୀଙ୍କୁ କିଡନୀ ଦାନ କଲେ ସମାନ ରୋଗରେ ପୀଡିତା ପତ୍ନୀ

author img

By

Published : Feb 10, 2023, 6:04 PM IST

ଜଣେ HIV ଏଡ୍‌ସ ସଂକ୍ରମିତ ସ୍ବାମୀଙ୍କୁ କିଡନୀ ଦାନ କରି ସମଗ୍ର ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ଜଣେ ମହିଳା । ଭାଲେଣ୍ଟାଇନ୍ ସପ୍ତାହରେ ଗୋଲାପ, ଚକୋଲେଟ୍, ଟେଡି ଗିଫ୍ଟ୍ କରା ଯାଉଥିବା ସମୟରେ କିଡନୀ ଦାନ କରି ନିଆରା ପ୍ରେମବ୍ୟକ୍ତ କରିଛନ୍ତି ! ଅଧିକ ପଢନ୍ତୁ

hiv-infected-wife-donated-kidney-to-hiv-infected-husband
hiv-infected-wife-donated-kidney-to-hiv-infected-husband

ମୁମ୍ବାଇ: ଚାଲିଛି ଭାଲେଣ୍ଟାଇନ୍ ସପ୍ତାହ, ସବୁଠି ଏବେ ପ୍ରେମର ମାହୋଲ୍... ନିଜ ନିଜ ପାର୍ଟନରଙ୍କୁ କିଏ ଗୋଲାପ, ଚକୋଲେଟ୍ ଦେଉଛି ତ ଆଉ କିଏ ଟେଡି ଦେଇ କରୁଛି ପ୍ରେମ ବ୍ୟକ୍ତ । ଏହାରି ମଧ୍ୟରେ ଜଣେ ପତ୍ନୀ ତାଙ୍କ ସ୍ବାମୀଙ୍କୁ କିଡନୀ ଦାନ କରି ନିଆରା ପ୍ରେମ ବ୍ୟକ୍ତ କରିଛନ୍ତି ! ଡାକ୍ତରଖାନା ବେଡ୍‌ରେ ଉଜ୍ଜିବିତ କରିଛନ୍ତି ତାଙ୍କ ପ୍ରେମକୁ । ଆଉ ଜଣେ HIV ଏଡ୍‌ସ ସଂକ୍ରମିତ ସ୍ବାମୀଙ୍କୁ କିଡନୀ ଦାନ କରି ସମଗ୍ର ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ର ନାଗପୁରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ଶରୀରରେ ସଫଳ କିଡନୀ ପ୍ରତ୍ୟାରୋପଣ ହେବା ପରେ ଏହାକୁ ବିଶ୍ବର ପ୍ରଥମ ଘଟଣା ବୋଲି କୁହାଯାଉଛି । କିଡନୀ ଦାନ ଏବଂ ପ୍ରତ୍ୟାବର୍ତ୍ତନ କଥା ଶୁଣିଥିବେ, ହେଲେ ଏହି ଘଟଣା ପ୍ରଥମ ହେବାର ମୁଖ୍ୟ କାରଣ ହେଉଛି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଏଚଆଇଭିରେ ପୀଡିତ । ଏହା ସାଙ୍ଗକୁ ଉଭୟଙ୍କ ରକ୍ତ ନମୂନା ମଧ୍ୟ ଭିନ୍ନ, ଏସବୁ ସତ୍ତ୍ବେ ସଫଳ କିଡନୀ ପ୍ରତ୍ୟାରୋପଣ ହୋଇଛି । ଏହି ଅସ୍ତ୍ରୋପଚାର ନାଗପୁରର ମେଡିକୋଭର ହସ୍ପିଟାଲରେ କରାଯାଇଛି । ଏହି ହସ୍ପିଟାଲର କନସଲଟାଣ୍ଟ ଇଣ୍ଟରଭେନସନାଲ ନେଫ୍ରୋଲୋଜିଷ୍ଟ ଏହାକୁ ବିଶ୍ୱରେ ପ୍ରଥମ ଘଟଣା ବୋଲି ଦାବି କରିଛନ୍ତି ।

ଖବର ଅନୁସାରେ, ସମ୍ପୃକ୍ତ ଯୁବକ 2008ରେ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଥିଲେ । 2019ରେ, ଉଚ୍ଚ ରକ୍ତଚାପ କାରଣରୁ ତାଙ୍କର କିଡନୀ ଫେଲ୍ ହୋଇଯାଇଥିଲା । ସେ 2020ରେ ମେଡିକୋଭର ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ଗତ 3 ବର୍ଷ ଧରି ତାଙ୍କର ହୋମ୍ ଡାଏଲିସିସ୍‌ ଚିକିତ୍ସା କରାଯାଉଥିଲା । ଧୀରେଧୀରେ ସେ ଦୁର୍ବଳ ହେବା ସହ ଡାକ୍ତର କିଡନୀ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଥିଲେ । ଏହାରି ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ 45 ବର୍ଷୀୟା ପତ୍ନୀ ମଧ୍ୟ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ସେ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ବ୍ଲଡ୍ ଗ୍ରୁପ୍ 'ଏ' ପଜିଟିଭ୍ ଥିବାବେଳେ ରୋଗୀଙ୍କର ବ୍ଲଡ୍ ଗ୍ରୁପ୍ 'ବି' ପଜିଟିଭ୍ ଥିଲା । ଏସବୁ ସତ୍ତ୍ବେ ସେପ୍ଟେମ୍ବର 2022ରେ ଏଚ୍.ଆଇ.ଭି ପଜିଟିଭ୍ ରୋଗୀଙ୍କ କିଡନୀ ପ୍ରତିରୋପଣ ପାଇଁ ନିର୍ଦ୍ଦେଶାବଳୀ ଅନୁସରଣ କରି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିଥିଲେ ଡାକ୍ତର । ଉଭୟ ଦାତା ଏବଂ ରୋଗୀର ଯୋଗ୍ୟତା ନିଶ୍ଚିତ କରିବା ପରେ ଆବଶ୍ୟକ ଆଇନଗତ ଔପଚାରିକତା ସମାପ୍ତ ହୋଇଥିଲା ।

ଶେଷରେ ଜାନୁଆରୀ 18, 2023ରେ ଏହି ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଥିଲା । ଜାନୁଆରୀ 24ରେ ଡୋନର୍ ବା ଦାତା ଡିସ୍‌ଚାର୍ଜ ହୋଇ ଥିବାବେଳେ ଜାନୁଆରୀ 31ରେ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି । ଏହି ପ୍ରତ୍ୟାରୋପଣକୁ ଚିକିତ୍ସା କ୍ଷେତ୍ରରେ ବିଶ୍ବର ପ୍ରଥମ ଘଟଣା କୁହାଯାଉଥିବା ବେଳେ ସମ୍ପୃକ୍ତ ମହିଳାଙ୍କୁ କଳିଯୁଗର ସାବିତ୍ରୀ ଭାବେ ଦର୍ଶାଯାଉଛି । ବାସ୍ତବରେ ପ୍ରେମ ଯେ ତ୍ୟାଗର ଅନ୍ୟନାମ ତାହା ଏହି ଘଟଣାରୁ ପ୍ରମାଣିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.