ETV Bharat / state

ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ: ୨ ଶ୍ରମିକ ମୃତ, ଜଣେ ଗୁରୁତର

author img

By ETV Bharat Odisha Team

Published : Nov 16, 2023, 1:08 PM IST

Updated : Nov 16, 2023, 3:05 PM IST

ରାଉରକେଲା ସ୍ଥିତ ଶୁଭ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଅଧିକ ପଢନ୍ତୁ

ରାଉରକେଲାରେ ଇସ୍ପାତ କାରଖାନାରେ ବିସ୍ଫୋରଣ
ରାଉରକେଲାରେ ଇସ୍ପାତ କାରଖାନାରେ ବିସ୍ଫୋରଣ

ରାଉରକେଲାରେ ଇସ୍ପାତ କାରଖାନାରେ ବିସ୍ଫୋରଣ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ବଡ଼ ଅଘଟଣ । ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟି ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଆଜି (ଗୁରୁବାର) ଭୋର୍ ୩ଟା ବେଳେ ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳ ଠାରେ ଥିବା ଶୁଭ ଷ୍ଟିଲ ମେଲଟିଂ ପ୍ଲାଣ୍ଟରେ ଏହି ବିସ୍ଫୋରଣ ହୋଇଛି । ପ୍ଲାଣ୍ଟରେ ଫର୍ଣ୍ଣେସ ବ୍ଲାଷ୍ଟ ହେବାରୁ ଶ୍ରମିକମାନଙ୍କ ମୃତ୍ୟୁ ହୋଇଛି ଏବଂ ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ଶ୍ରମିକମାନେ ହେଲେ ଯାଜପୁରର ଚିନ୍ମୟ ବେହେରା ଏବଂ ବିହାରର ଅଭିଷକ କୁମାର । ଆହତ ଜଣକ ପରମେଶ୍ବର କିଷାନ ବୋଲି ପରିଚୟ ମିଳିଛି ।

ଏହା ମଧ୍ୟ ପଢନ୍ତୁ : ଦିଲ୍ଲୀରୁ ବିହାର ଯାଉଥିବା ଟ୍ରେନରେ ଲାଗିଲା ନିଆଁ; ୧୯ ଯାତ୍ରୀ ଆହତ

ସୂଚନା ଅନୁଯାୟୀ, ମୃତାହତମାନେ ଷ୍ଟିଲ ପ୍ଲାଣ୍ଟରେ ରାତି ସିଫ୍ଟ କରୁଥିଲେ । ଆଜି ଭୋର୍ ୩ଟା ବେଳେ ଫର୍ଣ୍ଣେସ ଚାର୍ଜିଂ ହେଉଥିବା ବେଳେ ହଠାତ୍ ଏହା ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ କାର୍ଯ୍ୟରତ ୨ ଜଣ ଶ୍ରମିକ ଚିନ୍ମୟ ଓ ଅଭିଷେକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ତେବେ ଫର୍ଣ୍ଣେସରେ ଅଧିକ କିମ୍ବା ଭୁଲ୍ ଚାର୍ଜିଂ ହୋଇଥିବା ଯୋଗୁଁ ଏହା ଫାଟି ଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଶ୍ରମିକଙ୍କ ମୃତ୍ୟୁ ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ପ୍ରକାର ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଗ୍ୟାସ ବିସ୍ଫୋରଣରେ ଉଡ଼ିଗଲା ଘର: ଚାଲିଗଲା ଜଣଙ୍କ ଜୀବନ, ୨ ଗୁରୁତର

ପ୍ରକୃତରେ କେମିତି ବିସ୍ଫୋରଣ ଘଟଣା ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ଫର୍ଣ୍ଣେସ୍ ଚାର୍ଜିଂ ପ୍ରକ୍ରିୟାରେ କୌଣସି ସୁରକ୍ଷା ପ୍ରୋଟକଲ୍ ଭଙ୍ଗ ହୋଇଛି କି ନାହିଁ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି । ତେବେ ଏହି ଅଘଟଣରେ ଶ୍ରମିକଙ୍କ ମୃତ୍ୟୁ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଆଜିର ଅଘଟଣ ପରେ ଶିଳ୍ପାଞ୍ଚଳରେ କାମ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ନେଇ ଉଦବେଗ୍ ପ୍ରକାଶ ପାଇଛି । ଭବିଷ୍ୟତରେ ଏହିଭଳି ଅଘଟଣକୁ ରୋକିବାରୁ ସୁରକ୍ଷା ପଦକ୍ଷେପ ଗୁଡ଼ିକର ପୁନଃ ଯାଞ୍ଚ କରିବା ନେଇ ଦାବି ହୋଇଛି ।

ଇଟିଭି ଭାରତ, ରାଉରକେଲା

Last Updated :Nov 16, 2023, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.