ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡି, ସାଇକେଲରେ ବୁହାହେଲା ମୃତଦେହ

author img

By

Published : Jun 17, 2023, 12:16 PM IST

Updated : Jun 17, 2023, 12:31 PM IST

ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡି । ସାଇକେଲରେ ବୁହାହେଲା ମୃତଦେହ । ଅଧିକ ପଢନ୍ତୁ

ସାଇକେଲରେ ବୁହାହେଲା ମୃତଦେହ
ସାଇକେଲରେ ବୁହାହେଲା ମୃତଦେହ

ସାଇକେଲରେ ବୁହାହେଲା ମୃତଦେହ

ସୁବର୍ଣ୍ଣପୁର: ମୃତଦେହ ନେବାକୁ ମିଳିଲାନି ମହାପ୍ରୟାଣ ଗାଡି । ବୃଦ୍ଧାଙ୍କ ମରଶରୀରକୁ ସାଇକେଲରେ ବୋହିନେଲେ ସମ୍ପର୍କୀୟ । ସମସ୍ତଙ୍କୁ ବିଚଳିତ କରିବା ଭଳି ଏହି ଦୃଶ୍ୟ ସାମ୍ନାକୁ ଆସିଛି ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲା ସୁବର୍ଣ୍ଣପୁରରୁ । ମହାପ୍ରୟାଣ ଗାଡି ନମିଳିବାରୁ ବିନିକା ପ୍ରାଥମିକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ ସାଇକେଲରେ ମୃତଦେହ ନିଆଯାଇଥିବା ଦେଖିବାକୁ ମିଳିଛି । ହସ୍ପିଟାଲରୁ ମୃତଦେହ ମାଗଣାରେ ନେବାକୁ ସରକାର ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖାଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ମୃତକ ହେଲେ ମେଘଲା ଗାଁର ରୁକ୍ମିଣୀ ସାହୁ । ଗତକାଲି ପ୍ରବଳ ଖରାରେ ବୁଲାବୁଲି କରିବା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଅଂଶୁଘାତ ହୋଇଥିବା ଆଶଙ୍କା କରି ଦୂର ସମ୍ପର୍କୀୟ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଶରୀରରେ ଜଳୀୟ ଅଂଶ ଅତ୍ୟଧିକ କମିଯିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିଲା । କେହି ପରିବାର ଲୋକ ନଥିବାରୁ ମୃତ୍ୟୁ ପରେ ତାଙ୍କର ମରଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡି ରହିଥିଲା । ଚିକିତ୍ସା କରିବାକୁ ଆଣିଥିବା ବ୍ୟକ୍ତି ବି ଅନୁପସ୍ଥିତ ଥିଲେ । ଏ ସମ୍ପର୍କରେ ଖବର ପାଇ ଗାଁର ଶାନ୍ତୁନୁ ଗୁରୁ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତଦେହ ଆଣିବା ବ୍ୟବସ୍ଥା କରିଥିଲେ ।

ଅଭିଯୋଗ ଅନୁସାରେ, ମହାପ୍ରୟାଣ ଗାଡି ବ୍ୟବସ୍ଥା କରିବା ପାଇଁ ସ୍ବେଚ୍ଛାସେବୀ ଓ ବୃଦ୍ଧାଙ୍କ ଦୂର ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତର ସନ୍ତୋଷ ବିଭାରଙ୍କୁ ଅନୁରୋଧ କରିଥିଲେ । ହେଲେ ଡାକ୍ତର ଅପେକ୍ଷା କରିବାକୁ କହି ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନଥିଲେ । କୌଣସି ଉପାୟ ନପାଇ ବାଧ୍ୟହୋଇ ସ୍ବେଚ୍ଛାସେବୀମାନେ ସାଇକେଲଟିଏ ଯୋଗାଡ କରିଥିଲେ ଏବଂ ସେଥିରେ ମରଶରୀରକୁ ବୋହି ନେଇଥିଲେ । ଏହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖାଯାଇଛି, ସ୍ବେଚ୍ଛାସେବୀମାନେ ୱାର୍ଡ ଭିତରକୁ ସାଇକେଲ ନେଇଥିଲେ । ଧଳା କପଡାରେ ମୃତଦେହକୁ ଗୁଡାଇ ସାଇକେଲ କେରିୟରେ ଲଦିଥିଲେ । ଏହାପରେ ସ୍ବାସ୍ଥ୍ୟକେନ୍ଦ୍ର ଭିତରୁ ବାହାରକୁ ଯାଇଥିଲେ । ଏଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମହାପ୍ରୟାଣ ଗାଡି ନମିଳିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ସାଧାରଣରେ କୁହାଯାଇଛି ।

ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ପ୍ରତିକ୍ରିୟା ଦେଉନାହାନ୍ତି । ଅପରପକ୍ଷେ, କାର୍ଯ୍ୟରତ ଡାକ୍ତର ସନ୍ତୋଷ ବିଭାର ଅନ୍ୟ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ସମୟରେ କିଛି ବ୍ୟକ୍ତି ତାଙ୍କ ଅଗୋଚରରେ ସାଇକେଲରେ ମୃତଦେହକୁ ବୋହି ନେଇଯାଇଥିବା କହିଛନ୍ତି । ତେବେ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Jun 17, 2023, 12:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.