ETV Bharat / state

ସମ୍ବଲପୁରରେ ଚାଞ୍ଚଲ୍ୟ, ବିଚ ରାସ୍ତାରେ ଯୁବକଙ୍କୁ ହତ୍ୟା

author img

By

Published : Feb 18, 2023, 2:14 PM IST

ସମ୍ବଲପୁର ସହରରେ ବିଗୁଡୁଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଅଧିକ ପଢନ୍ତୁ

Etv Bharat
Etv Bharat

young man murder in sambalpur

ସମ୍ବଲପୁର: ସହରରେ ଚାଞ୍ଚଲ୍ୟ । ଦିନ ଦ୍ୱିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଏହିଭଳି ଘଟଣା ଘଟିଛି ସମ୍ବଲପୁର ସହରର ଧନୁପାଲି ଥାନା ଅନ୍ତର୍ଗତ ତୂରୀପଡ଼ା ଅଞ୍ଚଳରେ । ମୃତ ଯୁବକ ଜଣକ ହେଲେ ତୂରୀପଡ଼ାର ଭରତ ପ୍ରଧାନ ।

ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ଭରତ ନିକଟସ୍ଥ ନଦୀ ଘାଟକୁ ଗାଧେଇବାକୁ ଯାଇଥିବାବେଳେ ଅତର୍କିତ ଭାବେ ୨ ଜଣ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ବେକରେ ଭୁଜାଲି ଲାଗିଥିଲେ ମଧ୍ୟ ସେ ତୂରୀ ପଡ଼ାକୁ ପଳେଇ ଆସିଥିଲେ । ଗୁରୁତର ଅବସ୍ଥାରେ ଥାଇ ମଧ୍ୟ ଜଣେ ସମ୍ପର୍କୀୟ ମାଉସୀଙ୍କୁ ପୁରା ଘଟଣା ସମ୍ପର୍କରେ କହିବା ପରେ ତଳେ ଟଳି ପଡ଼ିଥିଲେ । ଏହାପରେ ତାଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇବା ଡାକ୍ତର ସୂଚନା ଦେଇଥିଲେ।

ଅନ୍ୟପଟେ ଏହି ଖବର ପ୍ରସାରିତ ହେବା ପରେ ଧନୁପାଲି ଛକ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଧନୁପାଲିରେ ପୋଲିସ ପହଞ୍ଚି ଆକ୍ରମଣରେ ବ୍ୟବହାର ହୋଇଥିବା ଭୁଜାଲିକୁ ଜବତ କରି ଥାନାକୁ ଆଣିଥିଲା । ପରବର୍ତ୍ତୀ ସମୟରେ ଧନୁପାଲି ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳକୁ ପୋଲିସ ବହୁ ସମୟ ପର୍ଯ୍ୟନ୍ତ ନ ଆସିବାରୁ ସ୍ଥାନୀୟ ଲୋକେ ହତ୍ୟାକାଣ୍ଡର ପ୍ରତିବାଦରେ ସମ୍ବଲପୁର-କଟକ ରାଜରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଧନୁପାଲି ଠାରୁ ଦେବଗଡ଼, କଟକ, ସୋନପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ସ୍ଥାନୀୟ ଲୋକେ ଯୁବକଙ୍କ ହତ୍ୟାକାରୀକୁ ଯଥାଶୀଘ୍ର ଗିରଫ କରିବା ସବ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ । ଘଟଣା ସ୍ଥଳକୁ ପ୍ରଥମେ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାୟକ ପହଞ୍ଚିଥିବା ବେଳେ ପରେ ପରେ ପହଞ୍ଚିଥିଲେ ସମ୍ବଲପୁର ସଦର ଥାନା ଅଧିକାରୀ । ଏହାପରେ ମଧ୍ୟ ଉତ୍ତେଜନା ଥମିନଥିଲା । ଆନ୍ଦୋଳନକାରୀ ଘଟଣା ସ୍ଥଳକୁ ଏସପି ଆସନ୍ତୁ ବୋଲି ଦାବି କରିଥିଲେ। ଏହାପରେ ଘଟଣା ସ୍ଥଳରେ ସମ୍ବଲପୁର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଓ ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ମଧ୍ୟ ପହଞ୍ଚିଥିଲେ । ପ୍ରଥମେ ଏସଡିପିଓ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ବୁଝିନଥିଲେ ।

ଠିକ୍ ଏହି ସମୟରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ସମ୍ବଲପୁର ଆଡ଼କୁ ଆସୁଥିବା ବେଳେ ତାଙ୍କ ଗାଡ଼ିକୁ ମଧ୍ୟ ରାସ୍ତା ଅବରୋଧକାରୀ ଅଟକାଇ ଦେଇଥିଲେ । ଏଭଳି ପରିସ୍ଥିତିରେ ପୋଲିସ ରାସ୍ତାରୁ ଭିଡକୁ ହଟାଇ ଥିଲେ ମଧ୍ୟ ମନ୍ତ୍ରୀ ନିଜେ ନିଜ କାରରୁ ଓହ୍ଲାଇ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ବୁଝାସୁଝା କରିଥିଲେ। ଏହାପରେ ପୋଲିସକୁ ଯଥା ଶୀଘ୍ର ଅପରାଧୀଙ୍କୁ ଧରିବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ୩ ଘଣ୍ଟା ରାସ୍ତା ରୋକ ହେବା ପରେ ସଦର ଏସଡିପିଓ ଯଥାଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ଓ ସ୍ଥିତି ସ୍ଵାଭାବିକ ହୋଇଥିଲା।

''ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହତ୍ୟାକାଣ୍ଡରେ ୨ ଜଣ ଯୁବକ ଓ ଜଣେ ଯୁବତୀ ସଂପୃକ୍ତ ଅଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତା, ପ୍ରେମ ସମ୍ପର୍କ ଜନିତ କି ଅନ୍ୟ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ସ୍ଥାନୀୟ ଲୋକେ ଏହି ଅଞ୍ଚଳରେ ବେଆଇନ କଫ ସିରଫ, ନିଶା କାରବାର ଚାଲିଥିବାରୁ ଯୁବପିଢ଼ି ନିଶା ଶକ୍ତ ହୋଇ ଦିନ ଦ୍ୱିପହରରେ ଏମିତି ହତ୍ୟାକାଣ୍ଡ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ଏହିଭଳି ପରିସ୍ଥିତି ପାଇଁ ଧନୁପାଲି ଥାନା ଅଧିକାରୀ ଓ ଢିଲା ପାଟ୍ରୋଲିଂ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଏହାସହ ଯଥାଶୀଘ୍ର ଅପରାଧୀଙ୍କୁ ଗିରଫ କରାନଗଲେ ଏସପି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.