ETV Bharat / state

ସ୍ତ୍ରୀକୁ ନପାଇ ଶ୍ବଶୁରକୁ ଗୁଳି କଲା ଜ୍ବାଇଁ: ବାନ୍ଧିଲା ପୋଲିସ, ଅଳ୍ପକେ ବର୍ତ୍ତିଲା ଜୀବନ

author img

By

Published : Aug 14, 2023, 6:55 AM IST

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ବନ୍ଦକାନି ଗାଁରେ ଶ୍ବଶୁରଙ୍କୁ ଗୁଳି ମାରିଲା ଜ୍ବାଇଁ । ଅଳ୍ପକେ ବର୍ତ୍ତିଲେ ଶ୍ବଶୁର । ଅଭିଯୁକ୍ତ ଜ୍ବାଇଁ ଗିରଫ । ଅଧିକ ପଢ଼ନ୍ତୁ

ଶଶୁର ଉପରକୁ ଗୁଳି କରି ବନ୍ଧା ହେଲା ଜ୍ୱାଇଁ
ଶଶୁର ଉପରକୁ ଗୁଳି କରି ବନ୍ଧା ହେଲା ଜ୍ୱାଇଁ

ସମ୍ବଲପୁର: ସ୍ତ୍ରୀକୁ ନପାଇ ଶ୍ବଶୁରଙ୍କୁ ଗୁଳି ମାରିଲା ଜ୍ବାଇଁ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ବନ୍ଦକାନି ଗାଁରେ । ତେବେ ଅଭିଯୁକ୍ତ ଜ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ମହୁଲପାଲି ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ବାଉରିଗୁଡା ଗ୍ରାମର ବେଦବ୍ୟାସ ଶବର (ବୟସ ୨୩) । ଏନେଇ ମହୁଲପାଲି ଥାନାରେ ଏତଲା ପରେ ପୋଲିସ୍‌ କେସ୍‌ ନମ୍ବର ୯୨/୨୦୨୩, ଆଇପିସି ଦଫା ୨୯୪/୩୦୭/ଆର୍ମ ଆକ୍ଟ ୨୫ରେ ମାମଲା ରୁଜୁ କରି ଗତକାଲି(ରବିବାର) ବେଦବ୍ୟାସକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ନିକଟରୁ ଏକ ଦେଶୀ ବନ୍ଧୁକ, ୨୦ ରାଉଣ୍ଡ ଗୁଳି ଓ ୨୦୦ ଗ୍ରାମ୍‌ ଗନ୍‌ ପାଉଡର ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ବାଉରିଗୁଡା ଗ୍ରାମର ବେଦବ୍ୟାସ ଶବର ୬ ବର୍ଷ ତଳେ ମହୁଲପାଲି ଥାନା ଅନ୍ତର୍ଗତ ବନ୍ଦକାନି ଗାଁର କୁଞ୍ଜବନ ରଣାଙ୍କ ଝିଅଙ୍କୁ ପ୍ରେମ ବିବାହ କରିଥିଲା । ଅଭିଯୁକ୍ତର କିଛିଦିନ ହେବ ଶ୍ବଶୁର ଘର ଏବଂ ନିଜ ସ୍ତ୍ରୀ ସହ ଝଗଡା ଲାଗି ରହିଥିଲା । ବେଦବ୍ୟାସ ବିଲରୁ କାମ ସାରି ଘରକୁ ଫେରି ସ୍ତ୍ରୀକୁ ଘରେ ନପାଇ ଶ୍ବଶୁର ଘର ବନ୍ଦକାନୀ ଗାଁକୁ ଖୋଜିବାକୁ ଯାଇଥିଲା । ଶ୍ବଶୁରଙ୍କୁ ନିଜ ସ୍ତ୍ରୀ କୁଆଡେ ଗଲା ଏବଂ ତମେ ଲୁଚାଇ ରଖିଛ ବୋଲି ପାଟି ତୁଣ୍ଡ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ଯୁକ୍ତିତର୍କ ବଢ଼ିଯିବା ପରେ ରାଗିଯାଇ ଶ୍ବଶୁରଙ୍କ ଉପରକୁ ନିଜ ଦେଶୀ ବନ୍ଧୁକରେ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା । ସୌଭାଗ୍ୟ ବଶତଃ ଗୁଳି କବାଟରେ ବାଜିବାରୁ ଶ୍ବଶୁର କୁଞ୍ଜବନ ରଣା ଅଳ୍ପକେ ବର୍ତ୍ତିଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସ୍ତ୍ରୀର ଚରିତ୍ର ସନ୍ଦେହରେ ସ୍ୱାମୀର ନାରକୀୟକାଣ୍ଡ, ଛୁଆଙ୍କ ସମ୍ମୁଖରେ ମାଆକୁ ହତ୍ୟା

ତେବେ ପରେ ମହୁଲପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବେଦବ୍ୟାସ ଶବରକୁ କାବୁ କରିବା ସହ ଦେଶୀ ବନ୍ଧୁକ, ୨୦୦ ଗ୍ରାମର ଗନ୍‌ ପାଉଡର ଓ ୨୦ ରାଉଣ୍ଡ ଗୁଳି ଜବତ କରିଛି । ପ୍ରକାଶ ଯୋଗ୍ୟ ଏବେ ଅଭିଯୁକ୍ତର ଏକ ଶିଶୁପୁତ୍ର ଅଛି । ତେବେ ଶ୍ବଶୁର ଓ ଶାଳକଙ୍କ ଅଭିଯୋଗ ଅନୁସାରେ ଗତ କିଛିଦିନ ହେଲା ବେଦବ୍ୟାସ ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଆସି ତାର ପତ୍ନୀଙ୍କୁ ନିର୍ଯାତନା ଦେଉଥିଲା । ଫଳରେ ପତ୍ନୀ ତାଙ୍କ ପୁଅକୁ ନେଇ କେଉଁଆଡ଼େ ଚାଲି ଯାଇଛନ୍ତି । ଫଳରେ ପତ୍ନୀଙ୍କୁ ଖୋଜିବାକୁ ଆସି ସେ ଏପରି କାଣ୍ଡ ଭିଆଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.