ETV Bharat / state

ସମ୍ବଲପୁର-ସୋନପୁର ରାସ୍ତାରୁ ୨୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

author img

By

Published : Feb 3, 2023, 4:33 PM IST

ସମ୍ବଲପୁର-ସୋନପୁର ରାସ୍ତାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୭ ଲକ୍ଷ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସମ୍ବଲପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ସମ୍ବଲପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ସମ୍ବଲପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ସମ୍ବଲପୁର: ବର୍ତ୍ତମାନ ସମ୍ବଲପୁର-ସୋନପୁର ରାସ୍ତା ଗଞ୍ଜେଇ ଚୋରା ଚାଲାଣର ପ୍ରମୁଖ ପଥ ପାଲଟିଛି । ପୂର୍ବରୁ ଏହି ରାସ୍ତାର ଧମା ଅଞ୍ଚଳରୁ ଅନେକ ଗଞ୍ଜେଇ ଚାଲାଣ ମାମଲା ଧରାପଡିଥିବା ବେଳେ ଏବେ ପୁଣି ଏଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ବେଳେ ଆଜି ଏହିଠାରୁ ସମ୍ବଲପୁର ଅବକାରୀ ପୋଲିସ ୨ କ୍ବିଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

ସୂଚନା ମୁତାବକ, ଅଭିଯୁକ୍ତମାନେ ଦୁଇଟି କାର୍ ଓ ଗୋଟିଏ ବାଇକରେ ଗଞ୍ଜେଇ ଚାଲାଣ କରୁଥିଲେ । ଧରା ନପଡିବା ପାଇଁ ସେମାନେ ଗାଡ଼ିରେ ନକଲି ନମ୍ବର ପ୍ଲେଟ ଲଗାଇବା ସହ ସିକ୍ରେଟ ଚାମ୍ବରରେ ଗଞ୍ଜେଇ ନେଉଥିଲେ । ବୌଦ୍ଧ ଜିଲ୍ଲା ଅଞ୍ଚଳରୁ ରାଜ୍ୟ ବାହାରକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଏ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଦୁଇଟି ଟିମ୍ ଗାଡିଗୁଡିକର ପିଛା କରି ଅଟକାଇ ଥିଲେ । ଗାଡି ଭିତରେ ଛାନଭିନ୍ କରାଯିବା ପରେ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ତେବେ ଅବକାରୀ ବିଭାଗ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ପ୍ରାଇଭେଟ ଇନଫର୍ମର ନିଯୁକ୍ତ କରିଥିବାରୁ ସେମାନଙ୍କଠାରୁ ଖବର ପାଇ ଏଭଳି ବଡ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଥିବା ସୂଚନା ମିଳିଛି ।

ଯାହା ସୂଚନା ମିଳିଛି, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ଧରିବା ବେଳେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ସହାୟତା କରୁଥିବା ଅନ୍ୟ ୪ ଜଣ ଯୁବକ ଧରାପଡିବା ପରେ ସମସ୍ତଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରୁ ଗଞ୍ଜେଇ ସହ ତିନୋଟି ଯାକ ଗାଡି ଜବତ ହୋଇଛି । ଏହି ଗାଡିର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି ।

ଏହି ଘଟଣାରେ ଆଉ କେଉଁ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ନା ନାହିଁ ଏବଂ ପୂର୍ବରୁ ସମ୍ପୃକ୍ତ ଗ୍ୟାଙ୍ଗ ଏହି ରୁଟରେ ଗଞ୍ଜେଇ ଚୋରା ଚାଲାଣ କରିଥିଲା ନା ନାହିଁ ସେନେଇ ତଦନ୍ତ କରୁଛି ଅବକାରୀ ବିଭାଗ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ରାଜ୍ୟରେ ଗଞ୍ଜେଇ ଚାଷ ବ୍ୟାନ ହୋଇଥିବା ବେଳେ ଏହି ଗଞ୍ଜେଇ କେଉଁଠି ଚାଷ ହେଉଛି ? ଏ ଦିଗରେ ଅବକାରୀ ବିଭାଗ କୌଣସି ଠୋସ ପଦକ୍ଷେପ ନନେବା ଲୋକଙ୍କ ମନ ଭିତରେ ସନ୍ଦେହ ସୃଷ୍ଟି କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.