ETV Bharat / state

କମ ପରିଶ୍ରମରେ ମାଲାମାଲ ହେବାର ନିଶା, ଗଞ୍ଜେଇ ପଛରେ ଯୁବପିଢ଼ି

author img

By

Published : Mar 15, 2023, 7:59 AM IST

କମ ପରିଶ୍ରମରେ ଅଧିକ ରୋଜଗାର କରିବାର ନିଶା ଯୁବପିଢ଼ିଙ୍କୁ ଗଞ୍ଜେଇ ବ୍ୟବସାୟ ଆଡକୁ ଠେଲୁ ଥିବାର ସମ୍ବଲପୁର ଉତ୍ତରାଞ୍ଚଳ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

cannabis seized in sambalpu
cannabis seized in sambalpu

cannabis seized in sambalpur

ସମ୍ବଲପୁର: ଯୁବ ପିଢିଙ୍କ ମଧ୍ୟରେ ବୃଦ୍ଧି ପାଇଛି ଗଞ୍ଜେଇ ଚୋରାଚାଲାଣ କରିବାର ମନୋବୃତ୍ତି । ବର୍ତ୍ତମାନ ପରିସ୍ଥିତିରେ ଯୁବପିଢ଼ି ପ୍ରଥଭ୍ରଷ୍ଟ ହୋଇ ପଡିଛନ୍ତି ଗଞ୍ଜେଇ ବ୍ୟବସାୟ ପଛରେ । କମ ପରିଶ୍ରମରେ ଅଧିକ ରୋଜଗାର କରିବାର ନିଶା ଯୁବପିଢ଼ିଙ୍କୁ ଗଞ୍ଜେଇ ବ୍ୟବସାୟ ଆଡକୁ ଠେଲୁ ଥିବାର ଜଣାପଡିଛି l ସମ୍ବଲପୁର ଉତ୍ତରାଞ୍ଚଳ ଗୁଇନ୍ଦା ବିଭାଗ ପକ୍ଷରୁ ଏହିଭଳି ଚାଞ୍ଚଲ୍ୟକର ସୂଚନା ମିଳିଛି । ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗିରଫ ହେଉଥିବା ଅଭିଯୁକ୍ତ ମାନଙ୍କ 90 ପ୍ରତିଶତ 20 ରୁ 30 ବର୍ଷର ଯୁବକ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ଗୁଡିକ ଅପେକ୍ଷା 79% ଗଞ୍ଜେଇ ଜବତ ଘଟଣା ବୃଦ୍ଧି ପାଇଛି ବୋଲି ସୂଚନା ମିଳିଛି l

ତେବେ ପ୍ରତ୍ୟେକ 2 ରୁ 3 ଦିନ ମଧ୍ୟରେ ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ଓ୍ବେର ଶାସନ ଅଞ୍ଚଳରୁ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ଧରାପଡୁଛି ବିପୁଳ ପରିମାଣର ଗଞ୍ଜେଇ ଆଉ ଗିରଫ ହେଉଛନ୍ତି ଯୁବବର୍ଗ l ରାଜ୍ୟର କନ୍ଧମାଳ ଓ ବୌଦ୍ଧରୁ ସୋନପୁର ଦେଇ ବିଜୁ ଏକ୍ସପ୍ରେସ ୱେ ମାଧ୍ୟମରେ ଉତ୍ତରପ୍ରଦେଶ, ବିହାର, ଛତିଶଗଡ, ଝାରଖଣ୍ଡ ଓ ଦିଲ୍ଲୀକୁ ଚାଲାଣ ହେଉଛି ଚୋରା ଗଞ୍ଜେଇ l ମୁଖ୍ୟତଃ କନ୍ଧମାଳ, ବୌଦ୍ଧର ଉପାନ୍ତ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଯେଉଁଠି ପ୍ରଶାସନ ପହଞ୍ଚି ପାରି ନ ଥାଏ ସେହି ଅଞ୍ଚଳ ଗୁଡିକରେ ଗଞ୍ଜେଇ ଚାଷ କରଯାଉଛି l ତେବେ ସ୍ଥାନୀୟ ଅସଚେତନ ଅଞ୍ଚଳବାସୀଙ୍କୁ ବ୍ୟବହାର କରି କେତେକ ବ୍ୟକ୍ତି ଗଞ୍ଜେଇ ଚାଷ କରୁଥିବାର ଜଣା ପଡିଛି l

ଅବକାର ବିଭାଗ ଯେଉଁସବୁ ଗଞ୍ଜେଇ ଚାଷକୁ ନଷ୍ଟ କରି ପାରିନଥାଏ ସେହି ଗଞ୍ଜେଇକୁ ସ୍ଥାନୀୟ ଲୋକ ଜମା କରି ରଖିଥାନ୍ତି । ଆଉ ସମୟ ଆସିଲେ ରାଜ୍ୟ ବାହାରର ନିର୍ଦ୍ଦିଷ୍ଟ ଗଞ୍ଜେଇ ମାଫିଆଙ୍କୁ ସ୍ଥାନୀୟ ଗଞ୍ଜେଇ ମାଫିଆ ମାନେ ଯୋଗାଯୋଗ କରି ଏହି ଗଞ୍ଜେଇ ବିକ୍ରି କରିଥାନ୍ତି l ସେମାନେ ଏଠାରୁ ଉତ୍ପାଦିତ ଗଞ୍ଜେଇକୁ କିଲୋ ପ୍ରତି 1 ହଜାର ରୁ 5 ହଜାର ଟଙ୍କା ପ୍ରତି କିଣି ରାଜ୍ୟ ବାହାରେ ଏହାକୁ କିଲୋ ପ୍ରତି 10 ହଜାରରୁ 20 ହଜାର ଟଙ୍କାରେ ବିକ୍ରି କରାଯାଉଛି l ଏହି ମୋଟା ଅଙ୍କର ଲାଭକୁ ଦେଖି ଯୁବପିଢ଼ି ଗଞ୍ଜେଇ ବ୍ୟବସାୟ ପ୍ରତି ଆକୃଷ୍ଟ ହେଉଥିବାର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ସୂଚନା ଅନୁସାରେ ଗତ ଏପ୍ରିଲ 2022 ରୁ ଆଜି ସୁଦ୍ଧା (14-03-2023) ଅବକାରୀ ଗୁଇନ୍ଦା ବିଭାଗ 50 ଟି ଗଞ୍ଜେଇ ମାମଲା ରୁଜୁ କରିଥିବା ବେଳେ ଏହି ମାମଲାରେ ମୋଟ 82 ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି l ଏହି ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର ହେଉଥିବା 33ଟି ଗାଡି ମଧ୍ୟ ଜବତ ହୋଇଛି l ଏହି ବର୍ଷରେ ମୋଟ 70.33 କୁଇଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ କରିଛି ଗୁଇନ୍ଦା ଅବକାରୀ ବିଭାଗ l ଜବତ ହୋଇଥିବା ଗଞ୍ଜେଇ ଏବଂ ଗାଡିର ଆନୁମାନିକ ମୂଲ୍ୟ 3 କୋଟି 38 ଲକ୍ଷ 30 ହଜାର ଟଙ୍କା ବୋଲି ଜଣାପଡିଛି l

ଏହିସବୁ ମାମଲା ଗୁଡିକ ଉପରେ ନଜର ପକାଇଲେ ଜଣାପଡିଛି ଯେ ବିଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷ NDPS କେସ ସଂଖ୍ୟା 290% ବୃଦ୍ଧି ପାଇଥିବା ବେଳେ ଗିରଫ ସଂଖ୍ୟା ବିଗତ ବର୍ଷ ଗୁଡିକ ଅପେକ୍ଷା 127% ବୃଦ୍ଧି ପାଇଛି l ଅନ୍ୟପଟେ ବିଗତ ବର୍ଷ ଅପେକ୍ଷା ସିଜର ମୂଲ୍ୟ 296% ବୃଦ୍ଧି ପାଇଛି l ଏହାସହ କେବଳ ଗଞ୍ଜେଇ ଜବତ ମାମଲା ପୂର୍ବାପେକ୍ଷା 796% ବୃଦ୍ଧି ପାଇଥିବା ଜଣାପଡିଛି l ଏହା ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ଡିଭିଜନ ରେ ସର୍ବକାଳୀନ ରେକର୍ଡ ବୋଲି ରାଜେନ୍ଦ୍ର ଭୋତ୍ରା ସୂଚନା ଦେଇଛନ୍ତି l

ଏଥିସହ ଏହି ଭଳି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ପ୍ରତ୍ୟେକ ଜିଲ୍ଲାରେ ତହସିଲ, ସବଡିଭିଜନ, ଜିଲ୍ଲାସ୍ତରରେ ପୋଲିସ, ବନ ବିଭାଗ ଓ ରାଜସ୍ବ ବିଭାଗକୁ ନେଇ ତ୍ରିସ୍ତରୀୟ ସ୍କ୍ବାର୍ଡ ଗଠନ କରାଯାଇଥିବା ସୂଚନା ଦିଆଯାଇଛି । ଅନ୍ୟପଟେ ବର୍ତ୍ତମାନର ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ଦ୍ରୋଣ ଟେକ୍ନୋଲୋଜି ସହାୟତାରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ନେଇ ସୂଚନା ଦିଆଯାଇଛି । ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି ସେହି ଅଞ୍ଚଳର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବ ପାଇଁ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କରାଯିବା ସହ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.