ETV Bharat / state

ପୁଣି ଆନ୍ଧ୍ରର ଦାଦାଗିରି, ଭାଙ୍ଗି ଦେଲା ଓଡିଶାର ସୀମା ଫଳକ

author img

By

Published : Feb 4, 2023, 2:14 PM IST

ଓଡିଶା ସୀମାନ୍ତବର୍ତ୍ତୀ ଗାଁ ଉପରେ ରହିଛି ଆନ୍ଧ୍ରର ଲୋଲୁପ ଦୃଷ୍ଟି । ଓଡିଶା ସୀମାନ୍ତ ଗାଁକୁ ନେଇ ଆନ୍ଧ୍ରରେ ମିଶାଇବାକୁ ଅପଚେଷ୍ଟା ଚଳାଇଛନ୍ତି ଆନ୍ଧ୍ର ଅଫିସର । ଓଡିଶାର ସୀମା ଫଳକକୁ ଆନ୍ଧ୍ରବାସୀ ଭାଙ୍ଗିବା ପରେ ଦେଖା ଦେଇଛି ଚାପା ଉତ୍ତେଜନା । ଅଧିକ ପଢନ୍ତୁ

andhra odisha dispute
andhra odisha dispute

andhra odisha dispute

ରାୟଗଡା: ପୁଣି ମୁଣ୍ଡ ଟେକିଲା ଆନ୍ଧ୍ର ଓଡିଶା ସୀମା ବିବାଦ । ଓଡିଶାରେ ଦାଦାଗିରି ଦେଖାଇଲା ଆନ୍ଧ୍ର । ସୀମା ବିଦାଦକୁ ନେଇ ଓଡିଶାର ସୀମା ଫଳକକୁ ଭାଙ୍ଗି ଦେଲେ ଆନ୍ଧ୍ରବାସୀ । ଗତ 31 ତାରିଖରେ ରାୟଗଡା ତହସିଲ ପକ୍ଷରୁ ମରାଯାଇଥିବା ସୀମା ଫଳକକୁ ଆନ୍ଧ୍ରବାସୀ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଦେଖା ଦେଇଛି ଚାପା ଉତ୍ତେଜନା ।

ଏପରି ସ୍ଥିତି ପରେ ଏହାର ସମାଧାନ ପାଇଁ ଗତକାଲି(ଶୁକ୍ରବାର) ଆନ୍ଧ୍ରର ଅଧିକାରୀଙ୍କ ସହ କଥାବର୍ତ୍ତା ହୋଇଛି ରାୟଗଡା ପ୍ରଶାସନ । ଓଡିଶାର ଚିହ୍ନଟ ହୋଇଥିବା ସମସ୍ତ ସୀମାକୁ ଆନ୍ଧ୍ର ଅଧିକାରୀଙ୍କୁ ଅବଗତ କରାଯିବା ପରେ ଏବେ ପରିସ୍ଥିତି ଶାନ୍ତ ପଡିଛି । ପୁଣି ଥରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଆସି ଏହି ସୀମା ବିବାଦ ଉପରେ ଅନୁଧ୍ୟାନ କରିବା ପରେ ଦୁଇ ରାଜ୍ୟର ସୀମା ବିବାଦର ସମାଧାନର ରାସ୍ତା ବାହାରିବ ବୋଲି ଜଣାପଡିଛି । ଆନ୍ଧ୍ର ଓଡିଶା ସୀମାନ୍ତକୁ ନେଇ ଗତକାଲି ଦ୍ଵିତୀୟ ଥର ପାଇଁ ଉଭୟ ରାଜ୍ୟର ପଦାଧିକାରୀ ମିଳିତ ଭାବେ ସମାଧାନ ପାଇଁ ଏକାଠି ହୋଇଥିଲେ ।

ରାୟଗଡ଼ା ତହସିଲଦାର ଓ ଗୁମ୍ମା ଲକ୍ଷ୍ମୀପୁରର ତହସିଲଦାର ମୁହାଁମୁହିଁ ହୋଇ ବିବାଦର ସମାଧାନର ବାଟ କାଢି ଥିଲେ ସୁଦ୍ଧା ଜଙ୍ଗଲ ଜମି ଉପରେ କେଁ କାଢ଼ିଛି ଆନ୍ଧ୍ର ପ୍ରଶାସନ । ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦୁର୍ଗାପାଡୁ ପଞ୍ଚାୟତର ପାଲମା ତୁଳସୀ ଗାଁ ନିକଟରେ ଓଡ଼ିଶା ଜମିରେ ଆନ୍ଧ୍ର ଜବରଦଖଲ ଭାବେ 2 କିଲୋମିଟର ରାସ୍ତା ନିର୍ମାଣ ଯୋଜନା କରି ଅର୍ଥ ମଞ୍ଜୁର କରି କାମ ଆରମ୍ଭ କରିବାକୁ ପ୍ରୟାସ କରୁଥିବା ବେଳେ ଏହାକୁ ବନ୍ଦ କରିଛି ରାୟଗଡା ଜିଲ୍ଲା ପ୍ରଶାସନ ।

ଲାଗି ରହିଥିବା ସୀମା ବିବାଦର ସମାଧାନ କରିବାକୁ ଉଭୟ ରାଜ୍ୟର ରାଜସ୍ୱ , ଜଙ୍ଗଲ , କୃଷି ଏବଂ ପୋଲିସ ବିଭାଗର ଅଧିକାରୀ ଗଠିତ ଟିମ ଶୁକ୍ରବାର ପାଲମତୁଳସୀ ଗ୍ରାମକୁ ଯାଇଥିଲେ । ସେଠାରେ ରାୟଗଡା ତହସିଲଦାର ତାପସ କୁମାର ରାଉତ , ରାୟଗଡ଼ ବିଡିଓ ଲକ୍ଷ୍ମୀନାରାୟଣ ସାବତ ଉପସ୍ଥିତରେ ରାଜସ୍ୱ ନିରୀକ୍ଷକ ଅଶ୍ଵିନୀ ପଣ୍ଡା 1954 ମସିହାରେ ଦୁଇ ରାଜ୍ୟର ସୀମା ଚିହ୍ନଟ ସର୍ଭେରେ ହୋଇଥିବା ଏକ ବୃହତ୍ ଶିଳାରେ ଥିବା ସୀମା ଚିହ୍ନଟ କରିବା ସହ ଗୁଗୁଲ ମ୍ୟାପରେ ମଧ୍ୟ ଏହି ଅଞ୍ଚଳ ଓଡ଼ିଶାର ଜମି ବୋଲି ପ୍ରମାଣିତ କରିଥିଲେ ।

ଆନ୍ଧ୍ର ପ୍ରଦେଶରୁ ଆସିଥିବା ସରକାରୀ ଦଳର ଗୁମ୍ମା ଲକ୍ଷ୍ମୀପୁରର ତହସିଲଦାର ଜେମିନି ରମାଲୁମ୍ମା ଏଥିରେ ସହମତି ଜଣାଇ ରାଜସ୍ବ ଜମିର ଚିହ୍ନଟ ସାଙ୍ଗକୁ ଉଭୟ ରାଜ୍ୟର ସୀମାକୁ ସ୍ତିର କରି ଥିଲେ । କିନ୍ତୁ ଆନ୍ଧ୍ର ପ୍ରଦେଶ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ଜମିକୁ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ନଥିବା ବେଳେ ଏବେ ଜଙ୍ଗଲ ଜମିକୁ ନେଇ ବିବାଦ ଛିଣ୍ଡିପାରି ନାହିଁ ।

ଗୁରୁବାର ରାତିରେ ପଡୋଶୀ ରାଜ୍ୟର କିଛି ଲୋକ ଓଡ଼ିଶା ପକ୍ଷରୁ ପୋତା ଯାଇଥିବା ସୀମା ଫଳକକୁ ଫିଙ୍ଗି ଦେଇଥିବା ବେଳେ ଏନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଶୁକ୍ରବାର ଦୁଇ ରାଜ୍ୟର ପ୍ରାଶାସନିକ ସ୍ତରରେ କଥାବାର୍ତ୍ତା ପରେ ଓଡିଶା ପକ୍ଷରର ଜମି ଉପରେ ଓଡିଶା ସରକାର ତୁରନ୍ତ ରାସ୍ତା ନିର୍ମାଣ କରିବା ନିଷ୍ପତ୍ତି ନେଇଥିବା ବେଳେ ଆନ୍ଧ୍ର ପଟେ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରିବାକୁ ସହମତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.