ETV Bharat / state

ନୂଆ ରୂପ ପାଇବ ପଞ୍ଚତୀର୍ଥ ପୁଷ୍କରିଣୀ, ଚାଲିଛି ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ

author img

By ETV Bharat Odisha Team

Published : Oct 6, 2023, 9:56 AM IST

Updated : Oct 6, 2023, 12:54 PM IST

ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀର ଚାଲିଛି ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ । ଆସନ୍ତା ଦୁଇ ମାସ ଭିତରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ । ଅଧିକ ପଢ଼ନ୍ତୁ

renovation work of pancha tirtha holy pond
renovation work of pancha tirtha holy pond

renovation work of pancha tirtha holy pond

ପୁରୀ: ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ । ଜୋରସୋରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ। ଓଡ଼ିଶା ସେତୁ ନିର୍ମାଣ ନିଗମ ତଥା ଓବିସିସି ପକ୍ଷରୁ ଏହି ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତା ଦୁଇ ମାସ ଭିତରେ ଶେଷ ହେବ । ପୁରୀ ସହରରେ ଥିବା ବିଭିନ୍ନ ଐତିହ୍ୟ ସ୍ଥଳୀର ଉନ୍ନତିକରଣ କରାଯାଉଥିବା ବେଳେ ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାରକୁ ରାଜ୍ୟ ସରକାର ବେଶ୍ ଗୁରୁତ୍ୱ ଦେଉଛନ୍ତି । ତୀର୍ଥ ପୁଷ୍କରିଣୀକୁ ଭ୍ରମଣ ଏବଂ ସ୍ନାନ ପାଇଁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଜଗନ୍ନାଥ ସଂସ୍କୃତି ଏବଂ ବିଭିନ୍ନ ନୀତିକାନ୍ତି ବିଷୟରେ ଜଣାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

ତୀର୍ଥ ପୁଷ୍କରିଣୀଗୁଡ଼ିକ କାନ୍ଥରେ ଉତ୍କଳୀୟ ଐତିହ୍ୟ ସହ କଳା ସଂସ୍କୃତିର ଛାପ ଦେବାକୁ ସମସ୍ତ ବ୍ୟବସ୍ଥା ହୋଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ତୀର୍ଥ ପୁଷ୍କରିଣୀର ମାହାତ୍ମ୍ୟକୁ ନେଇ କଳାକୃତି ପ୍ରସ୍ତୁତ କରାଯାଇ ପୁଷ୍କରିଣୀର କାନ୍ଥରେ ଲଗାଯାଇଛି । ପୁଷ୍କରିଣୀର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ଶେଷ ହେବା ପରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଏହା ବେଶ୍ ଆକର୍ଷିତ କରିବା ସହ ଜଗନ୍ନାଥ ସଂସ୍କୃତି ବିଷୟରେ ଲୋକମାନେ ଅଧିକ ଜାଣିପାରିବେ ବୋଲି ସେବାୟତ କହିଛନ୍ତି । ପୁରୀକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ପଞ୍ଚତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ନୂଆ ରୂପ ପାଇବ ପଞ୍ଚତୀର୍ଥ ପୁଷ୍କରିଣୀ, ଜୋରସୋରରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ


ପୁରୀରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ ଯଥା ମାର୍କଣ୍ଡେୟ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗାରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେଉଥିବା ୨୪ଟି ବେଶର କାରୁକାର୍ଯ୍ୟ ସ୍ଥାନ ଦିଆଯାଉଛି। ସେହିପରି ନରେନ୍ଦ୍ର ସରୋବରରେ ମହାପ୍ରଭୁଙ୍କ ବିଭନ୍ନ ବେଶ ସହ ପ୍ରଭୁ ମଦନମୋହନଙ୍କର ୨୦ଟି ବେଶ ମଧ୍ୟ ସ୍ଥାନିତ କରାଯାଉଛି।‌ ଚନ୍ଦନଯାତ୍ରା, ପଞ୍ଚ ମହାଦେବ ମଧ୍ୟ ସ୍ଥାନ ପାଇବେ ନରେନ୍ଦ୍ର ପୁଷ୍କରିଣୀର ପରିକ୍ରମା ମାର୍ଗରେ। କେବଳ ସେତିକି ନୁହେଁ ପଞ୍ଚତୀର୍ଥ ପୁଷ୍କରିଣୀର କାନ୍ଥରେ ରଥଯାତ୍ରାର କାଠ ଅନୁକୂଳ ଠାରୁ ଆରମ୍ଭ କରି ରଥଖଳା, କମାରଶାଳ, ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି, ରଥାରୂଢ଼ ବେଶ, ଶ୍ରୀଗୁଣ୍ଡିଚା ମନ୍ଦିର ଆଦି ମହାପ୍ରଭୁଙ୍କ ବିଭନ୍ନ ଲୀଳା ସ୍ଥାନ ଦିଆଯାଉଛି। ସେପଟେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଏହାକୁ ସ୍ବାଗତ କରିଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ପ୍ରଶାସନ ହାତକୁ ନେଉ ବୋଲି ସେ ପରାମର୍ଶ ଦେଇଛନ୍ତି । ତେବେ ପଞ୍ଚତୀର୍ଥ ପୁଷ୍କରିଣୀର ସମସ୍ତ କାର୍ଯ୍ୟ ଖୁବଶୀଘ୍ର ଶେଷ କରାଯାଇ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହା ଲୋକାର୍ପଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପଞ୍ଚତୀର୍ଥ ପୁଷ୍କରିଣୀରେ ଲଗାଯାଉଥିବା କଳା ଭାସ୍କର୍ଯ୍ୟର ଛବିକୁ ଗଜପତି ମହାରାଜାଙ୍କ ଅନୁମତିରେ ସ୍ଥାନିତ କରାଯାଉଛି। ସେହିପରି ଓଡ଼ିଶାର ବିଭିନ୍ନ ସ୍ଥାନରୁ ୫୦ ରୁ ଅଧିକ କାରିଗର ଏସବୁ ନିର୍ମାଣରେ ଲାଗିଛନ୍ତି। ଭକ୍ତ ପର୍ଯ୍ୟଟକ ସୁବିଧା ପାଇଁ ପରିକ୍ରମା ମାର୍ଗ ରେ ଚେୟାର ବ୍ୟବସ୍ଥା, ଫୁଲ ବଗିଚା, ଲାଇଟ୍ ବ୍ୟବସ୍ଥା, ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା କରାଯାଉଛି । ତେବେ ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଶେଷ ପରେ ଏହି ପବିତ୍ର ତୀର୍ଥସ୍ଥଳୀ ଗୁଡ଼ିକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ମାନେ ନୂଆ ଅନୁଭୂତି ପାଇବେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

Last Updated : Oct 6, 2023, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.