ETV Bharat / state

ଶ୍ରୀଜିଉଙ୍କ ଆଶୀର୍ବାଦ ନେଲେ ସିଲଭର ବୟ କିଶୋର ଜେନା, କହିଲେ ମହାପ୍ରଭୁଙ୍କ ଇଚ୍ଛା ବିନା କିଛି ହୁଏନି

author img

By ETV Bharat Odisha Team

Published : Oct 19, 2023, 4:42 PM IST

ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ କିଶୋର ଜେନା । ଦୀର୍ଘ 2 ବର୍ଷ ପରେ ସେ ପୁରୀ ଆସିଥିବା ବେଳେ ବେଶ୍ ଖୁସି ରହିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କିଶୋର । ଅଧିକ ପଢନ୍ତୁ

ପୁରୀରେ କିଶୋରଙ୍କୁ ଜୋରଦାର ସ୍ଵାଗତ, ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ
ପୁରୀରେ କିଶୋରଙ୍କୁ ଜୋରଦାର ସ୍ଵାଗତ, ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ

ପୁରୀରେ କିଶୋରଙ୍କୁ ଜୋରଦାର ସ୍ଵାଗତ, ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ

ପୁରୀ: ଜନ୍ମ ମାଟିରେ ପହଞ୍ଚିଲେ ଓଡିଆ ପୁଆ କିଶୋର ଜେନା । ଆଜି ସେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏସିଆନ୍ ଗେମରେ ଜାଭେଲିନରେ ରୌପ୍ୟ ପଦକ ପାଇଥିବା ପୁରୀ ବ୍ରହ୍ମଗିରିର କିଶୋର ଜେନା ଆଜି ଶ୍ରୀମନ୍ଦିରରେ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଦୀର୍ଘ 2 ବର୍ଷ ପରେ ସେ ପୁରୀ ଆସିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଖୁସି ଥିବା ଜଣାପଡିଛି । କିଶୋରଙ୍କୁ ପୁରୀ ଜୋରଦାର ସ୍ଵାଗତ କରାଯାଇଥିଲା । ଅଠର ନଳାରୁ ଶ୍ରୀମନ୍ଦିର ଯାଏ ପୁରୀର କ୍ରୀଡାବିତ୍, କ୍ରୀଡା ସଂଗଠକ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

କିଶୋର ନିଜର ଖୁସି ବକ୍ତବ୍ୟ କରି କହିଛନ୍ତି, 'ମୁଁ ଦୀର୍ଘ 2 ବର୍ଷ ପରେ ପୁରୀ ଆସିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ୍ ଖୁସି ଅଛି । ଆଗାମୀ ଅଲମ୍ପିକ୍ସରେ ମେଡାଲ ଆଣି ଦେଶ, ରାଜ୍ୟ ପାଇଁ ଗୌରବ ଆଣିବା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ପୁରୀର ଜିଲ୍ଲା ପ୍ରଶାସନ ଏବଂ କ୍ରୀଡାବିତ ମାନଙ୍କୁ ଧନ୍ୟବାଦ ।

ଏହା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇ ସେ କହିଛନ୍ତି," ଆଗାମୀ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତିରେ ଓଡ଼ିଶା ସରକାର ସବୁ ପ୍ରକାର ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ଏହା ସହ ସରକାର କ୍ରୀଡାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଅନେକ କ୍ରୀଡା ଭିତ୍ତିଭୂମି ଉନ୍ନତି ହୋଇଛି । ଏଣୁ କ୍ରୀଡାବିତ୍ ମାନେ ଏହାର ଫାଇଦା ନେଇ ଦେଶ, ରାଜ୍ୟ ପାଇଁ ଖେଳି ଗୌରବ ଆଣିବା ପାଇଁ ଆହ୍ଵାନ କରୁଛି । କ୍ରୀଡାବିତମାନଙ୍କୁ ସବୁ କ୍ଷେତ୍ରରେ ଆର୍ଥିକ ସହଯୋଗ ମିଳିଲେ ଦେଶ ଆହୁରି ଗୌରବ ଲାଭ କରିବ ।"

ଓଡ଼ିଶା ସରକାର ଖେଳର ବିକାଶ ପାଇଁ ଯେଉଁ ଭଳି ପଦକ୍ଷେପ ନେଉଛନ୍ତି କିଶୋର ପ୍ରଶଂସା କରିଛନ୍ତି । ସେହିପରି ତାଙ୍କର ଆଦର୍ଶ ନୀରଜ ଚୋପ୍ରାଙ୍କୁ ସେ ବହୁତ୍ ଧନ୍ୟବାଦ୍ ଦେଇଛନ୍ତି । ତାଙ୍କର ପରାମର୍ଶରେ ସେ ସଫଳତା ପାଇଥିବା କିଶୋର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ


ସେପଟେ ପୁରୀ ଜିଲ୍ଲା ପୂର୍ବତନ କ୍ରୀଡା ସଂସଦ ସଭାପତି ରବୀନ୍ଦ୍ର ପ୍ରତିହାରୀ କହିଛନ୍ତି,"କିଶୋର ପାଇଁ ଆମେ ଗର୍ବିତ । ପୁରୀ ମାଟିର ସେ ଗୌରବ । ମହାପ୍ରଭୁ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ ସେ ଆଗାମୀ ଅଲମ୍ପିକ୍ସରେ ଦେଶ ପାଇଁ ମେଡାଲ ଆଣନ୍ତୁ । "

ପୁରୀ ଜିଲା କ୍ରୀଡା ଅଧିକାରି ଚନ୍ଦନ ସାହୁ କହିଛନ୍ତି," କିଶୋରକୁ ନେଇ ଆମେ ଉତ୍ସାହିତ । ପୁରୀରେ ବିଭିନ୍ନ ଖେଳରେ ଥିବା କ୍ରୀଡା ବିତ କିଶୋରଙ୍କୁ ଦେଖି ଉତ୍ସାହିତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୁରୀରେ ଜଗନ୍ନାଥ ଷ୍ଟାଡିୟମ୍ ନିର୍ମାଣ ଶେଷ ହୋଇଛି । ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ରହିଛି । ଆଗାମୀ ଦିନରେ ପୁରୀ ଜିଲ୍ଲାରୁ ଆହୁରି ଅନେକ କିଶୋର ବାହାରି ଦେଶ, ରାଜ୍ୟର ଗୌରବ ବଢାଇବେ ବୋଲି ପୁରୀ ଜିଲା କ୍ରୀଡା ଅଧିକାରି କହିଚନ୍ତି ।"

କିଶୋରଙ୍କୁ ସ୍ଵାଗତ କରିବା ପାଇଁ ତାଙ୍କର ପରିବାର ଲୋକ ଶ୍ରୀ ମନ୍ଦିରକୁ ଆସିଥିଲେ । କିଶୋରଙ୍କୁ ନେଇ ସେମାନେ ବେଶ୍ ଖୁସି, ଗର୍ବିତ ବୋଲି ପରିବାର ଲୋକେ କହିଛନ୍ତି । ଏହା ପରେ ସେ ନିଜ ଜନ୍ମ ମାଟି ପୁରୀ ବ୍ରହ୍ମଗିରିର କୋଠସାହୀ ଗ୍ରାମବାସୀ ଯିବେ ସେଠାରେ ତାଙ୍କୁ ସ୍ଵାଗତ ପାଇଁ ସବୁ ବ୍ୟବସ୍ଥା କରା ଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.