ETV Bharat / state

Kartik Month: ଆରମ୍ଭ ହେଲା ଧର୍ମମାସ, ଜାଣନ୍ତୁ କାର୍ତ୍ତିକବ୍ରତ ଓ ବାଳଧୂପର ମାହାତ୍ମ୍ୟ

author img

By ETV Bharat Odisha Team

Published : Oct 29, 2023, 7:24 PM IST

କାର୍ତ୍ତିକ ମାସ ଆରମ୍ଭ ହେବା ସହ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ । କେବେଠୁ ଆରମ୍ଭ ହେଲା ବାଳଧୂପ ନୀତି ? କ'ଣ ରହିଛି ଏହା ପଛର କଥାବସ୍ତୁ ? ଜାଣନ୍ତୁ

Kartik Month
Kartik Month

Kartik Month

ପୁରୀ: ଓଡ଼ିଆ ସଂସ୍କୃତିର ଶାସ୍ତ୍ର ଓ ପୁରାଣ ଅନୁଯାୟୀ କାର୍ତ୍ତିକ ମାସ ହେଉଛି ବର୍ଷର ଶ୍ରେଷ୍ଠ ମାସ । ଏହାକୁ ଧର୍ମମାସ ନାମରେ ମଧ୍ୟ ଜଣାଯାଏ । ଏହି ମାସର ପର୍ବ-ପର୍ବାଣୀ ଏବଂ ଓଷାବ୍ରତ ଭିତରେ କାର୍ତ୍ତକବ୍ରତ ଅନ୍ୟତମ । ତେବେ କାର୍ତ୍ତିକ ମାସ ଆରମ୍ଭ ହେବା ସହ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ । କାର୍ତ୍ତିକ ମାସକୁ ସନାତନ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି ଗ୍ରହଣ କରାଯାଏ । ଏହି ଅବସରରେ ମହାପ୍ରଭୁ ଭକ୍ତମାନଙ୍କୁ ରାଧାଦାମୋଦର ବେଶରେ ସକାଳେ ଦର୍ଶନ ଦିଅନ୍ତି । ମହାବାହୁଙ୍କ ଏହି ବେଶ ଦର୍ଶନ କଲେ ପୂଣ୍ୟ ମିଳିଥାଏ ।

ତେବେ କାର୍ତ୍ତିକ ମାସ ଅବସରରେ ପୁରୀ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ଓ ହବିଷ୍ୟାଳୀଙ୍କ ସମାଗମ ହୋଇଛି । ତେବେ କାର୍ତ୍ତିକ ମାସରେ ଯିଏ କାର୍ତ୍ତିକ ବ୍ରତ କରି ରାଧାଦାମୋଦରଙ୍କୁ ପୂଜା କରି ମହାପ୍ରଭୁଙ୍କ ନାମ ସ୍ମରଣ କରିଥାଏ ସେ କୋଟି ପୂଣ୍ୟ ହାସଲ କରିଥାଏ ବୋଲି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଶରତ ମହାନ୍ତି କହିଛନ୍ତି । ଏହି କାର୍ତ୍ତିକ ମାସରେ ମହାପ୍ରଭୁଙ୍କର ଏକ ସ୍ବତନ୍ତ୍ର ନୀତି ବାଳଧୂପ ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପରେ ଏହି ଭୋଗ ଅନୁଷ୍ଠିତ ହେଇଥାଏ । ଏହି ଭୋଗରେ ଖଇ, ଲିଆ, ନଡ଼ିଆ, ସୋଲା, ମୁଗ, ବିଭିନ୍ନ ଫଳ ଭୋଗ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ....Kartik Month: ଆରମ୍ଭ ହେଲା ହବିଷ୍ୟାଳୀଙ୍କ ପବିତ୍ର କାର୍ତ୍ତିକ ବ୍ରତ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ତେବେ ଏହି ବାଳଧୂପ ପଛରେ ରହିଛି ଏକ ସୁନ୍ଦର କଥାବସ୍ତୁ । ଦିନେ ଗଜପତି ପ୍ରତାପ ରୁଦ୍ର ଦେବଙ୍କୁ ମହାପ୍ରଭୁଙ୍କ ପୁଷ୍ପାଳକ ସେବକ ମହାପ୍ରଭୁଙ୍କ ଏକ ମାଳ ପ୍ରଦାନ କରିଥିଲେ । ସେହି ମାଳରୁ ଏକ କେଶ ବାହାରି ଥିଲା । ଯାହାକୁ ନେଇ ଗଜପତି କ୍ରୋଧାନ୍ୱିତ ହୋଇ ସେବକକୁ ଦଣ୍ଡ ଦେବା ପାଇଁ କହିଥିଲେ । ଏଥିରେ ସେବକ ଜଣକ ଡରିଯାଇ ଏହା ମହାପ୍ରଭୁଙ୍କ କେଶ ବୋଲି କହିଥିଲେ । ପରେ ରାଜା ସେବକକୁ ମହାପ୍ରଭୁଙ୍କ କେଶ ଦେଖାଇବା ପାଇଁ କହିଥିଲେ । ଏହି କଥା ସେବକ ଜଣଙ୍କ ମହାପ୍ରଭୁଙ୍କୁ ଜଣାଇବା ସହ ରାଜାଙ୍କ ଠାରୁ ନିଜକୁ ବଞ୍ଚେଇ ବାକୁ ଗୁହାରି କରିଥିଲେ । ପରଦିନ ଗଜପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ମଥାରେ କେଶ ଦେଖିଥିଲେ । ଏହା ସତ କି ମିଛ ପରୀକ୍ଷା ପାଇଁ ଗଜପତି ସେହି କେଶକୁ ଜୋରରେ ଟାଣି ଦେଇଥିଲେ । ପରେ ମହାପ୍ରଭୁଙ୍କ ମଥାରୁ ରକ୍ତ ବାହାରି ଆସିଥିଲା । ସଙ୍ଗେ ସଙ୍ଗେ ଗଜପତି ମହାପ୍ରଭୁଙ୍କୁ ଭୁଲ ମାଗିବା ସହ କ୍ଷମା ପ୍ରାର୍ଥନା କରିଥିଲେ । ଏହା ପରେ ଗଜପତି ପ୍ରତାପ ରୁଦ୍ରଦେବ କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଇଁ ବାଳଧୂପ ନୀତି ପ୍ରଚଳନ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.