ETV Bharat / state

ବିଫଳ ବସୁଧା ଯୋଜନା, ପାଣି ପାଇଁ ଦହଗଞ୍ଜ ବାରେଶବାହାଲି ଗାଁ ଲୋକେ

author img

By

Published : Jun 7, 2023, 3:30 PM IST

ନୂଆପଡା ଜିଲ୍ଲା ବାରେଶବାହାଲି ଗାଁର ଉପରପଡା ସାହିରେ ପାଣି ସମସ୍ୟାକୁ ନେଇ ହନ୍ତସନ୍ତ ଗ୍ରାମବାସୀ । ଅଧିକ ପଢନ୍ତୁ

drinking water problem
drinking water problem

ପାଣି ପାଇଁ ଦହଗଞ୍ଜ ବାରେଶବାହାଲି ଗାଁ ଲୋକେ

ନୂଆପଡା: ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ଗାଁରେ ନଳକୂପ କିମ୍ବା ଟ୍ୟାପ୍‌ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇ ଥାଏ । ଖରା ପୂର୍ବରୁ ଖରାପ ଥିବା ନଳକୂପଗୁଡିକୁ ମରାମତି ମଧ୍ୟ କରାଯାଇଥାଏ । କିନ୍ତୁ ନୂଆପଡା ଜିଲ୍ଲା ବାରେଶବାହାଲି ଗାଁର ଉପରପଡା ସାହିରେ ପାଣି ସମସ୍ୟା ଦେଖିବାକୁ ମିଳିଛି । ଅସହ୍ୟ ଗ୍ରୀଷ୍ମ ତାତି ସାଙ୍ଗକୁ ଜଳକଷ୍ଟ ଗାଁ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଇଛି ।

ଜିଲ୍ଲା ସଦର ମହୁକମାଠାରୁ 85 କିଲୋମିଟର ଦୂରତାରେ ରହିଛି ବାରେଶବାହାଲି ଗାଁ । ଗାଁର ଉପରପଡ଼ା ସାହିରେ ବାସ କରନ୍ତି ପାଖାପାଖି 300ରୁ ଊର୍ଦ୍ଧ୍ବଲୋକ । ହେଲେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ରହିଛି ମାତ୍ର 2 ନଳକୂପ । ସେଥି ମଧ୍ୟରୁ ଗୋଟିଏ ନଳକୂପ ଅଚଳ ଥିବା ବେଳେ ଆଉ ଗୋଟିଏରେ କେବଳ ଫ୍ଲୋରାଇଡ ଯୁକ୍ତ ବିଷାକ୍ତ ପାଣି ନିର୍ଗତ ହେଉଛି । ଗାଁରେ ଜଳ ସଂକଟ ଥିବା କାରଣରୁ ବାଧ୍ୟ ହୋଇ ଗାଁଲୋକେ ଫ୍ଲୋରାଇଡ ମିଶ୍ରିତ ନଳକୂପ ପାଣି ପିଉଛନ୍ତି । ଫଳରେ ଅଣ୍ଟା ଗୋଡ ବ୍ୟଥାରେ ପୀଡିତ ହେଉଥିବା ନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି । ନିଅଣ୍ଟିଆ ଉପରପଡ଼ା ସାହି ଲୋକେ ଜଳ ଆବଶ୍ୟକତା ପୂରଣ ନେଇ ବାଧ୍ୟ ହୋଇ ନିକଟସ୍ଥ ପୋଖରୀର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଖରା ଦାଉ ସାଙ୍ଗକୁ ଏପଟେ ପାଣି ମୁନ୍ଦାଏ ପାଇଁ ଲୋକଙ୍କୁ ନାନା ହଇରାଣ ହେବାକୁ ପଡ଼ୁଥିବା ବେଳେ ଗାଁ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପାନୀୟ ଜଳ ସମସ୍ୟାର ହେବ ସମାଧାନ; ଗଜପତିରେ 379.18 କୋଟିର ପ୍ରକଳ୍ପ ମଞ୍ଜୁର

ଅନ୍ୟପଟେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୀମାନ୍ତ ବାରେଶବାହାଲି ଗାଁ ନଦୀ ତଟରେ ବସୁଧା ଯୋଜନାରେ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯାଇଛି । ହେଲେ ପାଣି ଟାଙ୍କି ନିର୍ମାଣ ସମୟରେ ବିଭାଗୀୟ ଇଞ୍ଜିନିୟରଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ସମ୍ପୂର୍ଣ୍ଣ ଗାଁକୁ ପାଇପ ଯୋଗେ ପାଣି ସପ୍ଲାଏ ହୋଇ ପାରୁନାହିଁ । କେବଳ ଗାଁର ତଳପଡା ସାହି ଲୋକଙ୍କୁ ପାଣି ସପ୍ଲାଏ ହେଉଥିବା ବେଳେ ଉପରପଡା ସାହି ଲୋକେ ଦେଖଣା ହାରି ସାଜିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଗାଁ ଲୋକେ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା ଜଳ ସମସ୍ୟା ପ୍ରତି ସରପଞ୍ଚ ଗୁରୁତ୍ବ ଦେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ସୀମାନ୍ତ ବାରେଶବାହାଲି ଉପରପଡା ସାହି ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ସପ୍ଲାଏ କରିବା ପାଇଁ ବ୍ଲକ ଜନସ୍ୱାସ୍ଥ୍ୟ ବିଭାଗକୁ ଖଡ଼ିଆଳ ବିଡ଼ିଓ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି । ତେବେ ବାରେଶବାହାଲି ଗାଁର ଉପରପଡା ସାହି ଲୋକ ମୁଣ୍ଡଫଟା ଖରାରେ ପାଣି ବୁନ୍ଦାଏ ପାଇଁ ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନ କେବେ ବାରେଶବାହାଲି ଲୋକଙ୍କ ଜଳ ସମସ୍ୟା ଦୂର କରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.