ETV Bharat / state

ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍: ୪ ବାଘ ଛାଲ ଜବତ, ୩ ଗିରଫ

author img

By

Published : Jul 23, 2023, 5:07 PM IST

Updated : Jul 24, 2023, 9:39 AM IST

ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି ବନବିଭାଗ। ଅଭୟାରଣ୍ୟ ଓ ପାଦଦେଶ ଗୁଡିକରେ ଚଢାଉ କରାଯାଉଥିବାବେଳେ 4ଟି ବାଘ ଛାଲ ଜବତ ସହ 3ଜଣ ଗିରଫ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍
ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍

ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବାକୁ ଜୋରଦାର ପ୍ରୟାସ ଚଳାଇଛି ବନବିଭାଗ । ଆଜି ଚଢାଉରେ 4ଟି ବାଘ ଛାଲ ଜବତ ହୋଇଥିବାବେଳେ 3ଜଣଙ୍କୁ ଗିରଫ କରିଛି ବନବିଭାଗ । ଗତ କିଛି ଦିନ ହେବ ଅଭୟାରଣ୍ୟ ଓ ପାଦଦେଶଗୁଡ଼ିକରେ ପୋଲିସ ଓ ବନବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଉଛି । ଦୁଇ ଜଣ ବନବିଭାଗ କର୍ମଚାରୀଙ୍କୁ ଶିକାରୀମାନେ ଗୁଳି କରି ହତ୍ୟା କରିବା ପରେ ପୋଲିସ ଓ ବନବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶଗୁଡିକରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ସର୍ଚ୍ଚ ଅପରେସନ ସମୟରେ ମୟୂରଭଞ୍ଜ ପୋଲିସକୁ ବିଭିନ୍ନ ସମୟରେ ବାରମ୍ବାର ସଫଳତା ମଧ୍ୟ ମିଳୁଛି । ପୋଲିସ ପକ୍ଷରୁ ଚଢାଉ କରାଯାଇ କେତେବେଳେ ବନ୍ଧୁକ କାରଖାନା ଠାବ କରାଯାଉଛି ତ କେତେବେଳେ ଦେଶୀ ବନ୍ଧୁକ ଜବତ କରାଯାଉଛି । ଏହା ସହିତ ଶିକାରୀମାନଙ୍କୁ ବି ଗିରଫ କରିବାରେ ସଫଳ ହେଉଛି ମୟୂରଭଞ୍ଜ ପୋଲିସ । ଏସବୁ ଭିତରେ ବନବିଭାଗକୁ ମଧ୍ୟ ଏକ ବଡ଼ ସଫଳତା ମିଳିଛି । ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ବନବିଭାଗ ଚଢ଼ାଉ କରି ୪ଟି ବାଘ ଛାଲ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ ।

ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ତଥା ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ ବାଘ ଛାଲ ଥିବାର କୌଣସି ସୁତ୍ରରୁ ଖବର ପାଇଥିଲା ପୋଲିସ। ଏନେଇ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ ମିଳିତ ଭାବେ ଏକ ଟିମ୍ ଗଠନ କରିଥିଲେ। ଏହି ଟିମରେ ଉଭୟଙ୍କ ଅଧିନରେ ଥିବା ରେଞ୍ଜ ଅଧିକାରୀ ଓ କର୍ମଚାରୀମାନେ ସାମିଲ ରହିଥିଲେ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏହି ଟିମ ବହଳଦା ଗ୍ରାମରେ ଅତର୍କିତ ଭାବେ ଚଢାଉ କରିଥିଲେ।

ଏହା ମଧ୍ୟ ପଢନ୍ତୁ...ଆନ୍ତଃରାଜ୍ୟ ବନ୍ୟପ୍ରାଣୀ ତସ୍କରୀଙ୍କ ଚାଲ୍, କଳାହାଣ୍ଡିରୁ ଜବତ ହେଲା ବାଘ-ହରିଣ ଛାଲ

ଚଢ଼ାଉ ସମୟରେ ସେଠାରୁ ୪ ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାର ସୂଚନା ରହିଛି । ଏହାସହ ବାଘ ଛାଲ କାରବାରରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ ଜବତ କରାଯାଇଛି । ତେବେ କେବେ ଓ କେଉଁଠାରେ ଏହି ବାଘଗୁଡିକୁ ଶିକାର କରାଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ସେପଟେ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ କହିଛନ୍ତି, "ସବିଶେଷ ତଥ୍ୟ ସାମ୍ବାଦିକ ସମ୍ମିଳନୀ ଯୋଗେ ପ୍ରଦାନ କରାଯିବ ।"

ଇଟିଭି ଭାରତ, ମୟୁରଭଞ୍ଜ

Last Updated : Jul 24, 2023, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.