ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ଶିକାର ଘଟଣା: ଜଣେ ଅଭିଯୁକ୍ତ ଗିରଫ

author img

By

Published : Apr 21, 2023, 4:35 PM IST

ଶିକାରୀଙ୍କ ଭୂସ୍ବର୍ଗ ପାଲଟିବାରେ ଲାଗିଛି ଶିମିଳିପାଳ ଜଙ୍ଗଲ । ଅସୁରକ୍ଷିତ ପଶୁ । ଦନ୍ତହାତୀକୁ ହତ୍ଯା କରିବା ଏବଂ ଦାନ୍ତ ଚୋରି କରିବା ଅଭିଯୋଗରେ ଜଣେ ଗିରଫ, ତିନି ଫେରାର । ଅଧିକ ପଢ଼ନ୍ତୁ

ଚାରୋଟି ହାତୀଦାନ୍ତ ସହ ଜଣେ ଅଭିଯୁକ୍ତ ଗିରଫ, ତିନି ଜଣ ଫେରାର
ଚାରୋଟି ହାତୀଦାନ୍ତ ସହ ଜଣେ ଅଭିଯୁକ୍ତ ଗିରଫ, ତିନି ଜଣ ଫେରାର

ଚାରୋଟି ହାତୀଦାନ୍ତ ସହ ଜଣେ ଅଭିଯୁକ୍ତ ଗିରଫ, ତିନି ଜଣ ଫେରାର

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ବଢୁଛି ପଶୁ ଶିକାର । ହାତୀର ଦାନ୍ତଠାରୁ ଆରମ୍ଭ କରି ବାଘ ନଖ ଓ ଚର୍ମର ତସ୍କରୀ କରୁଛନ୍ତି ଶିକାରୀ । ଶିମିଳିପାଳ ଜଙ୍ଗଲ ଏବେ ଶିକାରୀଙ୍କ ଭୂସ୍ବର୍ଗ ପାଲଟି ଥିବା ମନେ ହେଉଛି । ଫଳରେ ଏଠାରେ ବନ୍ୟ ଜନ୍ତୁ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ବନବିଭାଗକୁ ଖୁଲମଖୁଲା ଚ୍ୟାଲେଞ୍ଜ କରି ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ଦନ୍ତାହାତୀକୁ ହତ୍ୟା କରିବା ସହ ଦାନ୍ତଗୁଡ଼ିକୁ କାଟି ନେଇ ଯାଉଛନ୍ତି । ଗତ ଡିସେମ୍ବର ମାସ 2022ରେ ଦୁଇଟି ଦନ୍ତାଙ୍କୁ ହତ୍ୟାକରି ଦନ୍ତାଙ୍କ ଦାନ୍ତ କାଟି ନେଇଥିଲେ ଶିକାରୀ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପୂର୍ବରୁ ଦନ୍ତା ହାତୀ ଶିକାର କରିଥିବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ । ତା ସହିତ ଚାରୋଟି ବଡ଼ବଡ଼ ହାତୀ ଦାନ୍ତକୁ ଜବତ କରିବାରେ ସଫଳ ହୋଇଛି ।

ଗୋଗିନେନି କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି , "ଶିମିଳିପାଳ ଅଭୟାରଣ୍ୟର ଜେନାବିଲ୍‌ ରେଞ୍ଜ ଅନ୍ତର୍ଗତ ବକୁଆ ଅଞ୍ଚଳରେ ଦନ୍ତାହାତୀକୁ ଶିକାର କରି ଶିକାରୀମାନେ ଦାନ୍ତ କାଟି ନେଇ ଯାଇଥିଲେ । ଘଟଣା ବନ ବିଭାଗ ଜାଣିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ହାତୀକୁ ପୋଡ଼ି ଦେବା ସହିତ ହାଡ଼ ଏବଂ ପାଉଁଶକୁ ନିକଟସ୍ଥ ଏକ ନାଳରେ ଭସାଇ ଦେଇଥିଲେ । ଏହାକୁ ନେଇ ବନବିଭାଗର ଏକ ସ୍ବତନ୍ତ୍ର ୫୦ ଜଣିଆ ଟିମ୍‌ ତଦନ୍ତ କରିଥିଲା । ଟିମ୍‌ର ତଦନ୍ତ ବେଳେ, ହାତୀ ପୋଡ଼ା ଯାଇଥିବା ସ୍ଥାନ ଚିହ୍ନଟ କରାଯାଇଥିଲା । ଏହାସହ କିଛି ହାଡ଼ ଜବତ କରିବା ପରେ ଘଟଣାରେ ସଂପୃକ୍ତ ଥିବା ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ତା ସହିତ ଦନ୍ତା ହାତୀଟିକୁ ହତ୍ୟା କରିଥିବା ଶିକାରୀଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିଲା ।"

ସେହିପରି ଚଳିତ ୨୦୨୩ ମସିହା ଫେବୃଆରୀ ମାସରେ ଗୁରୁଣ୍ଡିଆ ଓ ପିଠାବଟା ରେଞ୍ଜ୍‌ ଅନ୍ତର୍ଗତ ବାଲିଖାଳ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତାହାତୀକୁ ହତ୍ୟା କରିବା ସହିତ ଦାନ୍ତ କାଟି ନେଇ ଯାଇଥିଲେ ଶିକାରୀ। ଦୁଇଟି ଘଟଣାକୁ ବନବିଭାଗ ଗୁରୁତ୍ୱର ସହ ଗ୍ରହଣ କରି ଏକ ତଦନ୍ତ ଜାରି ରଖିଥିବା ସହିତ ଶିକାରୀମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରିଥିଲା । ଦୁଇଟି ହାତୀ ମୃତ୍ୟୁ ଘଟଣାରେ ଚାରୋଟି ହାତୀ ଦାନ୍ତ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗୁରୁବାର ଗିରଫ କରିଛି ବିଭାଗ । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ୩ ଜଣ ଖସି ପଳାଇ ଯିବାରେ ସକ୍ଷମ ହୋଇଥିବା ବେଳେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ହେଲେ ଯଶିପୁର ଥାନା ଅଧୀନ ବାଗଡେଗା, ଗଡ ଶିମିଳିପାଳର ରଘୁନାଥ ପିଙ୍ଗୁଆ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.