ETV Bharat / state

ବିଭିନ୍ନ ଦଫା ଦାବିରେ ମୟୂରଭଞ୍ଜରେ ଡ୍ରାଇଭର ସଂଘ ଆନ୍ଦୋଳନ

author img

By ETV Bharat Odisha Team

Published : Jan 7, 2024, 8:11 AM IST

Drivers Association protest in Mayurbhanj: ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରିବା ସହ ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନରେ ମୟୂରଭଞ୍ଜ ଡ୍ରାଇଭର ସଂଘ । ଡ୍ରାଇଭରଙ୍କୁ ପେନସନ ପ୍ରଦାନ, ସୁରକ୍ଷା ଆଇନ, ବୀମା ପ୍ରଦାନ ଭଳି ନାନା ଦାବି ରଖିଛି ଡ୍ରାଇଭର ସଂଘ । ଅଧିକ ପଢନ୍ତୁ

ହିଟ୍ ଆଣ୍ଡ ରନ୍ ଆଇନକୁ ରଦ୍ଦ ଦାବି ସହ ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନରେ ମୟୂରଭଞ୍ଜ ଡ୍ରାଇଭର ସଂଘ
ହିଟ୍ ଆଣ୍ଡ ରନ୍ ଆଇନକୁ ରଦ୍ଦ ଦାବି ସହ ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନରେ ମୟୂରଭଞ୍ଜ ଡ୍ରାଇଭର ସଂଘ

ହିଟ୍ ଆଣ୍ଡ ରନ୍ ଆଇନକୁ ରଦ୍ଦ ଦାବି ସହ ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନରେ ମୟୂରଭଞ୍ଜ ଡ୍ରାଇଭର ସଂଘ

ରାଇରଙ୍ଗପୁର: ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରିବା ସହ ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନ କରିଛି ମୟୂରଭଞ୍ଜ ଡ୍ରାଇଭର ସଂଘ । କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ନେଇ ଡ୍ରାଇଭର ମହାସଂଘ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେବା ସହିତ ଏହାକୁ ତୀବ୍ର ବିରୋଧ କରାଯାଇଛି । ଏନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଡ୍ରାଇଭର ମହାସଂଘ । ଏହାର ପ୍ରଭାବ ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଛି । ଶନିବାର ରାଇରଙ୍ଗପୁର, ବାରିପଦା, ଉଦଳା ଓ କରଞ୍ଜିଆ ଠାରେ ଡ୍ରାଇଭରମାନେ ଆନ୍ଦୋଳନରେ ବସିଥିବା ଦେଖାଯାଇଛି ।

ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକରେ ଶାନ୍ତିପୂର୍ଣ୍ଣ ଭାବରେ ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ରାସ୍ତାଘାଟ ଶୂନଶାନ ଥିବା ଦେଖିବାକୁ ମିଳିଛି । କାଁ ଭାଁ କିଛି ଗାଡିମଟର ଚାଲିଥିବା ବେଳେ ଡ୍ରାଇଭର ମହାସଂଘ ତରଫରୁ ଉକ୍ତ ଗାଡ଼ିମଟରର ଚାଳକମାନଙ୍କୁ ଦାବି ପୂରଣ ନ ହେବା ଯାଏଁ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ନିବେଦନ କରାଯାଇଛି । ତେବେ ବସ୍ ଟ୍ରକ ସହିତ ଛୋଟ ଛୋଟ ଗାଡ଼ିଗୁଡ଼ିକ ମଧ୍ୟ ଚଳାଚଳ ବନ୍ଦ ଥିବାରୁ ଏହାର ସିଧାସଳଖ ପ୍ରଭାବ ଯାତ୍ରୀମାନଙ୍କ ଉପରେ ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ...ଷ୍ଟିୟରିଂ ଛାଡ଼ର ପ୍ରଭାବ: ଅନୁଗୋଳରେ ବସ ଚଳାଚଳ ଠପ, ଲୋକେ ହନ୍ତସନ୍ତ

ଏଥିସହିତ ଆଉ କିଛି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ସେଗୁଡିକ ମଧ୍ୟରୁ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବା, ଗାଡ଼ିଗୁଡ଼ିକର ପାର୍କିଂ ବ୍ୟବସ୍ଥା ସହ ଡ୍ରାଇଭରମାନଙ୍କ ବିଶ୍ରାମ ନେବା ପାଇଁ ବିଶ୍ରାମାଗାର ଏବଂ ଶୌଚାଳୟ ପ୍ରତି ୧୦୦ କିଲୋମିଟର ଦୂରରେ ନିର୍ମାଣ କରାଯିବା, ୫୫ ବର୍ଷ ପରେ ଡ୍ରାଇଭରଙ୍କୁ ପେନସନ ପ୍ରଦାନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବୀମା ରାଶି, ଦୁର୍ଘଟଣାରେ ଶାରୀରିକ ଅକ୍ଷମ ହେଉଥିବା ଡ୍ରାଇଭରଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ରାଶି ଓ ସଡ଼କ ଦୁର୍ଘଟଣାରେ ଗୁରୁତର ବା ଆହତ ଡ୍ରାଇଭରମାନଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦେବା, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ବାସଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ, ସେମାନଙ୍କ ଛୁଆପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।

ଏଥିସହ ରାଜରାସ୍ତାରେ ପ୍ରଶାସନ ପକ୍ଷରୁ ଡ୍ରାଇଭରମାନଙ୍କୁ ହଇରାଣ କରାନଯିବା, ଲାଇସେନ୍ସ ପାଇଁ ୧୫,୦୦୦ ଟଙ୍କା ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ବେଳେ ଯେହେତୁ ରାଜ୍ୟରେ ଗରିବ ଶ୍ରେଣୀର ଅଧିକାଂଶ ଡ୍ରାଇଭର ଅଛନ୍ତି ସେନେଇ କମରୁ କମ୍ ମୂଲ୍ୟ ଲାଇସେନ୍ସ ପାଇଁ ଧାର୍ଯ୍ୟ କରିବାକୁ ସରକାରଙ୍କ ନିକଟରେ ଦାବି ରଖି ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ହିଟ୍ ଆଣ୍ଡ ରନ୍ ଆଇନର ପୁନର୍ବିଚାର ସହ ଉକ୍ତ ଦାବି ସବୁ ପୂରଣ ନହେଲେ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖାଯିବ ବୋଲି ଚେତାବନୀ ଦେଇଛି ମୟୂରଭଞ୍ଜ ଜିଲ୍ଲାର ଡ୍ରାଇଭର ମହାସଂଘ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.