ନାଟକ କର୍ମଶାଳା ଉଦ୍ଯାପିତ: ତେନ୍ତୁଳିଗୁଡାର ସଫଳ ଝିଅର କାହାଣୀ କ୍ଷୁଦ୍ର ନାଟକ ପ୍ରଦର୍ଶିତ

ନାଟକ କର୍ମଶାଳା ଉଦ୍ଯାପିତ: ତେନ୍ତୁଳିଗୁଡାର ସଫଳ ଝିଅର କାହାଣୀ କ୍ଷୁଦ୍ର ନାଟକ ପ୍ରଦର୍ଶିତ
ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ସମାଜ । ଆଗ ଭଳି ମହିଳା କେବଳ ଘରକୋଣେ ନୁହେଁ, ପଦାକୁ ଗୋଡ କାଢିଛନ୍ତି । ଏମିତି ଏକ ଖବର ସାମ୍ନାକୁ ଆସିଛି କୋଟରାପୁଟ ଜିଲ୍ଲାରୁ । ଅଧିକ ପଢନ୍ତୁ
କୋରାପୁଟ: ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ସମାଜ । ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଜଣେ ମହିଳା ନିଜର ପରିଚୟ ସୃଷ୍ଟି କରିପାରିନି, ଏପରି କୌଣସି କାର୍ଯ୍ୟ ନାହିଁ ଯାହା ଜଣେ ମହିଳା କରିନାହାଁନ୍ତି । ଆଗଭଳି ମହିଳା କେବଳ ଘରକୋଣରେ ବସୁନାହାନ୍ତି ବରଂ ପଦାକୁ ଗୋଡ କାଢିଛନ୍ତି । ଏମିତି ଏକ ଖବର ସାମ୍ନାକୁ ଆସିଛି କୋଟରାପୁଟ ଜିଲ୍ଲାରୁ । ଜଣେ ଝିଅର ସଫଳତାକୁ ନେଇ ଅନ୍ୟ ଏକ ଝିଅର ନିର୍ଦ୍ଦେଶନାରେ କୁନିକୁନି ଶିଶୁମାନେ ପରିବେଷଣ କରିଛନ୍ତି ଏକ ନାଟକ ।
ସମୟକ୍ରମେ ଝିଅଙ୍କୁ ଅଭିନୟ କରିବାର ସୁଯୋଗ ମିଳିଛି । ଏନେଇ କୋରାପୁଟରେ ଚାଲିଥିବା ନାଟକ କର୍ମଶାଳାର ଉଦଯାପନୀ ଉତ୍ସବରେ ନାଟ୍ୟଚେତନାର ପ୍ରତିଷ୍ଠାତା ତଥା ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଏହି ମତ ପ୍ରକାଶ କରିଛନ୍ତି । ୧୯୯୪ ମସିହାରେ ନାଟ୍ୟଚେତନା ଦ୍ବାରା ନାଟ୍ୟ ନିର୍ଦ୍ଦେଶନା ସମ୍ପର୍କରେ ତାଲିମ ପାଇଥିବା ଝିଅ ସୁଜାତା ପ୍ରିୟମ୍ବଦା ବର୍ତ୍ତମାନ କୋରାପୁଟ ସାଂସ୍କୃତିକ ପରିଷଦର କିଛି ଝିଅ କଳାକାରଙ୍କ ଦ୍ଵାରା ତେନ୍ତୁଳିଗୁଡାର ଝିଅ ଅଞ୍ଜଳି ସୁନାଙ୍କ ସଫଳତାର କାହାଣୀକୁ ନେଇ ଏକ ନାଟକ ପରିବେଷଣ କରିଥିଲେ ।
ଏକ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହେବା ନାଟକ ପ୍ରଦର୍ଶନ କ୍ଷେତ୍ରରେ ନାରୀର ବୃଦ୍ଧି ପାଇଥିବା ଅଂଶଗ୍ରହଣର ଏକ ଜ୍ୱଳନ୍ତ ଉଦାହରଣ ବୋଲି ନିର୍ଦ୍ଦେଶକ ମତ ରଖିଛନ୍ତି । ଏହି ସମଗ୍ର ପ୍ରକ୍ରିୟାରେ ଝିଅ ମାନେ ନାଟକର ବିଷୟକୁ ଚୟନ କରିବା, ନିର୍ଦ୍ଦେଶନା ଦେବା ଓ ଅଭିନୟ କରିବା ଝିଅ ପିଲାଙ୍କ ମଧ୍ୟରେ ଥିବା ଅମାପ ସମ୍ଭାବନା ପ୍ରତି ଦୃଷ୍ଟି ଆକର୍ଷଣ କରିଛି ବୋଲି କୋରାପୁଟ ସାଂସ୍କୃତିକ ପରିଷଦର ସଭାପତି ଶିବ ପ୍ରସାଦ ରଥ ଜଣାଇଛନ୍ତି ।
ଗାଁ ପାଖରେ ନଦୀର ଜଳଧାରାକୁ ଦେଖିବା ପାଇଁ ଆସିଥିବା ତତ୍କାଳୀନ ଜଳସମ୍ପଦ ଅଧିକାରୀଙ୍କୁ ଭେଟି ଗାଁକୁ ଏକ ପୋଲର ଆବଶ୍ୟକତା ସମ୍ପର୍କରେ ଜଣାଇବା ପରେ ଅଞ୍ଜଳିର କଥା ରଖି ପୋଲଟିଏ ନିର୍ମିତ ହୋଇଥିଲା । ନିଜ ସଫଳତାର କାହାଣୀ ଯେ ଦିନେ ନାଟକର ବିଷୟବସ୍ତୁ ପାଲଟିଯିବ ତାହା ସ୍ବପ୍ନରେ ମଧ୍ୟ ଭାବି ପାରିନଥିଲେ ବୋଲି ଅଞ୍ଜଳି ସୁନା ଜଣାଇଥିବାବେଳେ, ଏହି ନାଟକ ମାଧ୍ୟମରେ ଆହୁରି ଅନେକ ଝିଅ ଗାଁର ଉନ୍ନତିକରଣ ପାଇଁ ଅନୁପ୍ରାଣିତ ହେବେ ବୋଲି ଅଞ୍ଜଳି ଆଶା ପୋଷଣ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
