ETV Bharat / state

କୋରାପୁଟର ବିରଳ କଳାଜିରା ଧାନକୁ ମିଳିବ ଜିଆଇ ମାନ୍ୟତା

author img

By ETV Bharat Odisha Team

Published : Sep 2, 2023, 7:13 AM IST

କୋରାପୁଟିଆ କଳା ଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ । ମାନ୍ୟତା ପାଇଁ ତାଲିକାଭୁକ୍ତ କରାଯାଇଛି । କୋରାପୁଟରେ ଖୁସିର ଲହର । ଅଧିକ ପଢନ୍ତୁ

କୋରାପୁଟିଆ କଳା ଜିରା ଧାନକୁ ମିଳିଲା ଜିଆଇ ଟ୍ୟାଗ
କୋରାପୁଟିଆ କଳା ଜିରା ଧାନକୁ ମିଳିଲା ଜିଆଇ ଟ୍ୟାଗ

କୋରାପୁଟ: କୋରାପୁଟ ପାଇଁ ଗର୍ବର ବଢାଇଲା କୋରାପୁଟିଆ ବିରଳ ଧାନ କଳାଜିରା । କୋରାପୁଟର କଫି, ଝାଡୁ, ସାବୁନ ଓ ହଳଦୀ ପରେ ବିରଳ ଧାନ କୋରାପୁଟିଆ କଳାଜୀରା ଜିଆଇ ଟ୍ୟାଗ ପାଇବାକୁ ଯାଉଛି । ଓଡିଶାର 7 ଉତ୍ପାଦକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବ ବୋଲି ତାଲିକାଭୁକ୍ତ କରାଯାଇଛି । ସେ ଗୁଡିକ ହେଲା ଓଡିଶାର ଖଜୁରି ଗୁଡ, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର, ଢେଙ୍କାନାଳର ମଗଜ ଲଡୁ, ଶିମିଳିପାଳର କାଇଚଟଣୀ, ନୟାଗଡର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆଙ୍କ ହାତବୁଣା ଚାଦର । ଆସନ୍ତା 3 ମାସ ମଧ୍ୟରେ ଏସବୁ ଉତ୍ପାଦ ଗୁଡିକ ଉପରେ କୌଣସି ଆପତ୍ତି ଅଭିଯୋଗ ନଆସିଲେ ଜିଆଇ ଟ୍ୟାଗ ମିଳିବ ବୋଲି ଜଣାପଡିଛି ।

କୋରାପୁଟର କଳାଜିରା ଚାଉଳ ବିଶେଷ କରି ଖିରି ଓ ବିରିୟାନୀ ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇ ଲୋକ ଲୋଚନରେ ବେଶ ଆଦୃତ ହୋଇଛି । ଏହି ଧାନରେ ପ୍ରାକୃତିକ ଦୁର୍ବିପାକକୁ ସହ୍ୟ କରିବାର ଦକ୍ଷତା ଅନ୍ୟାନ୍ୟ ଧାନ ଅପେକ୍ଷା ଢେର୍ ଅଧିକ ବୋଲି କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜୈବ ବିବିଧତା ବିଭାଗରେର ଅଧ୍ୟୟନରୁ ଜଣାପଡିଛି । କୋରାପୁଟ ଜିଲ୍ଲାର 160 ପ୍ରକାରର ଧାନର ଗୁଣବତ୍ତାକୁ ନେଇ ବିଶ୍ଵବିଦ୍ୟାଳୟରେ ଗବେଷଣା କରିଥିଲା । ତେବେ କଳା ଜିରା ଧାନରେ ବିଭିନ୍ନ ଔଷଧୀୟ ଗୁଣ ରହିଥିବା ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ରିପୋର୍ଟରେ ଦର୍ଶାଯାଇଛି । ଯାହାକୁ ନେଇ ମାର୍କେଟରେ ଏହା ଧାନର ଚାହିଦା ବେଶ ଅଧିକ ରହିଛି ।

ଏହି ଧାନ କୋରାପୁଟରେ ବହୁଳ ଭାବେ ଚାଷ କରାଯାଉଥିବା ବେଳେ ଦିନକୁ ଦିନ ଏହାର ଆଦର ଜିଲ୍ଲା ବାହାରର ବଜାର ସମେତ ଜାତୀୟ ବଜାରରେ ମଧ୍ୟ ଆଦୃତ ହେବାରେ ଲାଗିଛି । ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୪୦ରୁ ୧୫୫ଦିନରେ ଏହା ଚାଷ ହେଉଛି । ଏହି ବିରଳ ଧାନରକୁ ଅନ୍ତର୍ଜାତୀୟ ବଜାରରେ ସ୍ଥାନ ଦେବା ପାଇଁ ଜିଆଇ ମାନ୍ୟତା ପ୍ରଦାନକୁ ନେଇ ଜିଲ୍ଲାପ୍ରଶାସନ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପ୍ରୟାସ କରାଯାଇଥିଲା । ଏହାକୁ ଜିଆଟି ଟ୍ୟାଗ ମିଳିବା ନେଇ ତାଲିକାଭୁକ୍ତ ହେବା ପରେ କୋରାପୁଟରେ ଖୁସିର ଲହରୀ ଖେଳିଯାଇଛି ।

ଅଧିକ ପଢନ୍ତୁ: GI ଟ୍ୟାଗ ଦୌଡରେ କୋରାପୁଟ କଳାଜିରା, ପ୍ରକ୍ରିୟା ଆରମ୍ଭ

ଏବେ ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ଟି ବ୍ଲକରେ ଏହି ଧାନ ଚାଷ ହେଉଛି । ମୁଖ୍ୟତଃ ଆଦିବାସୀ ମହିଳା ଏହି ବିରଳ ଧାନ ଚାଷ କରି ରୋଜଗାର କ୍ଷମ ହୋଇ ପରିଛନ୍ତି । କୋରାପୁଟ ଜିଲ୍ଳାର ୧୪ଟି ବ୍ଲକ‌ରେ ୧୮୦୦ ଚାଷୀ କଳାଜିରା ଧାନ ଚାଷ କରୁଥିବା ବେଳେ ବ‌ାର୍ଷିକ ୧୦୦ କୁଇଣ୍ଟାଲ ଧାନ ଅମଳ ହେଉଥିବା ଜଣାପଡିଛି । ବିରଳ ଧାନ ସଂରକ୍ଷଣରେ କୋରାପୁଟ ପରିଚିତ ହୋଇ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ଜିଲ୍ଲା ପ୍ରଶାସନ ଆଉ ଏକ ପାଦ ଆଗକୁ ଆସି କଳାଜିରା ଧାନ ଭଳି ଅନ୍ୟ ବିରଳ ଧାନ ଗୁଡ଼ିକୁ ପ୍ରୋମୋଟ କରିବା ଉଚିତ୍ । ଯାହାଫଳରେ ବିଲୁପ୍ତ ହେବା ପୁର୍ବରୁ ଚାଷୀଙ୍କୁ ଉତ୍ସାହିତ କରିବା ସହ ବଜାରିକରଣ ବ୍ୟବସ୍ଥା କଲେ ଅନେକ ବିରଳ କିସମର ଧାନ ଓଡ଼ିଶା ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.