ETV Bharat / state

ବୋରିଗୁମ୍ମା ଠାରେ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ

author img

By

Published : Feb 1, 2023, 12:24 PM IST

କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ । ଗାଁର ମଙ୍ଗଳ କାମନା କରି ଏହି ଯାତ୍ରା କରାଯାଏ । ଅଧିକ ପଢନ୍ତୁ

ବୋରିଗୁମ୍ମା ଠାରେ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ
ବୋରିଗୁମ୍ମା ଠାରେ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ

ବୋରିଗୁମ୍ମା ଠାରେ ପ୍ରସିଦ୍ଧ ବାଲିଯାତ୍ରା

କୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଠାରେ ମାଘ ମଣ୍ଡେଇ ସହ ଅଞ୍ଚଳର ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବାଲିଯାତ୍ରା ୩ ବର୍ଷରେ ଥରେ ପାଳିତ ହୋଇଥାଏ । ଗାଁର ମଙ୍ଗଳ କାମନା କରି ରଙ୍ଗୀନ ଆଲୋକ, ତୋରଣ ସାଜସଜ୍ଜା ସହ ଗ୍ରାମଦେବଙ୍କ ପୀଠରେ ଭୈରବଙ୍କୁ ପୂଜା କରାଯାଏ । ତିନି ବର୍ଷରେ ଥରେ ଅନୁଷ୍ଠିତ ଏହି ବାଲିଯାତ୍ରା ପାଇଁ କମିଟି ସଭାପତି, ସରପଞ୍ଚ, କମିଟି ସଦସ୍ୟଙ୍କ ଦ୍ବାରା ପୂର୍ବରୁ ତିଥି ଓ ସମୟ ସ୍ଥିର ହୋଇଥିଲା ।

ପରମ୍ପରା ଅନୁଯାୟୀ, ୯ ଦିନ ପୂର୍ବରୁ ବାଲିରାମ୍ପା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଗ୍ରାମର ମହିଳାମାନେ ବାଜା ବାଜଣା ନାଚଗୀତ ସହ ଶହ ଶହ ଚାଙ୍ଗୁଡ଼ିରେ ବାଲି ଘରକୁ ଆଣି ପୂଜାର୍ଚ୍ଚନା କରିବା ପରେ ଗ୍ରାମର ପ୍ରତି ଘରୁ ମଗା ଯାଇଥିବା ଶସ୍ୟ ବିରି, ମାଣ୍ଡିଆ, ମକା, ବାଜରା, କୋଳଥ ଇତ୍ୟାଦି ବୁଣା ଯାଇଥିଲା । ପୂଜକ ପ୍ରତିଦିନ ସକାଳୁ ଧୂପ ଦୀପ ଦେଇ ପୂଜାପାଠ କରିବା ପରେ ବାଲିଘରୁ ଶସ୍ୟରୁ ଗଜା ହୋଇଥିବା ବାଲି ଚାଙ୍ଗୁଡ଼ିକୁ ଏକ ବିରାଟ ପଟୁଆରରେ ଗ୍ରାମ ଠାକୁରାଣୀ ମନ୍ଦିର ନିକଟ ବାଲିପଡ଼ିଆକୁ ଅଣାଯାଇ କାଠରେ ନିର୍ମିତ ଯୁଗଳ ମୂର୍ତ୍ତିକୁ ସ୍ଥାପିତ କରିଥିଲେ । ଏଥିରେ ମୁଖ୍ୟ ପୂଜାରୀ, ଶିରା ପ୍ରମୁଖ ଉପସ୍ଥିତ ରହି ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ଦେବାଦେବୀଙ୍କ ପୂଜାପାଠ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ନୂଆପଡ଼ାରେ ଉପସ୍ଥିତି ଜାହିର କଲେ ଲାଲ ବାହିନୀ, ମାଓ ପୋଷ୍ଟର ଦେଖି ଛାନିଆ ଲୋକେ

ବିଶ୍ୱାସ ରହିଛି ଯେ, ଗ୍ରାମର ଦେବାଦେବୀଙ୍କୁ ପୂଜାପାଠ କରି ସନ୍ତୁଷ୍ଟ କଲେ ଅଞ୍ଚଳରେ ରୋଗ ବ୍ୟାଧି, ମହାମାରୀ ଆସେ ନାହିଁ ଓ ଚାଷବାସ ଭଲ ହୋଇଥାଏ । ଗ୍ରାମର ମଙ୍ଗଳ ହେବା ସହ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ବିଶ୍ୱାସ କରି ଲୋକମାନେ ପରମ୍ପରା ଅନୁଯାୟୀ କାହିଁ କେଉଁ କାଳରୁ ଏହି ବାଲି ପର୍ବ ପାଳନ କରି ଆସୁଛନ୍ତି । ବାଲିଯାତ୍ରାରେ ମନ୍ଦିର କମିଟି ତରଫରୁ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ଭକ୍ତଙ୍କ ନିମନ୍ତେ ଉଚିତ୍ ବ୍ୟବସ୍ଥା କରାଯାଇଛି । ଏଥିରେ ଗ୍ରାମର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାହାଯ୍ୟ ସହଯୋଗ କରିଛନ୍ତି । ଏହି ଯାତ୍ରାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ନେତା, ଯୋଗ ଦେଇଥିଲେ । ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ମଧ୍ୟ ଭିଡ ଜମାଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.