ETV Bharat / state

Women's reservation Bill: ସରୁନି ଶ୍ରେୟ ରାଜନୀତି, ସମସ୍ତେ କହୁଛନ୍ତି ଆମ ପ୍ରୟାସ

author img

By ETV Bharat Odisha Team

Published : Sep 24, 2023, 6:29 PM IST

ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ସରୁନି ରାଜନୀତି । ଶ୍ରେୟ ନେବା ପାଇଁ ସମସ୍ତେ ପ୍ରସ୍ତୁତ । 50 ହଜାର ଗାଁରେ ବିଜେପି କରିବ କାର୍ଯ୍ୟକ୍ରମ । ରାଜୀବ ଗାନ୍ଧୀଙ୍କୁ ମନେ ପକାଇଲା କଂଗ୍ରେସ । ବିଜେଡି କହିଲା ମୁଖ୍ୟମନ୍ତ୍ରୀ ପ୍ରଥମ ପ୍ରୟାସ କରିଥିଲେ । ଅଧିକ ପଢନ୍ତୁ

ପାସ ହେଲା ମହିଳା ସଂରକ୍ଷଣ ବିଲ୍‌, ଶ୍ରେୟ ନେବା ପାଇଁ ସମସ୍ତେ କରୁଛନ୍ତି ଦାବି
ପାସ ହେଲା ମହିଳା ସଂରକ୍ଷଣ ବିଲ୍‌, ଶ୍ରେୟ ନେବା ପାଇଁ ସମସ୍ତେ କରୁଛନ୍ତି ଦାବି

Women's reservation Bill: ସରୁନି ଶ୍ରେୟ ରାଜନୀତି, ସମସ୍ତେ କହୁଛନ୍ତି ଆମ ପ୍ରୟାସ

ଭୁବନେଶ୍ବର: ଦେଶର ରାଜନୀତି ତଥା ଜନ ପ୍ରତିନିଧିତ୍ବ କ୍ଷେତ୍ରରେ ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ସଂସଦରେ ପାରିତ ହେଲା ବହୁଚର୍ଚ୍ଚିତ ‘ମହିଳା ସଂରକ୍ଷଣ ବିଲ’ । ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ମୋଟ ଆସନର 33 ପ୍ରତିଶତ ସଂରକ୍ଷିତ ରହିବ । ହେଲେ ଏହି ଆଇନ 2024 ସାଧାରଣ ନିର୍ବାଚନରେ ଲାଗୁ ହେବା ଏକପ୍ରକାର ସମ୍ଭବପର ନୁହେଁ । ଏହାରି ମଧ୍ୟରେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଶ୍ରେୟ ରାଜନୀତି ଜାରି ରହିଛି । ଏହି ବିଲକୁ ନିଜର ଅଭିମୁଖ୍ୟ ଓ ସଫଳତା ବୋଲି ଓଡିଶାର ତିନି ପ୍ରମୁଖ ରାଜନୈତିକ ଦଳ ତଥା ଶାସକ ବିଜେଡି, ବିରୋଧୀ ଦଳ ବିଜେପି ଓ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଦାବି କରୁଛନ୍ତି ।

କେନ୍ଦ୍ରରେ ଶାସନରେ ଥିବା ଓ ରାଜ୍ୟରେ ବିରୋଧୀ ଦଳ ଆସନରେ ଥିବା ଭାରତୀୟ ଜନତା ପାର୍ଟି କହିଛି, ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଶକ୍ତି ଏବଂ ମହିଳାଙ୍କ ସଶକ୍ତିକରଣ ଚିନ୍ତାଧାରା ପାଇଁ ଏହା ସମ୍ଭବ ହେଲା । ହେଲେ କଂଗ୍ରେସ କହିଛି ଏହା କଂଗ୍ରେସର ବରଦାନ । କଂଗ୍ରେସ ବହୁପୂର୍ବରୁ ଚିନ୍ତା କରି ମହିଳାଙ୍କ ସଂରକ୍ଷଣ ପାଇଁ ଆଭିମୁଖ୍ୟ ରଖିଥିଲା ।

ପ୍ରଦେଶ କଂଗ୍ରେସ ସଭାପତି କହିଛନ୍ତି, 1989ରେ ରାଜୀବ ଗାନ୍ଧୀଙ୍କ ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ କଂଗ୍ରେସ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସଂରକ୍ଷଣ କାର୍ଯ୍ୟକାରୀ କରିଥିଲା । କଂଗ୍ରେସ ମୂଳରୁ ଏହାକୁ ସମର୍ଥନ କରୁଥିଲା । ଯଦି ବିଜେପିର ଆନ୍ତରିକତା ଅଛି ତାହେଲେ ଜନଗଣନା କାହିଁ କରିନଥିଲେ । ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଗଣନା ନକରି କେମିତି ସଂରକ୍ଷଣ ଦେବେ ? କେବଳ ଆଗକୁ ନିର୍ବାଚନ ଥିବାରୁ ଭୋଟ ପାଇଁ ପ୍ରଚାର କରୁଛନ୍ତି ।

ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ନେଇ କ୍ରମାଗତ ପ୍ରୟାସ କରିଥିଲେ । କେନ୍ଦ୍ର ନିକଟରେ ଦୀର୍ଘ ବର୍ଷ ହେବ ଦାବି ରଖିଥିଲେ । ତାହା ଆଜି ଫଳପ୍ରଦ ହୋଇଛି । ଏହି ଦାବି କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ । ଏହି ବିଲ୍‌ ପାସ ହେବାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଯିବ । ବିଜେପି ଖାଲି ବାହସ୍ପଟ ମାରିବା ସହ ଭୋକ ବିକଳରେ ତାଟିଆ କାମୁଡୁଛି’’ ।

ଏହା ମଧ୍ୟ ପଢନ୍ତୁ:- କାଲିଠୁ ଘରେ ଘରେ ହାତ, ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସର ପଦଯାତ୍ରା

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଗାଁ ଗାଁରେ ପ୍ରଚାର କରିବ ବିଜେପି । ଭୁବନେଶ୍ବରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଛନ୍ତି, ରାଜ୍ୟର ୫୦ ହଜାର ଗାଁରେ ଛୋଟ ସଭା କରି ଅବଗତ କରାଯିବ । ଲୋକସଭାରେ ୮୧ ଜଣ ମହିଳା ସଦସ୍ୟ ଅଛନ୍ତି । ଏହି ଆଇନ ଲାଗୁ ହେଲା ପରେ ମହିଳା ସଦସ୍ୟ ସଂଖ୍ୟା ୧୮୨କୁ ବଢ଼ିବ । ଓଡ଼ିଶାରେ ୧୮ଜଣ ବିଧାୟିକା ଅଛନ୍ତି, ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହା ୨୦୨୬ ପରେ ହିଁ ଲାଗୁ କରାଯିବ । ସମ୍ବିଧାନ ଅନୁଯାୟୀ ଭାରତରେ ଡିଲିମିଟେସନ (ସୀମା ପୁନଃନର୍ଦ୍ଧାରଣ) ୨୦୨୬ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । କୋରୋନା ସଂକ୍ରମଣ କାରଣରୁ ୨୦୨୧ ରେ ମଧ୍ୟ ଜନଗଣନା ହୋଇପାରିନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.