ETV Bharat / state

ରାଜ୍ୟରେ ସକ୍ରିୟ ମୌସୁମୀ, ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

author img

By

Published : Jun 25, 2023, 7:12 PM IST

ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା

ପାଣିପାଗ ସୂଚନା

ଭୁବନେଶ୍ବର: ବାୟୁମଣ୍ଡଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ରଟି ଘୂର୍ଣ୍ଣିବଳୟର ସମାନ ଅଞ୍ଚଳରେ ଅର୍ଥାତ୍ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି । ଏହାସହ ବାୟୁମଣ୍ଡଳରେ ଏକ ନିମ୍ନ ଚାପରେଖା ମଧ୍ୟ ରହୁଛି । ପାଣିପାଗର ଏହି ଦୁଇ ନିୟାମକକୁ ନେଇ ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଅନ୍ୟପଟେ ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ବିସ୍ତୃତି ବର୍ଷା ହେବ । ରବିବାର ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷାର ସମ୍ଭାବନାକୁ ନେଇ ୫ ଜିଲ୍ଲା ଯେପରିକି ସୋନପୁର, ବୌଦ୍ଧ, ବଲାଙ୍ଗୀର ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହା ବ୍ୟତୀତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ନବରଙ୍ଗପୁର, ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି ।

ସେପଟେ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଦୁଇ ଦିନ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ୨୭.୩ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୯ ମିମି ତୁଳନାରେ ୨୦୫ ପ୍ରତିଶତ ଅଧିକ । ୧୧ଟି ସ୍ଥାନରେ ୧୦୦ରୁ ୧୮୦ ପ୍ରତିଶତରୁ ଅଧିକା ବର୍ଷା ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ୧୦୬.୩ ମିମି ବର୍ଷା ରେକର୍ଡ କରାଯାଇଛି ।

ତେବେ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ସହର ଅଞ୍ଚଳରେ ତୀବ୍ର ବର୍ଷା ସମୟରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ । ମାଟିତଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ରହିଛି । ତଳୁଆ ଚାଷଜମି ଗୁଡ଼ିକରେ ପାଣି ଜମିବାର ସମ୍ଭାବନା ଥିବାରୁ ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.