ETV Bharat / state

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ

author img

By ETV Bharat Odisha Team

Published : Jan 4, 2024, 10:28 PM IST

Utkal University: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରୌପ୍ୟଜୟନ୍ତୀ ପାଳିତ । ଓଡ଼ିଶାର ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ କରିବା ପାଇଁ ସମସ୍ତଙ୍କ ପ୍ରୟାସ ଉପରେ ଆଲୋଚନା । ଅଧିକ ପଢନ୍ତୁ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଏହାର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟଜୟନ୍ତୀ ପାଳନ କରିଛି । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତି ଯେ ଓଡ଼ିଶାର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ଵ ଦରବାରରେ ଅନନ୍ୟ ଅଟେ । ଏହାର ସଂରକ୍ଷଣ କରିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖିବା ଆବଶ୍ୟକ ଅଟେ । ବିଭିନ୍ନ ଐତିହ୍ୟର ସଂରକ୍ଷଣ ସହ ଆଧୁନିକତାର ତାଳେ ତାଳେ ପାଦଦେଇ ଚାଲିବା ସମୟର ଆହ୍ବାନ ବୋଲି ସେ କହିଛନ୍ତି । ରାଜ୍ୟର ସାଂସ୍କୃତିକ ବିକାଶରେ ଛାତ୍ରଛାତ୍ରୀମାନେ ଆତ୍ମବିଶ୍ବାସ ଓ ନିଷ୍ଠାର ସହିତ ବିଭିନ୍ନ କାର୍ଯ୍ୟ କରିବେ ବୋଲି ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପଦ୍ମବିଭୂଷଣ ସୁଦର୍ଶନ ସାହୁ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟରେ ଗବେଷଣା ଓ ଅଧ୍ୟାପନା କାର୍ଯ୍ୟକୁ ଆଗେଇ ନେବାକୁ ଗୁରୁତ୍ଵ ଦେଇଛନ୍ତି ।

ଅନ୍ୟାନ୍ୟ ଦେଶ ଗୁଡ଼ିକର କଳା ସଂସ୍କୃତି କିଭଳି ଭାବରେ ଆମ ଦେଶର ସଂସ୍କୃତି ସହିତ ଆମର ଐତିହ୍ୟ ସଂଯୋଗ କରାଯାଇପାରିବ ଏଥି ନିମନ୍ତେ ଅନବରତ ଉଦ୍ୟମ ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହା ସହ ଓଡ଼ିଶାର ସାଂସ୍କୃତିକ ବିକାଶଧାରାରେ ଏହି ବିଶ୍ବବିଦ୍ୟାଳୟର ଗୁରୁଦାୟିତ୍ବ ରହିଛି । ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଜ ନିଜର କଳାତ୍ମକ ପ୍ରତିଭାର ସୁଯୋଗକୁ ସଦୁପଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସୂଚନା ଅନୁଯାୟୀ, ବିଶ୍ବବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ବିଶ୍ବବିଦ୍ୟାଳୟରେ ନୂତନ କରି ସାଂସ୍କୃତିକ ଐତିହ୍ୟ ଓ ସୁରକ୍ଷା ଏବଂ ସଂଗ୍ରହାଳୟ ବିଜ୍ଞାନ ଦୁଇଟି ନୂତନ ସ୍ନାତକୋତ୍ତର ବିଭାଗ ଖୋଲିବା ସହ ସୁନନ୍ଦା ପଟ୍ଟନାୟକ, ସାରଳା ଦାସ, ଭୀମଭୋଇ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ଚାରୋଟି ଚେୟାର ପ୍ରତିଷ୍ଠା କରାଯାଇଛି । ଏହା ସହ ବିଭିନ୍ନ ବିଭାଗରେ ଜାତୀୟ ସ୍ତରରେ କୃତିତ୍ବ ହାସଲ କରିଥିବା ଛାତ୍ରୀ ଅମ୍ବିକା ନନ୍ଦ ଓ ଛାତ୍ର ହିମାଂଶୁ ମହନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହା ମଧ୍ୟ ପଢନ୍ତୁ ... ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୫୮ତମ ପ୍ରତିଷ୍ଠା ଦିବସ, କବି ହରପ୍ରସାଦ ପାଇଲେ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାର

ସୂଚନା ଯୋଗ୍ୟ ଯେ ଓଡିଆ ସଂସ୍କୃତି ସମ୍ପର୍କରେ ବିଦେଶରେ ରହୁଥିବା ଓଡିଆ ମାନେ ମଧ୍ୟ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ଏକ ୬ ମାସିଆ ଅନଲାଇନ ସାର୍ଟିଫିକେଟ କୋର୍ସ କରିପାରିବେ । ଏଥିରେ ଜଗନ୍ନାଥ ସଂସ୍କୃତି , ଓଡିଆ ପର୍ବ ପର୍ବାଣୀ , ଓଡିଆ ସାହିତ୍ୟ ଭଳି ବିଷୟ ରହିବ । ସପ୍ତାହନ୍ତରେ ଏହାର କ୍ଲାସ ରହିବା ସହ ଅନଲାଇନ ମାଧ୍ୟମରେ ଆଡମିସନ ସହ କ୍ଲାସ ମଧ୍ୟ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.