ETV Bharat / state

ଓଡ଼ିଶାକୁ କେବେ ବି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳିପାରିବ ନାହିଁ: କେନ୍ଦ୍ର ଅର୍ଥମନ୍ତ୍ରୀ

author img

By

Published : Feb 17, 2023, 9:55 PM IST

ଭୁବନେଶ୍ବରରେ ଆୟୋଜିତ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପରେ ସାମ୍ବାଦିକ ସମ୍ମିଳନାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ମିଳିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ମନରେଗା ସମସ୍ୟା, ଆବାସ ବିବାଦ, ଅଦାନୀ ପ୍ରସଙ୍ଗ, ପେଟ୍ରୋଲକି GST ପରିସର ଭୁକ୍ତ କରିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ବର: ବଜେଟ ପରବର୍ତ୍ତୀ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୁବନେଶ୍ବରରେ ଆୟୋଜିତ ଆଲୋଚନାଚକ୍ର ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏଥିରେ ମୋଦି ସରକାରଙ୍କ ସମୟରେ MSP ଦରରେ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଏହା ସହ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା, ମନରେଗା ସମସ୍ୟା, ଆବାସ ବିବାଦ, ଅଦାନୀ ପ୍ରସଙ୍ଗ, ପେଟ୍ରୋଲକି GST ପରିସର ଭୁକ୍ତ କରିବା ପ୍ରସଙ୍ଗରେ ମଧ୍ୟ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, "ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଏକ ଚାହିଦାଭିତ୍ତିକ ଯୋଜନା । ଲୋକଙ୍କ ଚାହିଦା ବଢ଼ିଲେ ବ୍ୟୟ ବରାଦ ବଢ଼ିବ । ନରେନ୍ଦ୍ର ମୋଦି ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ବିନିଯୋଗ ହେଉଛି । ଯାହା ପୂର୍ବରୁ କେନ୍ଦ୍ର ସରକାର ସମୟରେ ହେଉନଥିଲା । କିଛି ରାଜ୍ୟ ଏବେ ଏହାକୁ ନେଇ ପ୍ରସଙ୍ଗ କରୁଛନ୍ତି । କିନ୍ତୁ ଏମିତି ବି ରାଜ୍ୟ ଅଛନ୍ତି, ଯେଉଁ ମାନଙ୍କୁ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ମଧ୍ୟ ଖର୍ଚ୍ଚ କରିପାରୁନାହାନ୍ତି ।"

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଦାନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଷ୍ଟେଟ ବ୍ୟାଙ୍କ ଓ ସେ ମଧ୍ୟ ଯାହା କହିବା କଥା କହି ସାରିଛନ୍ତି ।" ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ୍ ହେବନାହିଁ ବୋଲି ସେ କହିଛନ୍ତି । ସେହିପରି ପେଟ୍ରୋଲିୟମ ଉତ୍ପାଦକୁ GSTରେ ସାମିଲ କରିବା ନେଇ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, "ପେଟ୍ରୋଲିୟମ ଉତ୍ପାଦକୁ GSTରେ ସାମିଲ ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି । କେବଳ କେଉଁ ହାରରେ GST ଲାଗିବ, ତାହା ଧାର୍ଯ୍ୟ ହୋଇପାରୁନାହିଁ । ଏନେଇ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ବ GST ହେଉଛି କାଉନସିଲ୍‌ର । ଯେଉଁଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି ।"

ଚଳିତ ବଜେଟରେ LPG ପାଇଁ ମାତ୍ର ୨୦୦ କୋଟି ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର । ଉଜ୍ବଳା ଯୋଜନାରେ କମ ଅର୍ଥ ବ୍ୟୟ ବରାଦ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, "ଏହା କେନ୍ଦ୍ରର ସବୁଠାରୁ ଭଲ ଯୋଜନା । ଦେଶର ସମସ୍ତ ଟାର୍ଗେଟ ସଂଖ୍ୟକ ହିତାଧିକାରୀଙ୍କୁ ନୂଆ ସିଲିଣ୍ଡର ଦିଆସରିଛି । ଗରିବ ଲୋକ ଏହି ଯୋଜନାରେ ଅଧିକ ଲାଭବାନ ହୋଇଛନ୍ତି । ଏହା କେବଳ ନୂଆ ସଂଯୋଗ ପ୍ରଦାନ ପାଇଁ ଉଦ୍ଦିଷ୍ଟ ।" ଏହା ଗ୍ରାହକଙ୍କୁ ସବ୍‌ସିଡ ପ୍ରଦାନ ପାଇଁ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଚଳିତ ବଜେଟରେ ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯାଇଛି । ପ୍ରାୟ ୨୦ ହଜାର କୋଟି ଏହି କ୍ଷେତ୍ରରେ କମିଥିବା ଜଣାପଡିଛି । ଯାହାକୁ ନେଇ ଆନ୍ଦୋଳନ କରୁଛନ୍ତି ଓଡିଶା ସରକାର । ପାଣ୍ଠି କମାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ମୋଦି ସରକାରଙ୍କ ଅମଳରେ ଚାଷୀଙ୍କ ଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି । ତାହା ପୁଣି MSP ଦରରେ ସଂଗ୍ରହ ହୋଇଛି । ଯାହା ପୂର୍ବରୁ ଅନ୍ୟ କୌଣସି ସରକାରଙ୍କ ଅମଳରେ ହୋଇନଥିଲା ।"

ସେହିପରି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ଧକ୍କା ଲାଗିଛି । ଓଡ଼ିଶାକୁ କେବେ ବି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳିପାରିବ ନାହିଁ ବୋଲି ସିଧାସଳଖ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି । ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇଛି । ସେହିପରି ବିଭିନ୍ନ ପିଏସୟୁରେ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି । ତେବେ ୨୦୨୩/୨୪ରେ ପୁଞ୍ଜି ପ୍ରତ୍ୟାହାର ଲାଗି ପ୍ରସ୍ତୁତ ତାଲିକାରେ ନାଲ୍‌କୋର ନାଁ ନାହିଁ । ତେଣୁ ଏବର୍ଷ ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାର ହେବନାହିଁ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.