ETV Bharat / state

ଦାମ କହିଲେ ନବୀନଙ୍କ ବିକଳ୍ପ ନାହିଁ, ସୁର କହିଲେ କଂଗ୍ରେସ

author img

By

Published : Jan 9, 2023, 7:27 PM IST

୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପକୁ ନେଇ ଚର୍ଚ୍ଚା ଜୋର ଧରିଛି । ନବୀନଙ୍କ ବିକଳ୍ପ କେହି ନଥିବା କହିଛନ୍ତି ବରିଷ୍ଠ ନେତା ଦାମ ରାଉତ । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କଂଗ୍ରେସକୁ ଉଭୟ ମୋଦି ଓ ନବୀନଙ୍କ ବିକଳ୍ପ କହିଛନ୍ତି । ସେପଟେ ଧର୍ମେନ୍ଦ୍ର ପ୍ରଧାନ ବିକଳ୍ପ ହୋଇପାରନ୍ତି ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

no alternate leader for Naveen Patnaik
ନବୀନ ପଟ୍ଟନାୟକଙ୍କ ବିକଳ୍ପକୁ ନେଇ ଚର୍ଚ୍ଚା

ଦାମ କହିଲେ ନବୀନଙ୍କ ବିକଳ୍ପ ନାହିଁ

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ରହିଛି ବିଜେଡି । ତେବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ କିଏ । ଦଳ ଭିତରେ ହେଉ ଅବା କଂଗ୍ରେସ କିମ୍ବା ବିଜେପିରେ ନବୀନଙ୍କ ବିକଳ୍ପ କେହି ଅଛି କି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରଶ୍ନ ଏବେ ପୁଣି ଆଲୋଚନାର ପ୍ରସଙ୍ଗ ହୋଇଛି । ରାଜନୀତିରେ ନବୀନ ଥିବା ପର୍ଯ୍ୟନ୍ତ ତାଙ୍କ ସ୍ଥାନ ବିଜେଡିରୁ କେହି ନେଇ ପାରିବେନାହିଁ । ତେବେ କଂଗ୍ରେସ କିମ୍ବା ବିଜେପିରୁ ଆସନ୍ତା ନିର୍ବାଚନ ପୂର୍ବରୁ କେହି ବିକଳ୍ପ ଆସିବେ ନା ପୁଣି ରାଜ୍ୟରେ ନବୀନଙ୍କ ଶାସନ ଜାରି ରହିବ, ସେନେଇ ଏବେ ଖୋଜା ଚାଲିଛି ଉତ୍ତର ।

'କୌଣସି ଦଳରେ ନାହାନ୍ତି ନବୀନଙ୍କ ବିକଳ୍ପ'- ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, "ଓଡିଶାରେ ବିଜେଡି ଭିତରେ ନବୀନଙ୍କ ବିକଳ୍ପ କେହି ନାହାନ୍ତି । ନବୀନ ଯେତେବେଳେ ରାଜନୀତିକୁ ଆସିଥିଲେ ସେତେବେଳେ ମଧ୍ୟ କେହି ବିକଳ୍ପ ନଥିଲେ । ବିଜୁ ବାବୁଙ୍କ ପରଲୋକପରେ ମଧ୍ୟ କେହି ବିକଳ୍ପ ନଥିଲେ । ନିଜର କାମ, ନିଷ୍ଠାପରତା ଯୋଗୁଁ ନବୀନ ବିକଳ୍ପ ହୋଇପାରିଲେ । ଠିକ ସେହିପରି ନବୀନ ଚଳଚଞ୍ଚଳ ଥିବା ପର୍ଯ୍ୟନ୍ତ ତାଙ୍କର କେହି ବିକଳ୍ପ ନାହାନ୍ତି । ଏପରିକି କଂଗ୍ରେସ ଏବଂ ବିଜେପିରେ ମଧ୍ୟ କେହି ବିକଳ୍ପ ନାହାନ୍ତି ।" ୨୦୨୪ ନିର୍ବାଚନରେ ନବୀନ ପୁଣି ଜିତି କରି ଆସିବେ ଏବଂ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ଦାମୋଦର ରାଉତ ।

'ନବୀନଙ୍କ ବିକଳ୍ପ କଂଗ୍ରେସ'- ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ନବୀନଙ୍କ ବିକଳ୍ପ ହେଉଛି କଂଗ୍ରେସ । କେନ୍ଦ୍ରରେ ନରେନ୍ଦ୍ର ମୋଦି ହୁଅନ୍ତୁ କିମ୍ବା ରାଜ୍ୟରେ ନବୀନ ପଟ୍ଟନାୟକ । ଲୋକେ ନିଷ୍ପତ୍ତି ନେଇସାରିଛନ୍ତି । ଉଭୟ ବିଜେଡି ଓ ବିଜେପିର ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ ।" ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ରରେ ଓ ରାଜ୍ୟରେ କଂଗ୍ରେସ ବିଜୟ ଲାଭ କରିବା ସହ ସରକାର ଗଠନ କରିବ ବୋଲି ସୁର କହିଛନ୍ତି ।

'ବିକଳ୍ପ ହୋଇପାରନ୍ତି ଧର୍ମେନ୍ଦ୍ର'- ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ ଲୋକେ ଖୋଜୁଛନ୍ତି ନବୀନଙ୍କ ବିକଳ୍ପ । କିନ୍ତୁ ପାଉନାହାନ୍ତି । ଗଣତନ୍ତ୍ରରେ ବିକଳ୍ପ ନଆସିଲେ ରାଜନୀତି କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ରବି ଦାସ କହିଛନ୍ତି, "ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଔପଚାରିକ ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ନେତାଙ୍କ ଭିତରେ ଚର୍ଚ୍ଚା ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ନବୀନଙ୍କ ବିକଳ୍ପ ଭାବେ ସେ ଉଭା ହୋଇପାରନ୍ତି ।" କିନ୍ତୁ ବିଜେଡି ଭିତରେ କୌଣସି ନେତା ନବୀନ ଥିବା ପର୍ଯ୍ୟନ୍ତ ବିକଳ୍ପ ଭାବେ ଆସିବେ ନାହିଁ ବୋଲି କହିଛନ୍ତି ରବି ଦାସ ।

ଯଦି ମାଆ ଭଉଣୀଙ୍କ ଆଶୀର୍ବାଦ ରହେ, ତେବେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡ଼ିଶାରେ ଶାସନରେ ରାଜନୀତିରେ ରହିବେ ବୋଲି କହିସାରିଛନ୍ତି ନବୀନ । କିନ୍ତୁ ଯଦି ନବୀନଙ୍କ ବିକଳ୍ପ ଖୋଜାଯାଏ, ଖୋଲାଖୋଲି ଭାବେ ବିଜେଡି କାହାକୁ ପ୍ରୋଜେକ୍ଟ କରିନାହିଁ । ତେଣୁ ନବୀନଙ୍କ ଅନ୍ତେ ବିଜେଡିର ନେତୃତ୍ବ କିଏ ନେବ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଯଦି ନିର୍ବାଚନରେ କିଛି ଓଲଟପାଲଟ ହୁଏ ଓ ବିଜେପି ସରକାରକୁ ଆସେ ତେବେ ଧର୍ମେନ୍ଦ୍ର ପ୍ରଧାନ ବିକଳ୍ପ ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.