ETV Bharat / state

ମରଣଯନ୍ତା ପାଲଟିଛି ପଳାଶୁଣୀ-ହାଇଟେକ ଛକ ରାସ୍ତା, ମରାମତି ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ

author img

By ETV Bharat Odisha Team

Published : Sep 8, 2023, 5:56 PM IST

ମରଣଯନ୍ତା ପାଲଟିଛି ଭୁବନେଶ୍ବରର ପଳାଶୁଣୀ ରାସ୍ତା । ବାରମ୍ବାର ଦାବି ସତ୍ତ୍ବେ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

public stages protest over road issue
ମରଣଯନ୍ତା ପାଲଟିଛି ଭୁବନେଶ୍ବର ରାଜରାସ୍ତା

ମରଣଯନ୍ତା ପାଲଟିଛି ଭୁବନେଶ୍ବର ରାଜରାସ୍ତା

ଭୁବନେଶ୍ବର: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବିପର୍ଯ୍ୟସ୍ତ ହୋଇପଡ଼ିଛି ଭୁବନେଶ୍ୱରର ରାଜରାସ୍ତା । ରାଜଧାନୀର ପଳାଶୁଣୀ ହାଇଟେକ୍‌ ଛକ ରାସ୍ତାଗୁଡ଼ିକ ମରଣଯନ୍ତା ପାଲଟିଥିବା ବେଳେ ଏହାର ଶୀଘ୍ର ମରାମତି ଦାବିରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ରାସ୍ତା ଅବରୋଧ କରିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପଳାଶୁଣୀ ଫୁଟ ଓଭର ବ୍ରିଜ ନିର୍ମାଣ ଏବଂ ଜାତୀୟ ରାଜପଥ ଅଣ୍ଡରବ୍ରିଜ ବାଇପାସରେ ବର୍ଷାଜଳ ନିଷ୍କାସନ, ବାଇପାସ ଖାଲଖମା ରାସ୍ତାର ତୁରନ୍ତ ମରାମତି ସହ NHAI ନିମ୍ନମାନର କାମ କରିଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇଛନ୍ତି । ଉଭୟ କେନ୍ଦ୍ର ସରକାରଙ୍କ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅବହେଳା ଦର୍ଶାଇ ତାଙ୍କ ବିରୋଧରେ ନାରାବାଜି କରିଛନ୍ତି । ସଂସଦଙ୍କୁ ଏନେଇ ଅନେକ ଥର ଅଭଯୋଗ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେଣୁ ୫ଟି ପଞ୍ଚାୟତର ବାସିନ୍ଦା ଏକାଠି ହୋଇ ପଳାଶୁଣୀ ନିକଟସ୍ଥ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ଅବରୋଧ ଯୋଗୁଁ ୧୦ ମିନିଟ ପାଇଁ ରାସ୍ତାରେ ଅଟକି ରହିଲା ଶହଶହ ଗାଡ଼ି । ଘଟଣାସ୍ଥଳରେ ପୋଲିସ ଆସି ଆନ୍ଦୋଳନକାରୀଙ୍କୁ ବୁଝାଇବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲା । ଏହାପରେ ଲୋକେ ଧାରଣରୁ ଉଠିଥିଲେ । ତେବେ ରାସ୍ତା ମରାମତି ନ ହେବ ଯାଏଁ ଏଭଳି ଅବରୋଧ ଓ ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରାସ୍ତା ଉପରେ ଆଣ୍ଠୁଏ ପାଣି: ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଯନ୍ତ୍ରଣା ଭୋଗୁଛନ୍ତି ଲୋକ

ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ପଳାଶୁଣି ଛକଠାରୁ ହଂସପାଳ ଛକ ମଧ୍ୟରେ ଥିବା ଜାତୀୟ ରାଜପଥ ଖାଲଖମାରେ ପରିପୂର୍ଣ୍ଣ । ପ୍ରତିଦିନ ଖାଲରେ ପଡ଼ି ଅନେକ ଲୋକ ଆହତ ହେବା ସହ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି । ଏନେଇ କେନ୍ଦ୍ର ସରକାର ଏବଂ ଜାତୀୟ ରାଜପଥ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ପଞ୍ଚାୟତ ବାସିନ୍ଦା ଅନେକ ଥର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ ହୋଇପଡ଼ୁଛି । ଏହାସହ ରାସ୍ତା ପାର ହେବା ପାଇଁ ଫୁଟ ଓଭରବ୍ରିଜ୍ ନିର୍ମାଣ କରିବା ଲାଗି ଅନେକ ପୂର୍ବରୁ ଦାବି କରିଥିଲେ ମଧ୍ୟ ତାହା ପୂରଣ ହେଉନି । ଫଳରେ ଲୋକମାନେ ବିପଦପୂର୍ଣ୍ଣ ଭାବରେ ରାସ୍ତା ପାରି ହେଲା ବେଳକୁ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବି ନଜିର ରହିଛି । ତେଣୁ ଏଭଳି ପ୍ରତିବାଦ କରିବାକୁ ବାଧ୍ୟ ହେଲୁ ବୋଲି ଲୋକେ କହିଛନ୍ତି । ତେଣୁ ସରକାର ସମେତ NHAI ଦାବି ଗୁଡ଼ିକୁ ଧ୍ୟାନ ଦେଇ ଓଭରବ୍ରିଜ ଆଣ୍ଡରପାସର ବର୍ଷାଜଳ ନିଷ୍କାସନ, ବାଇପାସ ଖାଲଖମା ରାସ୍ତାର ମରାମତି ସହ ପଳାଶୁଣି ଫୁଟ୍‌ ଓଭରବ୍ରିଜର କାର୍ଯ୍ୟ ସମ୍ପନ୍ନ କରନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନହୁୂଏ ଆଗକୁ ଜୋରଦାର ପ୍ରତିବାଦ କରିବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.