ETV Bharat / state

ବେକାରୀ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ 7 ଦିନର ମହଲତ ଦେଲା ଛାତ୍ର କଂଗ୍ରେସ

author img

By

Published : Jul 14, 2023, 7:46 AM IST

ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଛାତ୍ର କଂଗ୍ରେସ। ଆସନ୍ତା 7 ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନ କରିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ରାଜ୍ୟ ସରକାରଙ୍କୁ ଛାତ୍ର କଂଗ୍ରେସର ଟାର୍ଗେଟ
ରାଜ୍ୟ ସରକାରଙ୍କୁ ଛାତ୍ର କଂଗ୍ରେସର ଟାର୍ଗେଟ

ରାଜ୍ୟ ସରକାରଙ୍କୁ ଛାତ୍ର କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଛାତ୍ର କଂଗ୍ରେସ । ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବାବେଳେ ଯୁବ ବର୍ଗ ଚାକିରି ନମିଳିବାରୁ ପଥଭ୍ରଷ୍ଟ ହୋଇଥିବା ନେଇ କଂଗ୍ରେସ କହିଛି । ଏହାସହ ଯୁବ ବର୍ଗଙ୍କ ଭବିଷ୍ୟତ ଆଜି ଅନ୍ଧକାର ଭିତରକୁ ଠେଲି ହୋଇଯାଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଛାତ୍ର କଂଗ୍ରେସ । ରାଜ୍ୟରେ ବେକାରୀ ସମସ୍ୟା ଏବଂ ସ୍ଥାନୀୟ ନିଯୁକ୍ତି ସମସ୍ୟାର ସମାଧାନ ପାଇଁ ରାଜ୍ୟବ୍ୟାପୀ ନିଯୁକ୍ତି କ୍ରାନ୍ତି କାର୍ଯ୍ୟକ୍ରମ କରିବା ନେଇ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଏନେଇ କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ଏବଂ ଅନ୍ୟ କର୍ମୀଙ୍କ ଉପସ୍ଥିତିରେ ଏହି ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, "ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଏବେ ରାଜ୍ୟରେ ପାଖାପଖି 9 ଲକ୍ଷ ବେକାରୀ ଅଛନ୍ତି ଏବଂ ସୂଚନା ଅଧିକାର ତଥ୍ୟ ଅନୁସାରେ ଗତ 10 ବର୍ଷ ମଧ୍ୟରେ କେତେ ନିଯୁକ୍ତି ହୋଇଛନ୍ତି ତାହା ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ଏବେ ବି ସରକାରୀ ସ୍ତରର ଅନେକ କାର୍ଯ୍ୟାଳୟରେ ପଦବୀ ଖାଲି ପଡ଼ିଥିବାବେଳେ ନିଯୁକ୍ତି ଦିଆଯାଉନାହିଁ । ରାଜ୍ୟର 23 ବର୍ଷର ସରକାର ବେକାରୀ ସମସ୍ୟା ହଟାଇବାରେ ବିଫଳ ହୋଇଛନ୍ତି ।"

ଏହା ସହ ସେ କହିଛନ୍ତି, "୨୩ ବର୍ଷ ଭିତରେ ନବୀନ ସରକାର ୧୫୦ରୁ ଊର୍ଦ୍ଧ୍ବ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ MoU ସ୍ବାକ୍ଷର କରିଛନ୍ତି, ମାତ୍ର ବାସ୍ତବରେ ଏହା ୨୦ ପ୍ରତିଶତ ସଫଳ ହୋଇପାରିନାହିଁ । ଏଣୁ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ନବୀନ ପଟ୍ଟନାୟକ ସରକାର ବିଫଳ ହୋଇଛନ୍ତି । କଂଗ୍ରେସ ଅମଳରେ ହୋଇଥିବା ସୁତାକଳ, ଲୁଗାକଳ, ତେଲକଳ, ଚିନି କଳ ପ୍ରଭୃତି ଏବେ ବନ୍ଦ ହୋଇପଡିଛି । ସେଥିପାଇଁ ରାଜ୍ୟରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଲୋକେ ।" ଏନେଇ ରାଜ୍ୟ ସରକାରଙ୍କ ନିକଟରେ 5 ଦଫା ଦାବି ରଖିଛି ଛାତ୍ର କଂଗ୍ରେସ । ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବିରେ ନିଯୁକ୍ତି ଦେବା, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ 80 ପ୍ରତିଶତ ସ୍ଥାନୀୟ ତଥା ଓଡିଶା ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା, ସରକାରୀ ଚାକିରିରେ ଚୁକ୍ତି ଏବଂ ଠିକା ପ୍ରଥା ବାତିଲ କରାଇବା ଆଦି ପ୍ରମୁଖ ଦାବି ରହିଛି ।

ଏହା ମଧ୍ୟ ପଢନ୍ତୁ...Price Hike: କୃଷିମନ୍ତ୍ରୀଙ୍କ ଘର ଆଗରେ ପରିବା ବିକିଲା ଛାତ୍ର କଂଗ୍ରେସ

ଏହାସହ ଯେଉଁମାନେ ଓଡିଶାକୁ ଫେରି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ କରନ୍ତୁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଆଉ ଯଦି ସରକାର ନିଯୁକ୍ତି ଦେଇପାରୁନାହାନ୍ତି ତେବେ ବେକାରୀ ମାନଙ୍କୁ ମାସିକ 5 ହଜାର ଲେଖାଏଁ ଭତ୍ତା ପ୍ରଦାନ କରନ୍ତୁ ବୋଲି କହି ବର୍ଷିଛି କଂଗ୍ରେସ । 7 ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନ କରିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.