ETV Bharat / state

ଓଡ଼ିଆଙ୍କ ଭାରିପ୍ରିୟ ପଖାଳ, କୋହଲା ପାଗରେ ବି ରାଜଧାନୀରେ ଜମିଲା ପଖାଳ

author img

By

Published : Mar 20, 2023, 8:47 PM IST

ପଖାଳ ପାଇଁ ଦିନଟେ ନୁହେଁ, ପଖାଳରୁ ହିଁ ପ୍ରତି ଓଡ଼ିଆଙ୍କ ଦିନ ଆରମ୍ଭ ହୁଏ । ଖଟିଖିଆର ହାଣ୍ଡିଶାଳ ହେଉ ଅବା ଧନୀ ଲୋକରେ କିଚେନ, ସବୁଠି ମହକେ ପଖାଳ । ଅଧିକ ପଢ଼ନ୍ତୁ

pakhala divas celebrated in bhubaneswar
ଭୁବନେଶ୍ବରରେ ପଖାଳ ଦିବସ ପାଳନ

ଭୁବନେଶ୍ବରରେ ପଖାଳ ଦିବସ ପାଳନ

ଭୁବନେଶ୍ବର: ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ପଖାଳ କେବଳ ଖାଦ୍ୟ ନୁହେଁ, ଓଡ଼ିଆ ଜାତିର ପରିଚୟ । ଆମ ସଂସ୍କୃତି, ଆଉ ଆମ ପରମ୍ପରାର ମୁକସାକ୍ଷୀ । ସେ ଖରା, ବର୍ଷା ହେଉକି ଶୀତ, ପ୍ରତି ଓଡ଼ିଆଙ୍କ ହାଣ୍ଡିଶାଳରେ ପଖାଳ ନିଶ୍ଚୟ ଥିବ । ଖରାଦିନ ହେଲେ ଓଡ଼ିଆର ଘର ମହକେ ପଖାଳ ବାସ୍ନାରେ । ତେଣୁ ପଖାଳ ସହ ତୋରାଣି ଟିକେ ପିଇଦେଲେ, ଲାଘବ ହୁଏ ତୃଷ୍ନା । ଭୋକିଲା ମଣିଷ, ପରିଶ୍ରମୀ ଶ୍ରମିକ ଓ କୃଷକ କି ଖରାରେ ଯାଉଥିବା ପଥିକଟିଏ, ସଭିଙ୍କ ମନ ଖୋଜେ.. କଂସାଏ ପଖାଳ । ସାଙ୍ଗରେ ବଡ଼ିଚୁରା, ଆଳୁ, ବାଇଗଣ ପୋଡ଼ା, ଦିଖଣ୍ଡ ଲଙ୍କା ଓ ପିଆଜ.. ବାସ୍ । ଆଉ କଣ ଦରକାର ଯେ ? ପଖାଳ ହେଉଛି ଓଡ଼ିଆଙ୍କ ଜୀବନ ରେଖା । କି ଧନୀ କି ଗରିବ ଏହା ସମସ୍ତଙ୍କର ପ୍ରିୟ ହେଇଥିବାରୁ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପାଳନ ହୁଏ ବିଶ୍ବ ପଖାଳ ଦିବସ।

ପଖାଳ ଆମ ସଂସ୍କୃତି ଓ ପରମ୍ପରା ଯୋଡି ହେଇ ରହିଥିବା ବେଳେ ସବୁ ଓଡ଼ିଆଙ୍କ ପ୍ରାଣରେ ଏହା ସାଇତା ହୋଇ ରହିଛି । ବିଶ୍ବର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ପଖାଳ ଖାଇ ବେଶ ଆନନ୍ଦ ସରକାରେ ଏହି ଦିବସକୁ ପାଳନ କରିଛନ୍ତି । ଖାଲି ଘରେ କାହିଁକି ଏବେ ବଡ଼ବଡ଼ ରେସ୍ତୋରାଁର ମେନ୍ୟୁରେ ମଧ୍ୟ ସ୍ଥାନ ପାଇଛି । ଆଜିର ପଖାଳ ଦିବସ ଅବସରରେ ଭୁବନେଶ୍ବର ସ୍ଥିତ ବିଜୁପଟ୍ଟନାୟ ହୋଟେଲ ମ୍ୟାନେଜମେଣ୍ଟ କଲେଜର ଛାତ୍ରଛାତ୍ରୀ ବେଶ ଶ୍ରଦ୍ଧା ସରକାରେ ପାଳନ କରିଛନ୍ତି । ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ଶାଗ ଭଜା, ବଡ଼ିଚୁରା, ଆଳୁ ଓ ବାଇଗଣ ଭରତା, ଆମ୍ବ ଚଟଣୀ, କଖାରୁ ଫୁଲର ପିଠା, ମାଛ ବେସର, ଚୁନା ମାଛ ଛେଚା ଏଭଳି ୧୭ ପ୍ରକାରର ବ୍ୟଞ୍ଜନ ସହ ପରସି ଦେଇଛନ୍ତି ପଖାଳ । ମାଟି ପାତ୍ରରେ ତଳେ ବସି ପାରମ୍ପରିକ ଖାଦ୍ୟର ମଜା ନେଇଛନ୍ତି ଅତିଥୀ ।

ପାରମ୍ପରିକ ଦିବସକୁ ଆଧୁନିକତାର ଛୁଙ୍କ ଦେଇ ପଖାଳ ଦିବସ ପାଳୁଛନ୍ତି ଏହି ଛାତ୍ରଛାତ୍ରୀମାନେ । ଆଧୁନିକ ଯୁଗରେ ଓଡ଼ିଆ ସଂସ୍କୃତି ହଜିଯାଉଥିବାବେଳେ ଏହି ପ୍ରୟାସ ଯୋଡ଼ି ରଖିବାରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଖାଲି ଓଡ଼ିଶା ନୁହେଁ, ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢୁଛନ୍ତି ଏବଂ ସେମାନେ ମଧ୍ୟ ପଖାଳ ଖାଇ ଆନନ୍ଦ ଉପଲବ୍ଧି କରିଛନ୍ତି । ଅନ୍ୟପଟେ ଭୁବନେଶ୍ବର ବିଭିନ୍ନ ରେସ୍ତୋରାଁରେ ପଖାଳ ଦିବସ ପାଳନ କରାଯାଉଛି । ପ୍ରେସକ୍ଲବ ଠାରେ ମଧ୍ୟ ଏହି ଦିବସ ପାଳନ ହୋଇଛି । ସବୁଠି ପଖାଳର ଆସର ଜମିଛି । ରାଜଧାନୀର କୋହଲିଆ ପାଗରେ ମଧ୍ୟ ପଖାଳର ମଜା ନେଉଛନ୍ତି ରାଜଧାନୀବାସୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.