ETV Bharat / state

କଥା ଦେଇ କଥା ରଖନ୍ତି ପାଣ୍ଡିଆନ: ସୁଲତା ଦେଓ

author img

By ETV Bharat Odisha Team

Published : Jan 13, 2024, 9:26 AM IST

Updated : Jan 13, 2024, 9:43 AM IST

Madhubabu pension allowance: ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା ବଢ଼ିବ । ଅଙ୍ଗନବାଡ଼ି, ଆଶା କର୍ମୀ ଏବଂ ଅନ୍ୟ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ବଢ଼ିବ ଦରମା । ଅଧିକ ପଢନ୍ତୁ

ଖୁବଶୀଘ୍ର ବଢିବ ହିତାଧିକାରୀଙ୍କ ଭତ୍ତା
Madhubabu pension allowance

Madhubabu pension allowance

ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ବିଜେଡି ସରକାର । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା ବଢ଼ିିବା ସହ ଅଙ୍ଗନବାଡ଼ି, ଆଶା କର୍ମୀ ଓ ଅନ୍ୟ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଦରମା ବଢ଼ିବ । ଏ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସୂଚନା ଦେଇଥିବା ବେଳେ ଅର୍ଥ ବିଭାଗ ପକ୍ଷରୁ ମଧ୍ୟ ସବୁଜ ସଂକେତ ମିଳି ସାରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ଘୋଷଣା କରିବେ ସରକାର । ତେବେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା ୨ ଶହରୁ ୩ ଶହ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

ତେବେ ଗତବର୍ଷ ଅଗଷ୍ଟ ୭ ତାରିଖରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଥଲେ ଓଡ଼ିଶା ସରକାର । ପୂର୍ବରୁ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବାବେଳେ ୪ ଲକ୍ଷ ୧୩ ହଜାର ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ ୩୨ ଲକ୍ଷ ୭୪ ହାଜର ହିତାଧିକାରୀ ରହିଛନ୍ତି । ବର୍ତ୍ତମାନ ରାଜ୍ୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ବର୍ଗ ଲୋକଙ୍କୁ ୫୦୦, ୭୦୦ ଓ ୯୦୦ ଟଙ୍କା ଭତ୍ତା ରାଶି ଦେଉଛନ୍ତି ସରକାର । ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମିଳୁଛି ୭୦୦ ଟଙ୍କା ସହାୟତା । ୪୦ରୁ ୫୯ ପ୍ରତିଶତ ଭିନ୍ନକ୍ଷମଙ୍କୁ ୫୦୦, ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ୭୦୦ ଓ ୮୦ ବର୍ଷରୁ ଅଧିକ ଓ ୬୦ ପ୍ରତିଶରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ୯୦୦ ଟଙ୍କା ଭତ୍ତା ରାଶି ଦେଉଛନ୍ତି ସରକାର । ୨୦୦୮ ଜାନୁଆରୀ ୧ ତାରିଖରେ ଆରମ୍ଭ ହୋଇଥିଲା ମଧୁବାବୁ ପେନସନ ଯୋଜନା । ୨୦୧୯ ଜାନୁଆରୀ ୧ରେ ଶେଷଥର ପାଇଁ ୨୦୦ ଟଙ୍କା ଭତ୍ତାରାଶି ବୃଦ୍ଧି କରିଥିଲେ ସରକାର ।

ଏହା ମଧ୍ୟ ପଢନ୍ତୁ- ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ନୂଆ 4.13 ଲକ୍ଷ ହିତାଧିକାରୀ

ଏନେଇ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, " ମହିଳା ଓ କର୍ମଚାରୀଙ୍କ ସପକ୍ଷରେ ସମସ୍ତ କାର୍ଯ୍ୟ ହେଉଛି । ଶିକ୍ଷା, କ୍ରୀଡା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଘୋଷଣା ହେବା ସହ କାର୍ଯ୍ୟକାରୀ କରାଯାଉଛି । ନିର୍ଦ୍ଦିଷ୍ଟ ଯୋଜନାରେ ଆର୍ଥିକ ବ୍ୟବସ୍ଥା ସହିତ ଏହି କାର୍ଯ୍ୟ ହେଉଛି । ନିଶ୍ଚିତ ଭାବେ ତୃଣମୂଳ ସ୍ତରରେ ଥିବା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରି ସ୍ୱଳ୍ପ ରୋଜଗାର ବ୍ୟବସ୍ଥାର ବ୍ୟକ୍ତି ବିଶେଷ ଉପକୃତ ହୋଇଛନ୍ତି । ଅତୀତରେ ଯେତେବେଳେ ଯାହା ଯାହା ଘୋଷଣା ହୋଇଛି, ତାହା କାର୍ଯ୍ୟକାରୀ ହୋଇଛି । ଏହା ମଧ୍ୟ କାର୍ଯ୍ୟକାରୀ ହେବ । ଏହାକୁ ରାଜନୀତି ଦୃଷ୍ଟିରୁ ଦେଖିବା କଥା ନୁହେଁ । ବିଜୁ ଜନତା ଦଳ ସରକାରର ପ୍ରତିଫଳନ ବିଗତ ବର୍ଷଗୁଡ଼ିକରେ ହୋଇଛି । କୌଣସି ସରକାରଙ୍କ ସମୟରେ ଏହା ହୋଇନଥିଲା । ଆଜିର ସରକାରଙ୍କ ସଫଳତା ଲୋକଙ୍କୁ ଛୁଇଁଛି ବୋଲି କହିଛନ୍ତି।" ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, 'ମୁଁ ଯେତିକି 5ଟି ଅଧ୍ୟକ୍ଷଙ୍କୁ ଜାଣିଛି ସେ ଯାହା କୁହନ୍ତି ତାହା କାମରେ କରି ଦେଖାନ୍ତି । ସେ ରୂପାନ୍ତରକରଣ ଓ ସକରାତ୍ମକ ଦିଗରେ ବିଚାର କରନ୍ତି । ସେ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ପୂରଣ କରିଛନ୍ତି । ଯଦି ଏହି ପ୍ରତିଶ୍ରୁତି ଦେଇଛନ୍ତି ତେବେ ସେ ଖୁବଶୀଘ୍ର ପୂରଣ କରିବେ ।"

ଇଟିଭି ଭାରତ,ଭୁବନେଶ୍ବର

Last Updated : Jan 13, 2024, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.