ETV Bharat / state

Odisha Cabinet: ମିଶନ ଶକ୍ତି ସ୍କୁଟର ଯୋଜନାକୁ ମୋହର, ବିନା ସୁଧରେ ଲକ୍ଷେ ଟଙ୍କା ଋଣ

author img

By

Published : Jul 22, 2023, 6:58 AM IST

ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ଯୋଜନା ଉପରେ ବାଜିଲା ମୋହର । ନିଜ ପସନ୍ଦର ସ୍କୁଟର କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରିପାଇବେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ । ଅଧିକ ପଢନ୍ତୁ

ରାଜ୍ୟ କ୍ୟାବିନେଟ ବୈଠକ
ରାଜ୍ୟ କ୍ୟାବିନେଟ ବୈଠକ

Mission Shakti Scooter Yojana

ଭୁବନେଶ୍ବର: ଓଡ଼ିଶା ସରକାର ମିଶନ ଶକ୍ତି ବିଭାଗ ମାଧ୍ୟମରେ 'ମିଶନ ଶକ୍ତି ସ୍କୁଟର ଯୋଜନା' ନାମରେ ଏକ ଅଗ୍ରଗାମୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘଙ୍କ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କର ଯାତାୟତକୁ ସୁଗମ କରିବ । ଯୋଜନା ମାଧ୍ୟମରେ ଯୋଗ୍ୟ ସଦସ୍ୟା ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ପାଇବେ । କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଛି ।

ରାଜ୍ୟରେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ପଞ୍ଚାୟତରୁ ଜିଲ୍ଲା ପର୍ଯ୍ୟନ୍ତ ମହାସଂଘର ସ୍ଥାପନା କରାଯାଇଛି । ମହାସଂଘ ପ୍ରତିନିଧି ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଏବଂ ବଜାର ସଂଯୋଗୀକରଣ ଦିଗରେ ଗୁରୁତ୍ଵପୂର୍ଣ୍ଣ ସେବା ଯୋଗାଇ ଦେଉଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ଅବଦାନକୁ ସ୍ବୀକୃତି ଦେଇଛନ୍ତି । ଏହା ସହ ସେମାନଙ୍କୁ ନିଜ କାର୍ଯ୍ୟ ତୁଲାଇବାକୁ ଆହୁରି ସୁଗମ କରିବା ପାଇଁ ରାଜ୍ୟ ସରକାର ସ୍କୁଟର କ୍ରୟ ସମ୍ବନ୍ଧୀୟ ଋଣ ଉପରେ ସୁଧ ଛାଡର ଘୋଷଣା କରିଛନ୍ତି ।

ସମ୍ପ୍ରତି CRP-CM, MBK, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ର, BCA ଏହିଭଳି ପ୍ରାୟ 75000 କମ୍ୟୁନିଟି ସପୋର୍ଟ ଷ୍ଟାଫ କାର୍ଯ୍ୟରତ ଅଛନ୍ତି । ସେହିପରି 1,25,000 ଗ୍ରାମପଞ୍ଚାୟତ/ୱାର୍ଡ, ବ୍ଲକ, ସହର ଏବଂ ଜିଲ୍ଲା ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଏହି ଯୋଜନା ଦ୍ବାରା ଉପକୃତ ହେବେ । ରାଜ୍ୟର ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କୁ ଅଧିକ ସଶକ୍ତ କରିବା ପାଇଁ ମିଶନ ଶକ୍ତି ବିଭାଗ ସଂକଳ୍ପବଦ୍ଧ । ଏହି ଯୋଜନାକୁ ବ୍ୟାପକ ଭାବରେ ଉପଲବ୍ଧ କରାଇବା ସହିତ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ନିମନ୍ତେ ଆଗାମୀ 5 ବର୍ଷ ମଧ୍ୟରେ 528.55 କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Odisha Cabinet Meeting: 11 ବିଭାଗର 17 ପ୍ରସ୍ତାବକୁ ମୋହର, ଫୋକସରେ କ୍ୟାନସର ଚିକିତ୍ସା

ମିଶନ ଶକ୍ତି ସ୍କୁଟର ଯୋଜନା କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କର ବ୍ୟକ୍ତିଗତ ଯାତାୟତକୁ ସୁଗମ କରିବ । ଏହାସହ ସେମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ସାମାଜିକ ପରିବର୍ତ୍ତନ ତଥା ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ । ସେହିପରି ବନ ସୁରକ୍ଷା ସମିତି ଗୃହ ନିର୍ମାଣ ପାଇଁ 2023-24 ଆର୍ଥିକ ବର୍ଷରେ 250 କୋଟି ଟଙ୍କା ମଞ୍ଜୁରୀ ମିଳିଛି । ଗ୍ରାମବାସୀଙ୍କର ବିଭିନ୍ନ କାର୍ଯ୍ୟକଳାପକୁ ସୁଚାରୁ ରୂପେ ସମ୍ପାଦନ ଲାଗି ଏକ ସାଧାରଣ ସୁବିଧା କେନ୍ଦ୍ର ଯୋଗାଇବା ପାଇଁ ବନ ସୁରକ୍ଷା ସମିତି ଗୃହ ନିର୍ମାଣର ଆବଶ୍ୟକତା ଅଛି ।

ଜଙ୍ଗଲର ସଂରକ୍ଷଣ ଏବଂ ସୁରକ୍ଷା କ୍ଷେତ୍ରରେ ବନ ସୁରକ୍ଷା ସମିତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେଣୁ ସରକାର ବନ ସୁରକ୍ଷା ସମିତି ପାଇଁ ସାରା ରାଜ୍ୟରେ ପ୍ରାୟ 10,000 ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଗୃହ ଗୁଡିକୁ 4 ବର୍ଷ ଅର୍ଥାତ 2023-24ରୁ 2026-27 ମଧ୍ୟରେ ପର୍ଯ୍ୟାୟକ୍ରମେ ନିର୍ମାଣ କରାଯିବ । ଏହି ଗୃହଗୁଡିକୁ ବନ ସୁରକ୍ଷା ସମିତି ଏକ ସମ୍ମିଳନୀ କକ୍ଷ ତଥା ନିଷ୍ପତ୍ତି ଗ୍ରହଣ, ଆୟ ବୃଦ୍ଧିକାରୀ କାର୍ଯ୍ୟକଳାପ, ନ୍ୟସ୍ତ ଅଞ୍ଚଳର ପରିଚାଳନା ଓ ସୁରକ୍ଷା ସମ୍ବନ୍ଧୀୟ ବୈଠକ ନିମନ୍ତେ ବ୍ୟବହାର କରିପାରିବେ । ବନ ସୁରକ୍ଷା ସମିତି ଗୃହ ଗ୍ରାମରେ ଏକ ଅନୁଷ୍ଠାନ ଭାବରେ ମଧ୍ୟ ବିବେଚିତ ହେବ । ବନ ସୁରକ୍ଷା ସମିତି ଗୃହ ନିର୍ମାଣ ପାଇଁ 2023-24 ଆର୍ଥିକ ବର୍ଷରେ 250 କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି । ଏହି ବଜେଟ ବ୍ୟବସ୍ଥାରେ ଚଳିତ 2023-24 ଆର୍ଥିକ ବର୍ଷରେ 2941 ବନ ସୁରକ୍ଷା ସମିତି ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.