ETV Bharat / state

ଆମ ଓଡ଼ିଶା ନବୀନ ଓଡିଶା ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ: ମୁଖ୍ୟମନ୍ତ୍ରୀ

author img

By

Published : Jul 10, 2023, 10:46 PM IST

ଗାଁଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ମିଳିଛି କ୍ୟାବିନେଟ ମୋହର । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା । ରାଜ୍ୟ କ୍ୟାବିନେଟର ଅନୁମୋଦନ ପରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଗାଁର ପୂଜାସ୍ଥଳ, ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ହେବ ବିକାଶ,ସଂସ୍କୃତି ସଂରକ୍ଷଣ ପାଇଁ ପ୍ରତି ପଞ୍ଚାୟତକୁ ମିଳିବ ୧୦ ଲକ୍ଷ ଟଙ୍କା ଦେବେ ସରକାର । 'ଆମ ଓଡ଼ିଶା ନବୀନ ଓଡିଶା' ଏକ ନୂଆ ଓଡିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡ଼ିଶାର ଗାଁଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ । ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ଲାଗି ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ।

ଏହା ବି ପଢନ୍ତୁ- Cabinet decision: 9 ପ୍ରସ୍ତାବକୁ ଗ୍ରୀନ ସିଗନାଲ; ଆମ ଓଡ଼ିଶା, ନବୀନ ଓଡ଼ିଶା ପ୍ରସ୍ତାବକୁ ମୋହର

ପଞ୍ଚାୟତଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ । ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି । ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ରହିଛି ଏକ ନୂଆ ଓଡ଼ିଶା, ଏକ ଆକାଂକ୍ଷୀ ଓଡ଼ିଶା ଗଠନର ପରିକଳ୍ପନା । ଏଭଳି ଏକ ଆଧୁନିକ ଓଡ଼ିଶା ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡ଼ିଶା ସବୁବେଳେ ତା’ର ସଂସ୍କୃତି, ତା’ର ପରମ୍ପରା ଓ ଇତିହାସ ସହିତ ଦୃଢ ଭାବରେ ଯୋଡି ହୋଇ ରହିଛି । ଓଡ଼ିଶା ହେଉଛି ସେହି ଭୂମି ଯିଏକି ସାରା ବିଶ୍ବକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି ସହ ପରିଚିତ କରାଇଛି । ଜଗନ୍ନାଥ ସଂସ୍କୃତି ବିଶ୍ବପ୍ରେମ, ସେବା ଓ ସମାନତାକୁ ଗୁରୁତ୍ବ ଦେଇଛି। ସମସ୍ତଙ୍କୁ ସମାନ ଭାବରେ ଆଦରି ନେଇଛି । ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ନିଜର କରିପାରିଛି ବୋଲି ସେ କହିଛନ୍ତି।

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି ପ୍ରକାଶ କରି ସେ କହିଲେ ଯେ ଏଥିରେ ସ୍ଥାନୀୟ ପୂଜାସ୍ଥଳୀ ତଥା ଐତିହାସିକ ଗୁରୁତ୍ବ ଥିବା ସ୍ଥାନମାନଙ୍କର ସୁରକ୍ଷା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କାମ କରିପାରିବେ।

ଗାଁରେ ଆଧୁନିକ ମୌଳିକ ସୁବିଧାର ବିକାଶ ଉପରେ ମତ ଦେଇ ସେ କହିଛନ୍ତି, " ମୁଁ ଚାହେଁ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ । ଡିଜିଟାଲ ଭିତ୍ତିଭୂମିର ବିକାଶ ହେଉ । ତା' ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଏସବୁ ପରିକଳ୍ପନାକୁ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିବ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଗାଁର ମନ୍ଦିରମାନଙ୍କର ପୁନରୁଦ୍ଧାର ଠାରୁ ଆରମ୍ଭ କରି Digital Infrastructure କାମ ପରି ଭବିଷ୍ୟାମୁଖୀ ଯୋଜନା କରାଯିବ । ଉଭୟ କାମ ଏକ ସମୟରେ ଚାଲିବ ।"

ଏହା ଓଡ଼ିଶାରେ ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଦୃଢ ବିଶ୍ବାସ ପ୍ରକଟ କରି ସେ କହିଛନ୍ତି, " ଆମର ଯୁବସମାଜ ପାଇଁ, ଆମର ମାଆ, ପିଲା, ଉଦ୍ୟୋଗୀ, ଚାଷୀ ଭାଇ ଭଉଣୀ ଓ ଜନଜାତି ଭାଇଭଉଣୀମାନଙ୍କ ପାଇଁ ଏକ ଆଧୁନିକ ପ୍ରଗତିଶୀଳ ଓ ସମ୍ବେଦନଶୀଳ ଓଡ଼ିଶା ଗଠନରେ ସହାୟକ ହେବ। ଏହି ଯୋଜନା ଏଭଳି ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.