ETV Bharat / state

ମହିଳା ସଶକ୍ତିକରଣ; ଉଦାହରଣ ସୃଷ୍ଟି କରିଛି ଓଡିଶା, ଅପମାନିତ କରୁଛି ବିଜେପି

author img

By

Published : Jun 10, 2023, 6:26 PM IST

Updated : Jun 10, 2023, 7:33 PM IST

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଏସଏଚଜିମାନେ ଓଡିଶାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛନ୍ତି । ସେମାନେ ଭାରତ ଏବଂ ବିଶ୍ବ ପାଇଁ ସଫଳ ମହିଳା ଏସଏଚଜି ଆନ୍ଦୋଳନର ଉଜ୍ଜଳ ଉଦାହରଣ ପାଲଟିଛନ୍ତି । ଅଧିକ ପଢନ୍ତୁ

ମହିଳା ସଶକ୍ତିକରଣ; ଉଦାହରଣ ସୃଷ୍ଟି କରିଛି ଓଡିଶା, ଅପମାନିତ କରୁଛି ବିଜେପି
ମହିଳା ସଶକ୍ତିକରଣ; ଉଦାହରଣ ସୃଷ୍ଟି କରିଛି ଓଡିଶା, ଅପମାନିତ କରୁଛି ବିଜେପି

ମହିଳା ସଶକ୍ତିକରଣ

ଭୁବନେଶ୍ବର: ମହିଳା ସଶକ୍ତିକରଣରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ଓଡିଶା । ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ସଶକ୍ତିକରଣକୁ ନୂଆ ଦିଗ ଦେଇଛନ୍ତି । ଏହା ସାମାଜିକ ବିପ୍ଳବର ରୂପ ନେଇସାରିଛି । ସ୍ବତନ୍ତ୍ର ବିଭାଗ ଗଠନ ହୋଇଛି । ୬ ଲକ୍ଷ ଗ୍ରୁପରେ ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି । କିନ୍ତୁ ଏହି ମିଶନ ଶକ୍ତି ମହିଳା ସଦସ୍ୟଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ବିଜେପି ନେତା । ସାଧାରଣ ଜୀବନକୁ ଆସୁଥିବା ମହିଳାଙ୍କୁ ବି ବିଜେପି ନେତା ଟାର୍ଗେଟ କରୁଛନ୍ତି । ରାଜ୍ୟ ବିଜେପି ମହିଳାଙ୍କ ସଶକ୍ତିକରଣ ଚାହୁଁ ନାହିଁ ବିଜେଡି ଅଭିଯୋଗ କରିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ମଧୁସ୍ମିତା ନାୟକ ।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଏସଏଚଜିମାନେ ଓଡିଶାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛନ୍ତି । ସେମାନେ ଭାରତ ଏବଂ ବିଶ୍ବ ପାଇଁ ସଫଳ ମହିଳା ଏସଏଚଜି ଆନ୍ଦୋଳନର ଉଜ୍ଜଳ ଉଦାହରଣ ପାଲଟିଛନ୍ତି । ୬ ଲକ୍ଷ ମହିଳା ଏସଏଚଜିରେ ପ୍ରାୟ ୭୦ ଲକ୍ଷ ମହିଳାଙ୍କ ସହିତ ମିଶନ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଯାହା କି ଓଡିଶାର ମହିଳାମାନଙ୍କୁ ରୋଷେଇ ଘରର ଚାରି କାନ୍ଥ ଅତିକ୍ରମ କରାଇ ସମାଜ ପରିବର୍ତ୍ତନକାରୀରେ ପରିଣତ ହୋଇପାରିଛି । ରାଜ୍ୟର ବିଜେପି ନେତୃତ୍ବ କିନ୍ତୁ ଏହାକୁ ସହ୍ୟ କରିପାରୁ ନାହାନ୍ତି ।

ମହିଳା ଏସଏଚଜି ଓଡିଶାରେ ସମସ୍ତ ପ୍ରକାର ଭଲ କାର୍ଯ୍ୟ କରୁଛନ୍ତି । ଏହା ସତ୍ତ୍ବେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଓଡିଶା ବିଜେପି ନେତାମାନେ ମହିଳା ଏସଏଚଜି ସଦସ୍ୟଙ୍କୁ ପ୍ରତିଦିନ ଅପମାନିତ ଏବଂ ଅସମ୍ମାନିତ କରୁଛନ୍ତି । ସେମାନଙ୍କ ମିଥ୍ୟା ଅଭିଯୋଗ ଦେଖିଲେ ଲାଗୁଛି ଯେପରି ସେମାନେ ଏଥିପାଇଁ ଟଙ୍କା ନେଉଛନ୍ତି । ଏହା ଓଡିଶା ବିଜେପି ନେତାଙ୍କ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଆଚରଣ । ଏହା ଦର୍ଶାଉଛି ଯେ ଓଡିଶାରେ ଚାଲିଥିବା ମହିଳାଙ୍କ ସଶକ୍ତିକରଣ ଏବଂ ସମାଜକୁ ପରିବର୍ତ୍ତନ କରିବାର ପ୍ରୟାସ ପ୍ରତି ସେମାନେ ଅତ୍ୟନ୍ତ ଅସହିଷ୍ଣୁ ହୋଇ ପଡିଛନ୍ତି । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଓଡିଶା ବିଜେପି ନେତାମାନେ ଚାହୁଁଛନ୍ତି ଓଡିଶାର ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହିବା ଉଚିତ । ସେମାନେ ଚାହାଁନ୍ତି ନାହିଁ ଯେ ମହିଳାମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ । ଓଡିଶାର ବିକାଶକୁ ଆଗକୁ ବଢାନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ମିଶନ ଶକ୍ତି ଗୋଷ୍ଠୀର ମହିଳା ନୁହଁନ୍ତି ବରଂ ସାଧାରଣ ଜୀବନକୁ ଆସୁଥିବା ମହିଳାମାନଙ୍କୁ ମଧ୍ୟ ଓଡିଶା ବିଜେପିର ନେତାମାନେ ଟାର୍ଗେଟ କରୁଛନ୍ତି । ଓଡିଶା ବିଜେପି ପଦ୍ମପୁର ଏବଂ ଝାରସୁଗୁଡାରେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ଅପମାନିତ ଏବଂ ଅସମ୍ମାନ କରିଛି । ଯେଉଁମାନେ ପିତାଙ୍କୁ ହରାଇଛନ୍ତି, ସାଧାରଣ ଜୀବନରେ ପ୍ରବେଶ କରୁଛନ୍ତି । ଓଡ଼ିଶାବାସୀଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ ସତ୍ତ୍ୱେ ଓଡ଼ିଶା ବିଜେପି ଏଥିରୁ କିଛି ଶିଖିବାକୁ ଚାହୁଁନାହିଁ । ଓଡ଼ିଶାବାସୀ ଏବଂ ଓଡ଼ିଶାର ମହିଳାମାନଙ୍କୁ ଅପମାନିତ ଓ ଅସମ୍ମାନିତ କରିବା ଜାରି ରଖିଛି ବୋଲି ସେ କହିଛନ୍ତି ।

ସେହିପରି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି ଯେ, ଯେଉଁଠି ନାରୀଙ୍କୁ ପୂଜା କରାଯାଏ, ସେଠାରେ ଦେବତା ବାସ କରନ୍ତି ବା ପୂଜା ପାଆନ୍ତି । ଯେଉଁଠି ନାରୀଙ୍କୁ ଅସମ୍ମାନ କରାଯାଏ । ସେଠାରେ ହେଉଥିବା ସମସ୍ତ ଧର୍ମ କାର୍ଯ୍ୟ ବା କର୍ମ ଫଳ ଶୂନ୍ୟ ହୋଇଥାଏ । ସ୍ବୟଂ ସହାୟିକା ଗୋଷ୍ଠୀର ମା'ମାନେ ନିଜର ସମସ୍ତ କର୍ତ୍ତବ୍ୟ ପାଳନ ପରେ ବଳକା ସମୟରେ ନିଜକୁ ଆର୍ଥିକ ଓ ସାମାଜିକ ସ୍ବାବଲମ୍ବି କରିବା ପାଇଁ ପ୍ରୟାସ କରୁଛନ୍ତି । କିନ୍ତୁ ଓଡ଼ିଶା ବିଜେପିର ନେତାଙ୍କୁ ଏହା ପସନ୍ଦ ଆସୁନି । ଜଣେ ସାଧାରଣ ମହିଳାଙ୍କ ପାଇଁ ବିଜେପିର ଏ ଇର୍ଷା କଣ ପାଇଁ ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେପି କଣ ଚାହୁଁନାହିଁ ଓଡ଼ିଶାର ମହିଳା ମାନେ ଆର୍ଥିକ ଓ ସାମାଜିକ ସ୍ବାବଲମ୍ବି ହୁଅନ୍ତୁ । ବିଜେପିର ନେତା ଓ କର୍ମୀ ମାନେ ଚାହୁଁଛନ୍ତି, ମହିଳା ମାନେ ଘରର ଚାରି କାନ୍ଥ ଭିତରେ ରହନ୍ତୁ । ଏବଂ ଘରକରଣା ଜିନିଷକୁ ଆବୋରି ନିଅନ୍ତୁ । ବିଜେପିର ଆଚରଣ ଆଉ ଉଚ୍ଚାରଣ ପାଇଁ ଓଡ଼ିଶାରେ ସଫଳତା ପାଇପାରୁନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 10, 2023, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.