ETV Bharat / state

ସମୁଦ୍ର ଗର୍ଭରୁ ବାପା-ଝିଅ ସ୍କୁବା ଡାଇଭିଂ ଯୋଡିଙ୍କ ନିଆରା ବାର୍ତ୍ତା

author img

By ETV Bharat Odisha Team

Published : Dec 9, 2023, 10:12 PM IST

Odia father daughter scuba diving: ସମୁଦ୍ର ଗର୍ଭରୁ ବାପା-ଝିଅ ସ୍କୁବା ଡାଇଭ ଯୋଡିଙ୍କ ନିଆରା ବାର୍ତ୍ତା । ସମୁଦ୍ରର ୭୦ ଫୁଟ ଗଭୀରରୁ "ସିଓପି ୨୮ " ର ନିଆରା ବାର୍ତ୍ତା ଦେଇଛନ୍ତି ଓଡ଼ିଆ ବାପା ଓ ଝିଅ । ଜଳବାୟୁ ପରିବର୍ତ୍ତନ ଉପରେ ତୁରନ୍ତ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ବାର୍ତ୍ତା ଦିଆଯାଇଛି । ଅଧିକ ପଢ଼ନ୍ତୁ

scuba diving
scuba diving

scuba diving

ଭୁବନେଶ୍ବର: ସମୁଦ୍ର ଗର୍ଭରୁ ବାପା-ଝିଅ ସ୍କୁବା ଡାଇଭିଂ ଯୋଡିଙ୍କ ନିଆରା ବାର୍ତ୍ତା । ସମୁଦ୍ରର ୭୦ ଫୁଟ ଗଭୀରରୁ "ସିଓପି ୨୮ " ର ନିଆରା ବାର୍ତ୍ତା ଦେଇଛନ୍ତି ଓଡ଼ିଆ ବାପା ଓ ଝିଅ । ଦୁବାଇରେ ରହୁଥିବା ଓଡ଼ିଆ ବାପା-ଝିଅ ସ୍କୁବା ଡାଇଭିଂ ଯୋଡି ପୁଣି ଚର୍ଚ୍ଚାରେ । ଦୁବାଇରେ ଆୟୋଜିତ 'ସିଓପି ୨୮- COP 28' ସମ୍ମିଳନୀକୁ ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ଝିଅ ତିସ୍ୟା ପାଣିଗ୍ରାହୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ଜାତୀୟ ଦିବସରେ ଏକ ସ୍ୱତନ୍ତ୍ର ନିବେଦନ କରିଛନ୍ତି । ସାଉଥ ମାଲେ ଆଟୋଲର ସନ୍ ସିଆମ୍ ଓଲହୁଭେଲି ରିସର୍ଟ ନିକଟରେ ଅକ୍ଷତ ଓ ସୁନ୍ଦର ଅବସ୍ଥାରେ ଥିବା କରାଲ୍ ରିଫରେ ଏହି ଡାଇଭ କରିଛନ୍ତି ବାପା ପ୍ରିୟଦର୍ଶୀ ଓ ଝିଅ ତିସ୍ୟା ।

70 ଫୁଟ ଗଭୀରତାରେ ପହଞ୍ଚିବା ସହ ସ୍ଫଟିକ ପରିଷ୍କାର ଜଳରେ ରଙ୍ଗୀନ ପ୍ରବାହ ଏବଂ ବହୁମୂଲ୍ୟ ସାମୁଦ୍ରିକ ଜୀବ ଦ୍ୱାରା ଘେରି ରହି ସେମାନେ ପ୍ଲାକାର୍ଡ ଧରି ନିବେଦନ କରିଥିଲେ । ସେଥିରେ ଲେଖାଯାଇଥିଲା 'PLEASE UNITE. ACT. DELIVER' । ଯାହାକି COP 28ର ଥିମ ମଧ୍ୟ ରହିଛି UNITE. ACT. DELIVER । ତିସ୍ୟାଙ୍କ ପ୍ଲାକାର୍ଡରେ ଥିଲା COP 28 ୟୁଏଇର ଲୋଗୋ । ସରଳ ଓ ଶକ୍ତିଶାଳୀ ବାର୍ତ୍ତା ଦେଉଥିଲା ଏହି ପ୍ଲାକାର୍ଡ । ଜଳବାୟୁ ପରିବର୍ତ୍ତନ ଉପରେ ତୁରନ୍ତ କାର୍ଯ୍ୟ କରିବାର ଆବଶ୍ୟକତା ବିଷୟରେ ପ୍ରିୟଦର୍ଶୀ ଏବଂ ତିସ୍ୟା ଅତ୍ୟନ୍ତ ଦୃଢ ଅନୁଭବ କରିଛନ୍ତି । ପୃଥିବୀ ଉପରେ ବିପଦ ସୃଷ୍ଟି କରୁଥିବା ଏହି ବିପଦ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି ।

ନାସା ଏବଂ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ଏକାଧିକ ରିପୋର୍ଟ ଅନୁଯାୟୀ, ପୃଥିବୀର ଉତ୍ତାପ ବଢିବା କାରଣରୁ ୨୦୫୦ ସୁଦ୍ଧା ମାଳଦ୍ୱୀପର ପ୍ରାୟ ୮୦% ଲୋକ ବାସହୀନ ହୋଇପାରନ୍ତି । ଭାରତ ମହାସାଗରର ମଧ୍ୟଭାଗରେ ପ୍ରାୟ ୧୧୯୦ ପ୍ରବାହ ଦ୍ୱୀପପୁଞ୍ଜର ଏହି କ୍ଷୁଦ୍ର ଦେଶ ରହିଛି । ବିଶ୍ୱର ସର୍ବନିମ୍ନ ତଳୁଆ ଦେଶ ହୋଇଥିବାରୁ ବିଶ୍ବ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ହୋଇଚାଲିଛି, ଏହା ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ଏଥିପାଇଁ ଏହି ବାର୍ତ୍ତା ଦେବା ପାଇଁ ମାଳଦ୍ୱୀପକୁ ବାଛିଛନ୍ତି ପ୍ରିୟଦର୍ଶୀ ।

ଏନେଇ ତିସ୍ୟା କହିଛନ୍ତି "ଜଳବାୟୁ ପର୍ରିବର୍ତନ ଯୋଗୁ ସମୁଦ୍ରର ତାପମାତ୍ରା ବଢୁଛି ଯାହା କୋରାଲ ରିଫକୁ ପ୍ରଭାବିତ କରୁଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ସମୁଦ୍ର ଭିତରର ରଙ୍ଗବେରଙ୍ଗର କୋରାଲ୍ ରିଫ୍ ଧଳା ରଙ୍ଗରେ ପରିଣତ ହେବାରେ ଲାଗିଛି । ଏହାକୁ କୋରାଲ ବ୍ଲିଚିଂ କୁହାଯାଏ । ମାଲଦ୍ୱୀପର ସନ ସିୟାମ ଓଲହୁଭେଲ୍ଲୀ ରିସର୍ଟରେ ସାମୁଦ୍ରିକ ଜୀବ ଯେପରି ରିଫ ସାର୍କ, ବ୍ଲାକ ଟିଫ ରିଫ ସାର୍କ, ହ୍ଵାଇଟ ଟିଫ ରିଫ ସାର୍କ, ରିଫ ମେନଟା ଓ କଇଁଛଙ୍କ ଗହଣରେ ଡାଇଭ କରିବାର ଅନୁଭୂତି ବେଶ ନିଆରା ଥିଲା । ସମୁଦ୍ରରେ ଡ୍ରିଫ୍ଟ ଡାଇଭ ବେଶ ରୋମଞ୍ଚକର ଥିଲା ।"

ଅନ୍ୟପଟେ ପ୍ରିୟଦର୍ଶୀଙ୍କ କହିବା ଅନୁଯାୟୀ, "ସେମାନେ ସମ୍ମିଳନୀରେ ଯୋଗ ଦେଇଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏବଂ ସେମାନଙ୍କୁ ପୁଣି ଥରେ ମନେ ପକାଇବାକୁ ଚାହୁଁଥିଲେ ଯେ, ଜଳବାୟୁ ପରିବର୍ତ୍ତନ ନେଇ ଶୀଘ୍ର କାର୍ଯ୍ୟ କରିବାକୁ ପଡିବ । ନଚେତ କୌଣସି ପ୍ରକାର ପଦକ୍ଷେପ ପାଇଁ ବିଳମ୍ବ ହୋଇଯିବ । ଯେହେତୁ ଏହି ସମ୍ମିଳନୀ ୟୁଏଇରେ ଅନୁଷ୍ଠିତ ହେଉଛି ତେଣୁ ଡିସେମ୍ବର ୨ ଅର୍ଥାତ ୟୁଏଇ ଜାତୀୟ ଦିବସକୁ ଏହି ଡାଇଭ କରିବା ପାଇଁ ଆମେ ବାଛିଥିଲୁ ।" ଏପଟେ ବାପା ଝିଅ ଯୋଡିଙ୍କୁ ତାଙ୍କ ଡାଇଭିଂରେ ସହାୟତା କରିଥିଲେ ସନ୍ ସିଆମ୍ ଓଲହୁଭେଲ୍ଲୀ ରିସର୍ଟର ଡାଇଭିଂ ସ୍କୁଲ୍ର ପ୍ରଶିକ୍ଷକ ମାଲଦ୍ବୀପ ନାଗରିକ ହାସନ ୟାନିୟୁ । ଏହାସହ ତାଙ୍କ ଫୋଟୋ ଓ ଭିଡିଓ ନେବାରେ ମଧ୍ୟ ସାହାଯ୍ୟ କରିଥିଲେ ।

ସୂଚନା ଅନୁଯାୟୀ, ପ୍ରିୟଦର୍ଶୀ ଏବଂ ତିସ୍ୟା ଆଡଭାନ୍ସ ସ୍କୁବା ଡାଇଭର ମାନ୍ୟତା ପାଇଛନ୍ତି । ପ୍ରିୟଦର୍ଶୀ ଏକ ବୃହତ ଭାରତୀୟ ବହୁରାଷ୍ଟ୍ରୀୟ ନିଗମର MENA (ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା) ବ୍ୟବସାୟର ମୁଖ୍ୟ ହୋଇଥିବା ବେଳେ ତିସ୍ୟା ଦୁବାଇର ରାଫେଲ୍ସ ୱାର୍ଲ୍ଡ ଏକାଡେମୀର ୮ମ ଶ୍ରେଣୀ ଛାତ୍ରୀ । ସ୍କୁବା ଡାଇଭିଂ ପ୍ରତି ଉଭୟେ ଅତ୍ୟନ୍ତ ଆଗ୍ରହୀ । ୨୦୨୦ ମସିହାରେ ତିସ୍ୟା ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ହୋଇଥିଲେ । ଯେତେବେଳେ ସେ ୧୦ ବର୍ଷ ବୟସରେ ଜୁନିଅର ଓପନ୍ ୱାଟର ସ୍କୁବା ଡାଇଭର୍ ଲାଇସେନ୍ସ ହାସଲ କରିଥିଲେ । ଏହସହ ୨୦୨୨ରେ ତିସ୍ୟା ତାଙ୍କ ୧୨ତମ ଜନ୍ମ ଦିନକୁ ୭୦ ଫୁଟ ସମୁଦ୍ର ଗର୍ଭରେ ପାଳନ କରି ଓଡ଼ିଶାର ସର୍ବକନିଷ୍ଠ ଆଡଭାନ୍ସଡ ଓପନ ୱାଟର ସ୍କୁବା ଡାଇଭର୍ ହୋଇଥିଲେ । ପିଏଡିଆଇରୁ ଏହି ଲାଇସେନ୍ସ ପ୍ରାପ୍ତି କରିବା ପାଇଁ ୟୁଏଇ ଫୁଜାଇରାରେ ୭୦ ଫୁଟ ତଳେ ଡାଇଭ କରିଥିଲେ ତିସ୍ୟା ।

ଏହା ମଧ୍ୟ ପଢ଼ନ୍ତୁ.....ପୁଡୁଚେରୀ ସମୁଦ୍ର ଗର୍ଭରେ ଜୟ ଓଡିଶା ଧ୍ବଜା ଉଡାଇଲେ ସ୍କୁବା ଡାଇଭର

ତେବେ ଏହି ବାପା ଝିଅ ଯୋଡି ତାଙ୍କର ନିଆରା ଡାଇଭିଂ ପାଇଁ ଖବରରେ ରହିଆସିଛନ୍ତି । ୨୦୨୧ ଅଗଷ୍ଟରେ ସମୁଦ୍ର ତଳୁ ନୂଆଁଖାଇ ଶୁଭେଚ୍ଛା ପଠାଇବା ହେଉ ବା ଗତ ବର୍ଷ ଡିସେମ୍ବରରେ ସାର୍କ ସହିତ ଡାଇଭ କରବା ହେଉ ସବୁବେଳେ ଖବରରେ ରହିଛନ୍ତି ତିସ୍ୟା ଓ ପ୍ରିୟଦର୍ଶୀ । ତିସ୍ୟାଙ୍କ ଠାରୁ ପ୍ରେରିତ ହୋଇ ପ୍ରିୟଦର୍ଶୀ ଚଳିତ ବର୍ଷ ଏପ୍ରିଲ ମାସରେ ମାଲେସିଆରେ ୧୦୦ ଫୁଟ ସମୁଦ୍ରରେ ସ୍କୁବା ଡାଇଭିଂ କରିଥିଲେ । ଏହାସହ ସେ ପିଏଡିଆଇର ଆଡଭାନ୍ସଡ ଓପନ୍ ୱାଟର ସ୍କୁବା ଡାଇଭର ଲାଇସେନ୍ସ ପାଇଛନ୍ତି । ଯାହାଦ୍ୱାରା ଆଡଭାନ୍ସ ଡାଇଭିଙ୍ଗ ଲାଇସେନ୍ସ ପାଇଥିବା ଖୁବ କମ ବାପା ଝିଅଙ୍କ ଯୋଡିର କ୍ଲବରେ ପ୍ରିୟଦର୍ଶି ଓ ତିସ୍ୟା ମଧ୍ୟ ସାମିଲ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ବର୍ଗତଃ ଶ୍ରୀବଲ୍ଲଭ ପାଣିଗ୍ରାହୀ ଏବଂ ଶିକ୍ଷାବିତ ସ୍ବର୍ଗତଃ ସୁନନ୍ଦା ପାଣିଗ୍ରାହୀଙ୍କ ନାତୁଣୀ ତିସ୍ୟା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.