ETV Bharat / state

ଛାତ୍ର କଂଗ୍ରେସର ବିକ୍ଷୋଭ: ମୋଦି ଓ ନବୀନଙ୍କ ପୋଷ୍ଟର ଚିରିଲେ, ମହାପୁରୁଷଙ୍କ ଫଟୋ ଲଗାଇଲେ

author img

By ETV Bharat Odisha Team

Published : Jan 18, 2024, 9:09 PM IST

NSUI Stages Protest: ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିରିଲେ ଛାତ୍ର କଂଗ୍ରେସ କର୍ମୀ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇ ସେମାନେ ମହାପୁରୁଷଙ୍କ ଫଟୋ ଲଗାଇଛନ୍ତି । ଅଧିକ ପଢନ୍ତୁ

nsui stages protest
ଛାତ୍ର କଂଗ୍ରେସର ବିକ୍ଷୋଭ

ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲା ଛାତ୍ର କଂଗ୍ରେସ । ମହର୍ଷି କଲେଜ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିରିଲେ ଦଳୀୟ କର୍ମୀ । ଯେଉଁଠି ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ରହିବା କଥା ସେଠାରେ ନବୀନ ଓ ମୋଦିଙ୍କ ଫଟୋ ସ୍ଥାନିତ ହେବା ଦୁର୍ଭାଗ୍ୟଜନକ କହି କ୍ଷୋଭ ଝାଡ଼ିଲା ଛାତ୍ର କଂଗ୍ରେସ । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, " ଓଡ଼ିଶାରେ ଛାତ୍ର ସମାଜକୁ ଉଭୟ ନବୀନ ଓ ମୋଦି ସରକାର ଦୀର୍ଘବର୍ଷ ଧରି ପ୍ରତାରିତ କରି ଆସୁଛନ୍ତି । ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ସ୍ଥିତି ଏବେ ଶୋଚନୀୟ । ବିଶେଷକରି ଉଚ୍ଚ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି । ଶିକ୍ଷାନୁଷ୍ଠାନ ଗୁଡ଼ିକର ଅବସ୍ଥା ସୁଧାରିବା ପରିବର୍ତ୍ତେ ନବୀନ ଓ ମୋଦି ସରକାର ପକ୍ଷରୁ ମୋଦି ଓ ନବୀନ ସେଲ୍ଫି ପଏଣ୍ଟ ସ୍ଥାପନର ପ୍ରତିଯୋଗିତା ଚାଲିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ସରକାରୀ ଅର୍ଥରେ ପ୍ରଚାର ପ୍ରସାର କରି ଅପବ୍ୟୟ କରୁଛନ୍ତି ଉଭୟ ସରକାର । ସରକାରୀ ଶିକ୍ଷାନୁଷ୍ଠାନର ଦୁରାବସ୍ଥା ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ବି ନବୀନ ସରକାର କର୍ଣ୍ଣପାତ କରନ୍ତି ନାହିଁ । ଯୁବ ଭୋଟରଙ୍କୁ ହାତେଇବା ପାଇଁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ନବୀନ । ନୂଆ-ଓ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଉଛନ୍ତି ।" ଏହାକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ଆଜି ନବୀନ ଓ ମୋଦିଙ୍କ ପୋଷ୍ଟର ଚିରି ତା ଉପରେ ମହାପୁରୁଷମାନଙ୍କ ପୋଷ୍ଟର ମରାଯାଇଛି।

ଏହା ମଧ୍ୟ ପଢନ୍ତୁ...ପୋଷ୍ଟର ଚିରା ରାଜନୀତି: ହୋର୍ଡିଂରେ ରାଜନେତାଙ୍କ ମୁହଁ ବିକୃତ କଲେ ଦୁବୃର୍ତ୍ତ, ସାଧାରଣରେ ନିନ୍ଦା

"ଓଡ଼ିଶାରେ ସରକାରୀ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ନାହିଁ । ବହୁ ସଂଖ୍ୟାରେ ଶିକ୍ଷୟ ଶିକ୍ଷୟିତ୍ରୀ ପଦ ଖାଲି ପଡ଼ିଛି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶ୍ରେଣୀ ଗୃହ ,ପାନୀୟଜଳ, ଶୌଚାଳୟ, ମହିଳା କମନରୁମ, ଖେଳ ପଡିଆ ନାହିଁ । ରାଜ୍ୟରେ ପ୍ରାୟ ୧୨ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୧ ହଜାର ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ସିଏଜି ରିପୋର୍ଟ ଅନୁସାରେ,୧୫.୭୯ କୋଟି ଟଙ୍କା ଛାତ୍ରବୃତି ରାଶିକୁ ବାଟମାରଣା କରାଯାଇଛି । ସରକାରୀ କଲେଜ ଗୁଡ଼ିକରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ନାମଲେଖା ଚାଲିଛି । ଯେଉଁଥିରେ ବିଜେଡ଼ିର କର୍ମକର୍ତ୍ତାମାନଙ୍କ ସମ୍ପୃକ୍ତି ରହିଛି । କ୍ୟାମ୍ପସ ଅସୁରକ୍ଷିତ । ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗର ଅନୁଷ୍ଠାନ ଗୁଡିକରେ ଉନ୍ନତ ଭିତ୍ତିଭୂମି ନାହିଁ । ନିକଟରେ ରମାଦେବୀ ବିଶ୍ୱବିଦ୍ୟାଳୟର ନୂଆ ପାଚେରୀ ଭୁଶୁଡିବା ପ୍ରସଙ୍ଗ ରାଜ୍ୟରେ ଚାଲୁଥିବା ରୂପନ୍ତରୀକରଣରେ ଚାଲିଥିବା ଦୁର୍ନୀତିକୁ ସ୍ପଷ୍ଟ କରୁଛି" ବୋଲି କହି ବର୍ଷିଛି ଛାତ୍ର କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.