ETV Bharat / state

କେନ୍ଦ୍ର ବିରୋଧରେ ଛାତ୍ର କଂଗ୍ରେସର ହଲ୍ଲାବୋଲ, ରେଳ ସଦନ ଉପରକୁ ଟମାଟୋ ମାଡ଼

author img

By

Published : Jun 7, 2023, 5:05 PM IST

ବାହାନଗା ଟ୍ରେନ ଦୁର୍ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରେଳସଦନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସର ନେତା ଓ କର୍ମୀ । ଅଧିକ ପଢନ୍ତୁ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ବିକ୍ଷୋଭ
ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ବିକ୍ଷୋଭ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ତେଜିଲା ଆନ୍ଦୋଳନ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ରେଳମନ୍ତ୍ରୀଙ୍କ ଅପାରଗତା ଦର୍ଶାଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି ଛାତ୍ର କଂଗ୍ରେସ । ଏନେଇ ରେଳ ସଦନ ସମ୍ମୁଖରେ ଛାତ୍ର କଂଗ୍ରେସ ତରଫରୁ କେନ୍ଦ୍ର ବିରୋଧୀ ନାରାବାଜି ଦିଆଯିବା ସହ ଟମାଟୋ ମାଡ଼ କରାଯାଇଛି । "ନରେନ୍ଦ୍ର ମୋଦି ଡାଉନ ଡାଉନ, ରେଳ ମନ୍ତ୍ରୀ ତୁମେ ଇସ୍ତଫା ଦିଅ" ଏଭଳି ନାରାବାଜିରେ କମ୍ପୁଥିଲା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ। ଏପରିକି ଗେଟ୍ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସର ନେତା ଓ କର୍ମୀ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଇସ୍ତଫା ଦାବିରେ ରେଳ ସଦନ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ନାରାବାଜି ଦେଖିବାକୁ ମିଳିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ପୋଲିସ ।

ଗତ ଶୁକ୍ରବାର ବାହନାଗାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ପରେ ସବୁଠି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଦେଶ ବିଦେଶରୁ ଛୁଟିବାରେ ଲାଗିଥିଲା ସମବେଦନାର ସୁଅ । ଏତେ ବଡ଼ ଦୁର୍ଘଟଣା କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ତାର କାରଣ ଖୋଜିବାକୁ CBIକୁ ତଦନ୍ତ ଭାର ଦିଆଯାଇଛି । ଏହାରି ଭିତରେ CBI ତଦନ୍ତ ଦ୍ବିତୀୟ ଦିନରେ ପହଞ୍ଚିଛି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଅପରପକ୍ଷେ, ଅପରାଧିକ ପୃଷ୍ଠଭୂମି ପାଇଁ CBI ତଦନ୍ତ କରାଯାଏ ହେଲେ ଏଠାରେ CBI ତଦନ୍ତ ନିର୍ଦ୍ଦେଶ ଦେବା ଅପରାଧିକ ଷଡ଼ଯନ୍ତ୍ରକୁ ସୂଚାଉଛି ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲା ।

ଘଟଣାକୁ ନେଇ ରାଜନୀତି ବି ସରଗରମ ହେଲାଣି । ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିରୋଧୀ କଂଗ୍ରେସ । ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ପୂର୍ବତଟ ରେଳବାଇ ଅଫିସ ଫାଟକ ସମ୍ମୁଖରେ ହଲ୍ଲାବୋଲ କରିଛି ଛାତ୍ର କଂଗ୍ରେସ। ରେଳମନ୍ତ୍ରୀ ନୈତିକତା କାରଣରୁ ଇସ୍ତଫା ଦିଅନ୍ତୁ ବୋଲି ସ୍ଲୋଗାନ ଦେବା ସହ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ମାଡ଼ କରାଯାଇଛି । ଏନେଇ ଶତାଧିକ ଛାତ୍ର ନେତା ଓ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।

ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜଙ୍କ ନେତୃତ୍ୱରେ ଛାତ୍ର ନେତାମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଵା ସହ ରେଳ କାର୍ଯ୍ୟାଳୟକୁ ଟମାଟୋ ମାଡ କରିଥିଲେ । ଏହାସହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରରେ ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ଦାବି କରାଯାଇଥିବା କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.