ETV Bharat / state

ରାଜ୍ୟର ୫୫ଟି ବ୍ଲଡ ବ୍ୟାଙ୍କରେ କାର୍ଯ୍ୟକାରୀ ହେବ ନାଟ୍ ପଦ୍ଧତି

author img

By

Published : Aug 2, 2023, 2:08 PM IST

ରାଜ୍ୟରେ ୫୫ଟି ବ୍ଲଡ୍‌ ବ୍ୟାଙ୍କରେ କାର୍ଯ୍ୟକାରୀ ହେବ ନାଟ୍ ପଦ୍ଧତି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖର୍ଚ୍ଚ ହେବ ପାଖାପାଖି ୧୭୦ କୋଟି ଟଙ୍କା । ଅଧିକ ପଢନ୍ତୁ

ରାଜ୍ୟର ୫୫ଟି ବ୍ଲଡ ବ୍ୟାଙ୍କରେ କାର୍ଯ୍ୟକାରୀ ହେବ ନାଟ୍ ପଦ୍ଧତି
ରାଜ୍ୟର ୫୫ଟି ବ୍ଲଡ ବ୍ୟାଙ୍କରେ କାର୍ଯ୍ୟକାରୀ ହେବ ନାଟ୍ ପଦ୍ଧତି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ଅଧିକାଂଶ ସଂକ୍ରମଣ ଗ୍ରାମାଞ୍ଚଳରେ ଦେଖାଯାଉଥିବା ବେଳେ ବର୍ତ୍ତମାନ ୨୦ରୁ ୩୦ ପ୍ରତିଶତ ରକ୍ତ ସଂକ୍ରମଣ ରୋଗୀ ସହରାଞ୍ଚଳରେ ଦେଖିବାକୁ ମିଳୁଛି । ଏହି ରକ୍ତ ଜନିତ ସଂକ୍ରମଣରୁ ସୁରକ୍ଷା ଦେବା ଲାଗି ସମସ୍ତ ଜିଲ୍ଲା ବ୍ଲଡ ବ୍ୟାଙ୍କରେ ନ୍ୟୁକ୍ଲିକ ଏସିଡ ପରୀକ୍ଷଣ (ନାଟ୍‌) ପଦ୍ଧତିରେ ରକ୍ତ ନମୁନାର ପରୀକ୍ଷା କରାଯିବ । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ ୧୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ବିଶ୍ବର ୨୭ଟି ଦେଶରେ ନାଟ ପଦ୍ଧତି କାର୍ଯ୍ୟକାରୀ ହେଉଛି, ଏବେ ରାଜ୍ୟ ସରକାର ଉକ୍ତ ବ୍ୟବସ୍ଥାକୁ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରକ୍ତ ନମୁନାରେ ଏଚ୍‌.ଆଇ.ଭି ୧ ଏବଂ ୨, ହେପାଟାଇଟିସ-ବି ଏବଂ ସି ପରି ସଂକ୍ରମଣ ରୋଗର ସଠିକ ନିରୂପଣ ଲାଗି ରୋଗୀଙ୍କର ନାଟ୍ ପଦ୍ଧତି ଜରିଆରେ ରକ୍ତ ନମୁନା ପରୀକ୍ଷଣ କରାଯାଏ । ବିଭାଗୀୟ ତଥ୍ୟ ଅନୁଯାୟୀ, ପୂର୍ବରୁ ରାଜ୍ୟରେ ୫ଟି ବ୍ଲଡ ବ୍ୟାଙ୍କରେ ନାଟ୍ ପଦ୍ଧତି କାର୍ଯ୍ୟକାରୀ କରାଯାଇଥିବା ବେଳେ ବର୍ତ୍ତମାନ ୧୧ଟି ବ୍ଲଡ୍‌ ବ୍ୟାଙ୍କରେ ଏହି ପଦ୍ଧତିରେ ରକ୍ତ ନମୁନାର ପରୀକ୍ଷଣ କରାଯାଉଛି । ତେବେ ଖୁବଶୀଘ୍ର ଆଉ ୪୪ଟି ବ୍ଲଡ ବ୍ୟାଙ୍କରେ କାର୍ଯ୍ୟକାରୀ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ବିଶେଷ ଭାବରେ ନାଟ୍ ପଦ୍ଧତି ୨ ପ୍ରକାର ହୋଇଥିବା ବେଳେ ପୂର୍ବରୁ ରାଜ୍ୟରେ ଏମ୍‌ପି-ନାଟ୍‌ରେ ରକ୍ତ ପରୀକ୍ଷଣ କରାଯାଉଥିଲା । ବର୍ତ୍ତମାନ ଆଇଡି-ନାଟ୍‌ରେ ରକ୍ତ ପରୀକ୍ଷଣ କରାଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ଏକ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରିଛି ।

ଏହାମଧ୍ୟ ପଢନ୍ତୁ: ଝାଡ଼ାବାନ୍ତି କବଳରେ ଯଶିପୁର: ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗଡୁଛି ମୁଣ୍ଡ

ଉକ୍ତ ପଦ୍ଧତି ଜରିଆରେ ପ୍ରତ୍ୟେକ ରୋଗୀଙ୍କ ଲାଗି ୧ ହଜାର ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ଏ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ନାଟ୍ ପଦ୍ଧତିରେ ରୋଗୀଙ୍କର ରକ୍ତ ଜନିତ ରୋଗର ନିରୂପଣର ସଠିକ ରିପୋର୍ଟ ମିଳୁଥିବାରୁ ୨୦୧୨ରେ ହାଇକୋର୍ଟ ଉକ୍ତ ପଦ୍ଧତିକୁ ଆପଣାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୫ରେ ରାଜ୍ୟ ସରକାର ନାଟ୍ ପଦ୍ଧତିକୁ ଗୁରୁତ୍ବ ଦେଇଥିଲେ । ତେବେ ୨୦୧୫ରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦ ଲକ୍ଷ ୭୧ ହଜାର ରୋଗୀଙ୍କର ରକ୍ତ ନମୁନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ୩ ହଜାର ୯୪ ଜଣ ରକ୍ତ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କହିରଖୁଛୁ କି, ନାଟ ପଦ୍ଧତି ଲାଗି ପ୍ରତିବର୍ଷ ୨୦ କୋଟି ଖର୍ଚ୍ଚ କରାଯାଉଥିବା ବେଳେ ୨୦୧୫ରୁ ୨୩ (ଜୁଲାଇ ମାସ) ସୁଦ୍ଧା ସମୁଦାୟ ୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.