ETV Bharat / state

ମୋ ସ୍କୁଲ୍ ଅଭିଯାନ: ଅଗଷ୍ଟ ୧୦ ସୁଦ୍ଧା ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକଙ୍କ ତାଲିମ ଶେଷ ଲକ୍ଷ୍ୟ

author img

By

Published : Jul 10, 2023, 10:09 PM IST

ମୋ ସ୍କୁଲ୍ ଅଭିଯାନରେ ଆସନ୍ତାମାସ (ଅଗଷ୍ଟ) ୧୦ ସୁଦ୍ଧା ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକଙ୍କ ତାଲିମ ଶେଷ କରିବାକୁ ଲକ୍ଷ୍ୟ । ଶେଷ ହେଲା ୪୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ । ଅଧିକ ପଢନ୍ତୁ

ମୋ ସ୍କୁଲ୍ ଅଭିଯାନ: ଅଗଷ୍ଟ ୧୦ ସୁଦ୍ଧା ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକଙ୍କ ତାଲିମ ଶେଷ କରିବାକୁ ଲକ୍ଷ୍ୟ
ମୋ ସ୍କୁଲ୍ ଅଭିଯାନ: ଅଗଷ୍ଟ ୧୦ ସୁଦ୍ଧା ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକଙ୍କ ତାଲିମ ଶେଷ କରିବାକୁ ଲକ୍ଷ୍ୟ

ଭୁବନେଶ୍ବର: ‘ମୋ ସ୍କୁଲ୍ ଅଭିଯାନ’ ଅଧୀନରେ ଅଗଷ୍ଟ ୧୦ ତାରିଖ ସୁଦ୍ଧା ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକଙ୍କ ତାଲିମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୋ ସ୍କୁଲ୍ ଅଭିଯାନର ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ସ୍କୁଲରେ ବୃକ୍ଷରୋପଣ ହେବ । ଶେଷ ହୋଇଥିବା ବୈଠକରେ ମୋଟ ୧୦୯ କୋଟି ୪୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ବୈଠକରେ ଅନୁମୋଦନ ମଧ୍ୟ ମିଳିଛି ।


ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ‘ମୋ ସ୍କୁଲ’ ଅଧିନରେ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବୃକ୍ଷରୋପଣ କରାଯିବ । ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ । ଏହି ବୃକ୍ଷରୋପଣର ପରବର୍ତ୍ତୀ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପଇଁ ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ଦାୟିତ୍ୱରେ ରହିବ । ଓଡିଶା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ସହାୟତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବ । ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା ସହ ପରିବେଶ ସଚେତନତା ବୃଦ୍ଧି କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।


‘ମୋ ସ୍କୁଲ ଅଭିଯାନ’ର ୪୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଭିଯାନର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଛି । ଏହା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଚଳନ ହେବାକୁ ଥିବା ‘ସ୍କୁଲକ୍ଲବ୍’ର ଶିକ୍ଷକ ପ୍ରଶିକ୍ଷକମାନଙ୍କ ତାଲିମ ଉପରେ ଆଲୋଚନା ହୋଇଛି । ଉଚ୍ଚ ବିଦ୍ୟାଳୟଗୁଡିକରେ ୪ଟି କ୍ଲବ ଆସନ୍ତା ଅଗଷ୍ଟ ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ କ୍ଲବର ଶିକ୍ଷକ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୦ ତାରିଖ ମଧ୍ୟରେ ଶେଷ କରିବା ପାଇଁ ନଷ୍ପତ୍ତି ନିଆଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧିନରେ ସ୍କୁଲକ୍ଲବ୍ ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରୁ ୪ଜଣ ଲେଖାଏଁ ଶିକ୍ଷକ ଅର୍ଥାତ ମୋଟ ୧୨୫୬ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ଏହାର ହିତାଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ସହାୟତାରେ କ୍ରୀଡା ଆଧାରିତ କ୍ରୀଡାଙ୍ଗନ ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଶେଷ ହେଉଛି । ଏହା ସହ ପ୍ରଯୁକ୍ତିବିଦ୍ୟା ଆଧାରିତ କୌଶଳୀ କ୍ଲବର ଶିକ୍ଷକ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେବା । ଏହା ବ୍ୟତୀତ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମ୍ବନ୍ଧୀୟ ବିଭିନ୍ନ ଆର୍ଥକ ଓ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ।


ଏହି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୩୦ଟି ଜିଲ୍ଲାର ମୋଟ ୧୦୯ କୋଟି ୪୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ଏକ ମାସ ମଧ୍ୟରେ ୭ ହଜାର ୯୪୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୩୭ କୋଟି ୩୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସଆର ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ ଅଭିଯାନକୁ ୩୧ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି ।

ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସଆର ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୯ କୋଟି ୪୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୯୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ' ମାଧ୍ୟମରେ ସ୍କୁଲଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.