ETV Bharat / state

ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲର ରୂପାନ୍ତରଣ: ଖର୍ଚ୍ଚ ହେବ ୫୨୯.୫୬ କୋଟି

author img

By

Published : May 11, 2023, 8:49 AM IST

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବଦଳିବ ରାଜ୍ୟର ୧୫୦୦ରୁ ଊର୍ଦ୍ଧ୍ବ ଉଚ୍ଚ ବିଦ୍ୟାଳୟର ରୂପରେଖ । ଅଧିକ ପଢନ୍ତୁ

ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲର ରୂପାନ୍ତରଣ
ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲର ରୂପାନ୍ତରଣ


ଭୁବନେଶ୍ବର: ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ହେବ ରୂପାନ୍ତରଣ । ଚତୁର୍ଥ ପର୍ଯ୍ୟାୟରେ ୧୫୦୦ରୁ ଊର୍ଦ୍ଧ୍ବ ହାଇସ୍କୁଲର ରୂପରେଖ ବଦଳିବ । ଏନେଇ ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସମସ୍ତ ହାଇସ୍କୁଲ ଗୁଡିକୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପରେ ଚତୁର୍ଥ ପର୍ଯ୍ୟାୟରେ ୧୫୦୦ରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହେବ । ଯାହା ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ।

ଯେଭଳି ଭାବରେ ରାଜ୍ୟର ସମସ୍ତ ହାଇସ୍କୁଲର ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରୁମରେ ପାଠପଢା ସହିତ ଇ-ଲାଇବ୍ରେରି ବ୍ୟବହାର, ଅତ୍ୟାଧୁନିକ ବିଜ୍ଞାନଗାର, ଉନ୍ନତ କ୍ରୀଡ଼ା ଭିତ୍ତିଭୂମି, ଶିଶୁ ସୁଲଭ ସ୍କୁଲ କ୍ୟାମ୍ପସ ସମେତ ଶୁଦ୍ଧ ପାନୀୟ ଜଳ ଓ ପୃଥକ ଶୌଚାଳୟର ସୁବିଧା ପାଇପାରିବେ ତାହା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏନେଇ ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଲୋଚନା ହୋଇଛି । ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ଏହାର ହିତାଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ସହିତ ନିର୍ଦ୍ଧାରିତ ୪ଟି କ୍ଲବ ତଥା କୌଶଳୀ, କ୍ରୀଡ଼ାଙ୍ଗନା, ଜିଜ୍ଞାସା ଓ ସାହିତ୍ୟ ସୃଜନୀ କ୍ଲବ ପାଇଁ ଆବଶ୍ୟକୀୟ ଶିକ୍ଷଣ ସାମଗ୍ରୀ ଏବଂ ଏହାର ରୂପରେଖ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବୈଠକରେ ୩୦ଟି ଜିଲ୍ଲାର ମୋଟ ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଗତ ଏକ ମାସ ମଧ୍ୟରେ ୭ ହଜାର ୩୫୮ ଜଣ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍‌ ଅଭିଯାନ ସହ ସାମିଲ ହୋଇଛନ୍ତି । ଏହି ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ବିକାଶ ପାଇଁ ୬ କୋଟି ୬୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ତେବେ ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସଆର ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରାଯାଇଛି ।

ରାଜ୍ୟରେ ୨,୪୦୨ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ଏହା ବିନିଯୋଗ ହେବ । ବାଲେଶ୍ବରରେ ସର୍ବାଧିକ ୨ କୋଟି ୪ ଲକ୍ଷ, ଗଞ୍ଜାମରେ ୬୦ ଲକ୍ଷ, କଟକରେ ୪୮ ଲକ୍ଷ ୧୩ ହଜାର, ବଲାଙ୍ଗୀରରେ ୪୭ ଲକ୍ଷ ୪୩ ହଜାର ଏବଂ ଭଦ୍ରକରେ ୩୮ ଲକ୍ଷ ୮୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୯୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.