ETV Bharat / state

ଅଶାନ୍ତ ଖୋର୍ଦ୍ଧା: ନିଶା ବେପାରୀଙ୍କୁ ଗୁଳିମାଡ଼

author img

By

Published : Jun 8, 2023, 10:39 AM IST

Updated : Jun 8, 2023, 2:50 PM IST

ଖୋର୍ଦ୍ଧାରେ ନିଶା ବେପାରୀଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ନିଶା ବେପାରୀଙ୍କୁ ଗୁଳିମାଡ଼
ଖୋର୍ଦ୍ଧାରେ ନିଶା ବେପାରୀଙ୍କୁ ଗୁଳିମାଡ଼

ନିଶା ବେପାରୀଙ୍କୁ ଗୁଳିମାଡ଼

ଖୋର୍ଦ୍ଧା: ପୁଣି ଖୋର୍ଦ୍ଧାରେ ଗର୍ଜିଛି ବନ୍ଧୁକ । ରକ୍ତରଞ୍ଜିତ ହୋଇଛି ସାମନ୍ତରାୟପୁର ଛକ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ସାମନ୍ତରାୟପୁର ଛକରେ କିଛି ଦୁର୍ବୃତ୍ତ କୁଖ୍ୟାତ ନିଶା ବେପାରି ସୋମନାଥ ଭୁଜବଳଙ୍କୁ ଗୁଳିମାଡ଼ କରିଛନ୍ତି । ପୂର୍ବ ବିବାଦକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଆଦର୍ଶ ଥାନା ପୋଲିସ ସନ୍ଦେହ କରୁଛି । ଆହତ ସୋମନାଥଙ୍କ ଦେହରେ ୩ ରାଉଣ୍ଡ ଗୁଳି ବାଜିଛି । ତାଙ୍କ ଛାତିରେ ଦୁଇଟି ଏବଂ ଡାହାଣ ହାତରେ ଗୋଟିଏ ଗୁଳି ବାଜିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ଭୁବନେଶ୍ବର ପଠାଇ ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ, ଦୀର୍ଘ କିଛି ବର୍ଷ ହେବ ସୋମନାଥ ବ୍ରାଉନସୁଗାର ବେପାର କରୁଥିଲେ । ତାଙ୍କ ନାଁରେ ଥାନାରେ ଏକାଧିକ ମାମଲା ମଧ୍ୟ ରହିଛି । ବ୍ରାଉନସୁଗାର ବେପାରକୁ ନେଇ ଗତ କିଛି ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିଲା । ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ସୋମନାଥ ଏବଂ ତାଙ୍କର ଭାଇ ଏକ ବିବାହ ଭୋଜି ଖାଇବାକୁ ସାମନ୍ତରାୟପୁର ଅଞ୍ଚଳକୁ ଆସିଥିଲେ । ଏହି ସମୟରେ ଏକ ପିକଅପ ଭ୍ୟାନରେ କିଛି ଯୁବକ ଆସି ଅଚାନକ ସୋମନାଥଙ୍କ ଉପରେ ଗୁଳିବର୍ଷା କରିଥିଲେ । ଫଳରେ ତାଙ୍କର ଛାତିରେ ଦୁଇଟି ଏବଂ ଡାହାଣ ହାତରେ ଗୋଟିଏ ଗୁଳି ବାଜିଥିଲା । ଜୀବନ ବଞ୍ଚାଇବାକୁ ସୋମନାଥ ରକ୍ତାକ୍ତ ଅବସ୍ଥାରେ ନିକଟରେ ଥିବା ଜଣଙ୍କ ଘରକୁ ପଶି ଯାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଏହାପରେ ସୋମନାଥ ଅନ୍ୟ ଜଣେ ଯୁବକଙ୍କ ବାଇକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ । ଏହି ଗୁଳିକାଣ୍ଡ ଘଟଣା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ, ଆଦର୍ଶ ଥାନା ଅଧିକାରୀ ଏବଂ ଅତିରିକ୍ତ ଏସପି ପ୍ରମୁଖ ତଦନ୍ତ ଚଳାଇଛନ୍ତି । ତେବେ ଗୁଳିମାଡ଼ ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ରାଉନସୁଗାର କାରବାରକୁ ନେଇ ଏହି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରିଛି । ଏନେଇ ଏସପି କହିଛନ୍ତି ଯେ, ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚାଲିଛି । ବ୍ରାଉନସୁଗାର କାରବାରକୁ ନେଇ ଗଣ୍ଡଗୋଳ ସମ୍ପର୍କରେ ଅଧିକ ଖୋଳତାଡ଼ ଚାଲିଛି । ଆହତ ସୋମନାଥଙ୍କ ବିରୋଧରେ ବ୍ରାଉନସୁଗାର କାରବାର ନେଇ ଏକାଧିକ ମାମଲା ବିଭିନ୍ନ ଥାନାରେ ଥିବାରୁ ଗୁଳିମାଡ଼ ପଛରେ ନିଶା ବେପାର ପ୍ରମୁଖ କାରଣ ହୋଇଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jun 8, 2023, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.