ETV Bharat / state

Tomato Price Hike: ବଜାରରେ ଦର 120, ପ୍ରତିବାଦରେ 60ଟଙ୍କାରେ ଟମାଟୋ ବିକିଲା ମହିଳା କଂଗ୍ରେସ

author img

By

Published : Jul 3, 2023, 8:17 PM IST

Updated : Jul 3, 2023, 8:23 PM IST

ବଜାରରେ ଟମାଟୋ ଦର ଏବେ 120 ଟଙ୍କାରେ ପହଞ୍ଚିଛି । ଏହାକୁ ପ୍ରତିବାଦ କରି ମାଷ୍ଟର କ୍ୟାଣ୍ଟିନ ନିକଟରେ 60 ଟଙ୍କାରେ ଟମାଟୋ ବିକ୍ରି କରିଛି ମହିଳା କଂଗ୍ରେସ । ଅଧିକ ପଢନ୍ତୁ

Tomato Price Hike
Tomato Price Hike

Tomato Price Hike: ବଜାରରେ ଦର 120, ପ୍ରତିବାଦରେ 60ଟଙ୍କାରେ ଟମାଟୋ ବିକିଲା ମହିଳା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଅହେତୁକ ଭାବେ ବଢ଼ି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଓ ପରିବା ଦରଦାମ । ଅଧିକାଂଶ ପରିବା ଦର ଏବେ 100 ଟପିଛି । ଟମାଟୋ ଦର କେଜିକୁ 120 । ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଜାତୀୟ ମହିଳା କଂଗ୍ରେସ । କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ ଆନ୍ଦୋଳନ କରିଛି ଦଳ । କଂଗ୍ରେସ ଭବନରୁ ମହିଳା କଂଗ୍ରେସ କର୍ମକର୍ତ୍ତା ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ଆନ୍ଦୋଳନ କରିଛନ୍ତି । ସରକାର ବିରୋଧୀ ନାରାବାଜି କରିବା ସହିତ ଟମାଟୋ ବିକ୍ରି କରିଛି ପ୍ରଦେଶ ମହିଳା କଂଗ୍ରେସ । ଟମାଟୋ କେଜି 60 ଟଙ୍କାରେ ମହିଳା କଂଗ୍ରେସ ବିକ୍ରି କରିଛି ।

ଭୁବନେଶ୍ବରର ପ୍ରମୁଖ ହାଟ ଯେମିତିକି 1 ନମ୍ବର, 4 ନମ୍ବର, ଡମଣା, ଇନ୍ଦ୍ରଧନୁ ମାର୍କେଟ ଟମାଟୋ କିଲୋ 120 ଟଙ୍କାରେ ବିକ୍ରି ହେଉଛି । ଗୋଦାମ ଦର 90 ହୋଇଥିବା ବେଳେ ହୋଲସେଲ ଦାର 110 ରହିଛି । ଟମାଟୋ ଦର ଯୋଗୁଁ ସମସ୍ତେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ନିମ୍ନ ମଧ୍ୟବିତ୍ତ ପରିବାର ମହଙ୍ଗା ଟମାଟୋ ପାଇଁ ନାକରେ କାନ୍ଦୁଛନ୍ତି । ଖାଲି ଟମାଟୋ ଦର ବଢିନି । ତା' ସାଙ୍ଗକୁ ତାଳ ଦେଇ ବଢ଼ି ବିନ୍ସ କିଲୋ ହୋଇଛି 250 ଟଙ୍କା । ସେହିପରି ଝୁଡୁଙ୍ଗ କିଲୋ 100, ବାଇଗଣ 80, ପୋଟଳ କିଲୋ 80, ଭେଣ୍ଡି 100, କାକୁଡ଼ି କିଲୋ 90, କଲରା 110, ସଜନା ଛୁଇଁ କିଲୋ 100 । ଖୁଚୁରା ବ୍ୟବସାୟୀ ଏହି ଦରରୁ 10ରୁ 20 ଟଙ୍କା ଅଧିକ ଦରରେ ବିକ୍ରି କରୁଛନ୍ତି ।

ଏହା ବି ପଢନ୍ତୁ- ହୋସ ଉଡ଼ାଉଛି ପରିବା ଦର, ଯେଉଁଥିରେ ହାତ ମାରିଲେ ୧୦୦; ଟମାଟୋ ପରେ ଡରେଇଲାଣି କଞ୍ଚା ପରିବା

ଏହାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ । ଅପରାହ୍ନରେ ଶତାଧିକ ମହିଳା ନେତ୍ରୀ ଓ କର୍ମୀମାନେ ପ୍ରତିବାଦକୁ ଓହ୍ଲାଇଛନ୍ତି । ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ ମହିଳା କଂଗ୍ରେସର କର୍ମୀମାନେ କଂଗ୍ରେସ ଭବନରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବେକରେ ଟମାଟୋ ମାଳ ପିନ୍ଧି ଅଭିନବ ଉପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଖାଲି ସେତିକି ନୁହେଁ ଟ୍ରଲିରେ ଟମାଟୋ ଲୋଡ କରି ନେଇ ମାଷ୍ଟର କ୍ୟାଣ୍ଟିନ ଛକ ଉପରେ ବିକ୍ରି ମଧ୍ୟ କରିଛନ୍ତି । ଟମାଟୋ କିଲୋ 60 ଟଙ୍କା ଦରରେ ମହିଳା କଂଗ୍ରେସ ବିକ୍ରି କରିଛି । ଟମାଟୋ କିଣିବା ଲାଗି ମାଷ୍ଟର କ୍ୟାଣ୍ଟିନ ଛକରେ ଭିଡ଼ ଲାଗିଥିଲା ।

ବିକ୍ଷୋଭ ସମୟରେ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଭୁବନେଶ୍ବର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ, ମହିଳା କଂଗ୍ରେସର ଉପ ସଭାନେତ୍ରୀ କୁସୁମ ପ୍ରଧାନ, ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି, "ସରକାର ଟଙ୍କିକିଆ ଚାଉଳ ଯୋଗାଉଛନ୍ତି । ହେଲେ ପରିବା ଦର ଆକାଶ ଛୁଆଁ । ଘରେ ଚାଉଳ ଥିଲେ ବି ସୁଷମ ଖାଦ୍ୟ ଏବେ ଅପହଞ୍ଚ । କାରଣ ବଜାରରେ ଅଧିକାଂଶ ପରିବା ଦର ଶହେ ଟଙ୍କା ପାର କରିଯାଇଛି । ଉଚା ଦରରେ ପରିବା କିଣିବାକୁ ନେଇ ସବୁ ବର୍ଗର ଲୋକ ଚିନ୍ତାରେ ପଡ଼ିଛନ୍ତି ।"

ପରିବା ଦର ଉପରେ ସରକାରଙ୍କ ଲଗାମ ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଭୋଟ ଗୋଟେଇବା ଲାଗି ବିଜେଡି ବ୍ୟସ୍ତ ଥିବାବେଳେ ମିଶନ ଶକ୍ତିର ମା'ମାନେ ହନ୍ତସନ୍ତ ହେଉଛନ୍ତି । ମହିଳା କଂଗ୍ରେସର ଆନ୍ଦୋଳନକୁ ଦୃଷ୍ଟିରେ ରଖି ମାଷ୍ଟର କ୍ୟାଣ୍ଟିନ ଛକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 3, 2023, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.