ETV Bharat / state

ଖୋର୍ଦ୍ଧାରେ ଏକାଧିକ ଘରୁ ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର

author img

By

Published : Mar 7, 2023, 12:21 PM IST

ଖୋର୍ଦ୍ଧା ବୋଲଗଡ ଥାନା ଅନ୍ତର୍ଗତ ଅସରଳା ଗ୍ରାମରେ ଲୁଟ୍ । ବିଳମ୍ବିତ ରାତିରେ ଏକାଧିକ ଘରୁ ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଏକାଧିକ ଘରୁ ଚୋରି
ଖୋର୍ଦ୍ଧାରେ ଏକାଧିକ ଘରୁ ଚୋରି

ଖୋର୍ଦ୍ଧା: ଅନ୍ଧାର ରାତିରେ ଗାଁର ଏକାଧିକ ଘରେ କଳାକନା ବୁଲାଇଲେ ଚୋର । କାହା ଘରୁ ତାଲା ଭାଙ୍ଗି ଗଡରେଜରୁ ଟଙ୍କା ସୁନା ନେଇଗଲେ ତ ଆଉ କାହା ଘରୁ ଏକାଥରେ ଟ୍ରଙ୍କ ଟେକି ନେଇଗଲେ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ଅସରଳା ଗ୍ରାମର ତିନି ଜଣଙ୍କ ଘରୁ ଏହି ଚୋରି ହୋଇଛି । ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଓ କଂସା ବାସନ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ବାଙ୍କୋଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଅସରଳାରେ ଏକାଧିକ ଘରୁ ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର

ମିଳିଥିବା ସୂଚନା ଅନୁସାରେ, ଅସରଳା ଗ୍ରାମର ପ୍ରଦୀପ କୁମାର ସାମନ୍ତରାୟଙ୍କ ଘରୁ ଦୁବୃର୍ତ୍ତମାନେ ଘରର ତାଲା ଭାଙ୍ଗି ଗଡ଼ରେଜରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ସେହିପରି ଜଗନ୍ନାଥ ଜେନାଙ୍କ ବାଡି ପଟ କବାଟ ଭାଙ୍ଗି ତାଙ୍କ ଟ୍ରଙ୍କ ଟେକି ନେଇ ସେଥିରେ ଥିବା ସୁନା ପେଣ୍ଡି, ମାଳ, ପାଉଜି ଓ ଚେନ୍‌ ସହ ନଗଦ ୨୦ ହଜାର ଟଙ୍କା ନେଇଯାଇଛନ୍ତି । ଏହାପରେ ବାଡିପଟ ବିଲରେ ଟ୍ରଙ୍କକୁ ଫିଙ୍ଗି ଚାଲିଯାଇଛନ୍ତି ଚୋର ।

ଗ୍ରାମର ସନ୍ତୋଷ କୁମାର ଗୁମାନସିଂହଙ୍କ ଘରେ ମଧ୍ୟ କଳାକନା ବୁଲାଇଛନ୍ତି । ସନ୍ତୋଷଙ୍କ ବାଡିପଟ କବାଟ ଭାଙ୍ଗି ତାଙ୍କ ଘରୁ କଂସା ବାସନ ସହ ସୁନା ଚେନ୍‌, ମୁଦି, ପାଉଞ୍ଜି, ହାର ଏବଂ ନଗଦ ୩୦ ହଜାର ଟଙ୍କା ଚୋରି କରିଥିବା ବାଙ୍କୋଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏକକାଳୀନ ତିନି ଜଣଙ୍କ ଘରୁ ଏହି ଚୋରି ହୋଇଛି । ଏନେଇ ସମ୍ପୃକ୍ତ ପରିବାରଙ୍କ ପକ୍ଷରୁ ବାଙ୍କୋଇ ଫାଣ୍ଡିରେ ଲିଖିତ ଅଭିଯୋଗ ହେବା ପରେ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେବଳ ଚୋରି ନୁହେଁ, ବାଙ୍କୋଇ ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଦେଶୀ ରନ୍ଧା ମଦ ଓ ଧଳାଜହର କାରବାର ବୃଦ୍ଧି ପାଉଛି । କିଛି ଦିନ ତଳେ ଅବକାରୀ ବିଭାଗ ଜଣେ ମଦ ମାଫିଆ ନିକଟରୁ ହଜାର ଲିଟର ପୋଚ ନଷ୍ଟ କରିବା ସହ ମଦ ଜବତ କରିଥିଲା । ହେଲେ ମଦ ମାଫିଆଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା । ବିଭିନ୍ନ ସମୟରେ ସାଇକେଲ ଦୋକାନ ଠାରୁ ଆରମ୍ଭ କରି ପାନ ଦୋକାନ ଓ ପୋଖରୀ କୂଳରେ ମଦ, ଗଞ୍ଜେଇ ଓ ଧଳା ଜହର ବିକ୍ରି ହେଉଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି । ତେବେ ଗତକାଲି ରାତିରେ ହୋଇଥିବା ଏହି ସିରିଜ ଲୁଟ ଘଟଣାରେ ଦୁର୍ବୃତ୍ତମାନଙ୍କୁ ପୋଲିସ ଧରିବାରେ ସଫଳ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.