ETV Bharat / state

ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚାଲାଣ, ତ୍ରିଶୁଳିଆ ଛକରୁ ଧରାପଡିଲା ଦାମି କାର୍

author img

By

Published : May 2, 2023, 7:04 AM IST

ରାଜ୍ୟ ବାହାରକୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ଫ୍ଲାଇଂ ସ୍କ୍ବାଡ୍‌ ହାତରେ ଧରାପଡିଛି ଏକ ଦାମି ନୂଆ କାର । ଭୁବନେଶ୍ବର କଟକ ରାସ୍ତା ତ୍ରିଶୁଳିଆ ଛକ ପାଖରୁ ଅବକାରୀ ଫ୍ଲାଇଂ ସ୍କ୍ବାଡ୍‌ ଏହି କାରକୁ ଧରିଥିବା ବେଳେ କାର ମାଲିକ ଓ ଡ୍ରାଇଭରକୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ଗଞ୍ଜେଇ ବୋଝେଇ କାର ଜବତ, ଦୁଇ ଗିରଫ
ଗଞ୍ଜେଇ ବୋଝେଇ କାର ଜବତ, ଦୁଇ ଗିରଫ

ଭୁବନେଶ୍ବର: ଗଞ୍ଜେଇ ଚାଲାଣରେ ଲାଗିଛି ଦାମି ନୂଆ କାର । ଲୁଚାଇ ନେବା ପାଇଁ କାରରେ ରହିଛି ସିକ୍ରେଟ ଚାମ୍ବର । ଏକ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଏହି କାର ଧରାପଡିଛି ଅବକାରୀ ଫ୍ଲାଇଂ ସ୍କ୍ବାଡ୍‌ ହାତରେ । ଭୁବନେଶ୍ବର କଟକ ରାସ୍ତା ତ୍ରିଶୁଳିଆ ଛକ ପାଖରୁ କାବୁ ହୋଇଛି ଏହି ଗଞ୍ଜେଇ ଭର୍ତ୍ତି ଦାମି କାର୍ । କାରକୁ ଜବତ କରିବା ସହ ଏକ କ୍ବିଣ୍ଟାଲ ଗଞ୍ଜେଇ କାରବାରର ଖୁଲାସା କରିଛି ଅବକାରୀ ଟିମ୍ । ଏନେଇ ଦୁଇ ଜଣ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି ।

ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚାଲାଣ
ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚାଲାଣ

ଗିରଫ ଅଭିଯୁକ୍ତ ହେଲେ ଶ୍ରୀଧର ସ୍ବାଇଁ ଓ ଦିବାକର ବିଶ୍ବାଳ । ଉଭୟ କଟକ ବାଙ୍କି ଅଞ୍ଚଳର ବୋଲି ଜଣାପଡ଼ିଛି । ଶ୍ରୀଧରଙ୍କ ନାଁରେ କାର୍‌ଟି ଥିବାବେଳେ ସେ ନିଜେ ଏହି କାରବାର ନିଜର ଡ୍ରାଇଭର ଜରିଆରେ ଚଲାଇଥିବା ଜଣାପଡିଛି । ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗଞ୍ଜେଇ ଚାଲାଣ ପାଇଁ ଏବେ ବେପାରୀଙ୍କୁ ବୁଦ୍ଧି ବାଟ ଦିଶୁନାହିଁ । କାରଣ ରାଜ୍ୟରେ ଜୋରଦାର ଗଞ୍ଜେଇ ଧରପଗଡ ଯୋଗୁଁ ଏବେ ରାଜ୍ୟ ବାହାରର ଗଞ୍ଜେଇ ପାଇଁ ବେସି ଡିମାଣ୍ଡ ଆସୁଛି ବ୍ୟବସାୟୀଙ୍କୁ । ତେବେ ରାଜ୍ୟ‌ ବାହାରକୁ ଫୁଲବାଣୀ ଗଞ୍ଜେଇ ଚାଲାଣ ପାଇଁ ଗଞ୍ଜେଇ ଚାଲାଣକାରୀ ନୂଆ ନୂଆ ବାଟ ଆପଣାଇଛନ୍ତି । କିନ୍ତୁ ଭୁବନେଶ୍ବର ଦେଇ ଗଞ୍ଜେଇ ଚାଲାଣ ନିଶା ବେପାରୀଙ୍କ ପାଇଁ କାଠିକର ପାଠ ହୋଇଛି । କାରଣ ଗଞ୍ଜେଇ ଚାଲାଣ ବେଳେ ରାଜଧାନୀରୁ ବିଗତ ୨ ମାସ ମଧ୍ୟରେ ଅନେକ ବେପାରୀ ଧରା ପଡ଼ିଛନ୍ତି । ବିଭିନ୍ନ ଥାନା ଅଞ୍ଚଳରୁ ଗଞ୍ଜେଇ ବେପାରୀଙ୍କୁ କାବୁ କରିଛି ପୋଲିସ ଟିମ୍ ।

ତେବେ ରାଜଧାନୀ ଦେଇ ଏସବୁ କାରବାର ଏବେ ହାଇ ରିସ୍କ୍‌ ପାଲଟିଛି । ଏନେଇ ବିଭିନ୍ନ ଗଳାବାଟ ଦେଇ ଗଞ୍ଜେଇ ଚାଲାଣ କରୁଛନ୍ତି ବ୍ୟବସାୟୀ । ଯାହାର କ୍ରମରେ ଏହି ଦୁଇ ବେପାରୀଙ୍କ ପାଖକୁ ଫୁଲବାଣୀରୁ ଗଞ୍ଜେଇ ଆଣି ନୟାଗଡ଼ ଦେଇ ବାଙ୍କିରେ ପହଞ୍ଚିଥିଲା ଗଞ୍ଜେଇ । ପରେ ସେଠାରୁ ନିଜ କାରରେ ନିଛାଟିଆ ତ୍ରିଶୁଳିଆ ବାଟ ଦେଇ କଟକରୁ କୋଲକାତା ଚାଲାଣ ଯୋଜନା କରିଥିଲେ । ଏନେଇ ଖବର ଲାଗିଥିଲା ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ଟିମ୍ ହାତରେ । ଅବକାରୀ କମିଶନର ଆଶିଷ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ ଟିମ୍ ଡେରା ପକାଇଥିଲେ ତ୍ରିଶୁଳିଆ ଛକରେ । ଗଞ୍ଜେଇ ଚାଲାଣକାରୀ ଉପରେ କଡ଼ା ନଜର‌ ରଖି ଶେଷରେ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ କାରଟିକୁ ଠାବ କରିଥିଲା । ତ୍ରିଶୁଳିଆ ଛକରୁ ନୂଆ କାରଟିକୁ ସନ୍ଦେହରେ ଅଟକାଇ ଚେକିଂ ବେଳେ‌ ସେମାନେ ବ୍ୟକ୍ତିଗତ କାମ ପାଇଁ କୋଲକାତା ଯାଉଥିବା କହିଥିଲେ । ହେଲେ କାରର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ପ୍ୟାକେଟ ଠାବ ହୋଇଥିଲା । ଏହାସହ କାରର ମାଲିକ ସହ ଡ୍ରାଇଭରକୁ ଗିରଫ କରାଯାଇଛି । ଏହି ମାସରେ ଆହୁରି ନିଶା ବିରୋଧରେ କଡ଼ା ଆଭିମୁଖ୍ୟ ରହିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.