ETV Bharat / state

କାଳିୟ ଦଳନ ବେଶରେ ପୂଜା ପାଇବେ ଗଜାନନ, ସିଜୁଆରେ ଆକର୍ଷଣ ସାଜିବ ମହୀସୁର ପ୍ୟାଲେସ

author img

By ETV Bharat Odisha Team

Published : Sep 10, 2023, 6:35 PM IST

Updated : Sep 10, 2023, 8:55 PM IST

ଗଣେଶ ପୂଜା ପାଇଁ ଆଉ ମାତ୍ର ଦିନ କେଇଟା ଥିବାବେଳେ ରାଜଧାନୀ ଭୁବନେଶ୍ବରରେ ଚାଲିଛି ଜୋରଦାର ପ୍ରସ୍ତୁତି । କାଳିଅ ଦଳନ ବେଶ ଓ ମହୀସୁର ପ୍ୟାଲେସ ଆଦି ମୁଖ୍ୟ ଆକର୍ଷଣ ସାଜିବ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

ganesh puja preparation
ଭୁବନେଶ୍ବରରେ ଗଣେଶ ପୂଜା ପ୍ରସ୍ତୁତି

ଭୁବନେଶ୍ବରରେ ଗଣେଶ ପୂଜା ପ୍ରସ୍ତୁତି

ଭୁବନେଶ୍ବର: ବିଘ୍ନବିନାଶକଙ୍କ ଆଗମନକୁ ନେଇ ରାଜଧାନୀ ଭୁବନେଶ୍ବରରେ ଚାଲିଛି ଜୋରଦାର ପ୍ରସ୍ତୁତି । ପୂଜା ମଣ୍ଡପଗୁଡ଼ିକ ସଜେଇ ହୋଇଥିବାବେଳେ ଆଉ ମୂର୍ତ୍ତି ପ୍ରସ୍ତୁତିରେ ଲାଗିଛନ୍ତି କାରିଗର । ତେବେ ସହିଦ ନଗର ପୂଜା ମଣ୍ଡପରେ କାରିଗରମାନେ ମୂର୍ତ୍ତି ନିର୍ମାଣରେ ନିମଗ୍ନ ଥିବା ବେଳେ ଏଥର ସହିଦନଗର ୱିନର ଆସୋସିଏସନରେ କାଳିୟ ଦଳନ ବେଶରେ ପୂଜା ପାଇବେ ଗଜାନନ । ୮ ବର୍ଷ ଧରି ଆସୋସିଏସନ ବଡ ମୂର୍ତ୍ତି କରି ଆସୁଥିବାବେଳେ ଏଥର ୪୬ ଫୁଟର କାଳିୟ ଦଳନ ମୂର୍ତ୍ତି ମୁଖ୍ୟ ଆକର୍ଷଣ ସାଜିବ ।

ବିଶେଷ କରି ଗଣେଶଙ୍କ ପାଖରେ ୭୦ କେଜିର ଲଡ଼ୁ ଶୋଭା ପାଇବ । ପ୍ରତିବର୍ଷ ଭଳି ଏଥର ମଧ୍ୟ ଇକୋ ଫ୍ରେଣ୍ଡଲି ଗଣେଶ ପ୍ରସ୍ତୁତ କରାଯିବ । ୧୬ ଲକ୍ଷ ବ୍ୟୟ ଅଟକଳରେ ଚଳିତ ବର୍ଷ ପୂଜା କରାଯାଉଥିବାବେଳେ ୭ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ଯେଉଁଥିରେ ଓଡ଼ିଶାର ବିଭିନ୍ନ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ମାଧ୍ୟମରେ କଳା, ସଂସ୍କୃତିର ପ୍ରଦର୍ଶନ ହେବ । ଖାଲି ସେତିକି ନୁହେଁ, ଦୃଷ୍ଟିବାଧିତ ଓ ଶ୍ରବଣ ବାଧିତ ଲୋକମାନଙ୍କୁ ଗଣେଶଙ୍କ ଦର୍ଶନ କରାଇବ ଆସୋସିଏସନ । ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନକୁ ନେଇ ପୋଲିସର ସହାୟତା ନିଆଯାଇଥିବାବେଳେ ୨୦୦ ସ୍ବେଛାସେବୀ ନିୟୋଜିତ ରହିବେ । ଏହାସହ ସିସିଟିଭି ନଜରରେ ସମ୍ପୂର୍ଣ୍ଣ ପୂଜା ମଣ୍ଡପ ରହିବ ବୋଲି କହିଛନ୍ତି ଆସୋସିଏସନର ସଦସ୍ୟ ।

ଅନ୍ୟପଟେ ଭୁବନେଶ୍ୱର ଉପକଣ୍ଠ ସିଜୁଆ ଗ୍ରାମର 'ଯୁଗ ଜ୍ୟୋତି ଯୁବକ ସଂଘ' ପକ୍ଷରୁ ଚଳିତବର୍ଷ ପୂଜା ମଣ୍ଡପର ମହୀସୁର ପ୍ୟାଲେସରେ ଶୋଭା ପାଇବେ ଅଗ୍ରପୂଜ୍ୟ । ୫୫ ବର୍ଷର ଏହି ପୂଜା ମଣ୍ଡପ ପ୍ରତିବର୍ଷ ନିଆରା ତଥା ଆକର୍ଷଣୀୟ ପୂଜା କରି ଆସୁଥିବାବେଳେ ଚଳିତ ବର୍ଷ ମହୀସୁର ପ୍ୟାଲେସର ପ୍ରସ୍ତୁତି କରୁଛନ୍ତି । ତେବେ ଏଥର ୨୦ ଫୁଟର ଗଣେଶ ମୂର୍ତ୍ତି ପ୍ରସ୍ତୁତ କରାଯାଉଛି ।

ଏହା ବି ପଢନ୍ତୁ...Ganesh Puja preparation: ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ପୂଜା ପାଇଁ ୫୦ ଲକ୍ଷ ବ୍ୟୟ ଅଟକଳ କରାଯାଇଥିବାବେଳେ ୩ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୩ଟି ଯାତ୍ରାର ଆୟୋଜନ କରାଯାଇଛି । ଏଥର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଇରା ମହାନ୍ତି, ଋତୁରାଜ ମହାନ୍ତି, ସ୍ୱୟଂ ପାଢ଼ୀ ଏବଂ ଅନ୍ତରା ଚକ୍ରବର୍ତ୍ତୀ । ସବୁ ବର୍ଷ ପରି ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବାବେଳେ ପୂଜାର ପ୍ରସ୍ତୁତିକୁ ନେଇ ବେଶ ଖୁସି ଥିବା କହିଛନ୍ତି ଯୁଗ ଜ୍ୟୋତି ଯୁବକ ସଂଘର ସଦସ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2023, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.