ETV Bharat / state

ପରିକ୍ରମା ପ୍ରକଳ୍ପ ଉଦଘାଟନ: କାର୍ଯ୍ୟକ୍ରମରେ ସାମିଲ ହେବନାହିଁ CPIM

author img

By ETV Bharat Odisha Team

Published : Jan 15, 2024, 10:40 PM IST

CPIM will not attend Srimandir Parikrama Project: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବନି ସିପିଆଇ(ଏମ୍‌) । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା କରିଛନ୍ତି ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ପରିକ୍ରମା ପ୍ରକଳ୍ପ ଉଦଘାଟନ
ପରିକ୍ରମା ପ୍ରକଳ୍ପ ଉଦଘାଟନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ହେବ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳକୁ ଆମନ୍ତ୍ରଣ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବନାହିଁ ସିପିଆଇ(ଏମ୍) । ଉତ୍ସବରେ ଯୋଗ ଦେବା ପାଇଁ ସିପିଆଇ(ଏମ୍) ରାଜ୍ୟ ସମ୍ପାଦକଙ୍କ ନିକଟକୁ ନିମନ୍ତ୍ରଣ ଯୋଗୁଁ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । କିନ୍ତୁ ଏହି ଉତ୍ସବରେ ସାମିଲ ହେବନାହିଁ ବୋଲି ଦଳ ପ୍ରକାଶ କରିଛି ।

ପାର୍ଟି ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି, "କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ରାମ ମନ୍ଦିର ଉଦ୍‌ଘାଟନ ଭଳି ଏକ ଧର୍ମୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି । କେନ୍ଦ୍ର ସରକାର ଧର୍ମୀୟ ଉନ୍ମାଦନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରୁଛନ୍ତି । ଏହାର ମୂଳ ଲକ୍ଷ୍ୟ ହେଉଛି ଧର୍ମୀୟ ଉନ୍ମାଦନା ଜରିଆରେ ରାଜନୈତିକ ଫାଇଦା ନେବା । ଧର୍ମ ହେଉଛି ସମ୍ପୂର୍ଣ୍ଣ ଏକ ବ୍ୟକ୍ତିଗତ ବ୍ୟାପର । ରାଷ୍ଟ୍ର ବା ସରକାର ଏଥିରେ କୌଣସି ହସ୍ତକ୍ଷେପ କରିବା ଉଚିତ ନୁହେଁ । ଏହା ହେଉଛି ସିପିଆଇ(ଏମ୍)ର ମତ । ରାଷ୍ଟ୍ର ବା ସରକାର କୌଣସି ଧର୍ମ ସହିତ ସଂଶ୍ଳିଷ୍ଟ ହେବା ଉଚିତ ନୁହେଁ ।"

ସେ ଆହୁରି କହିଛନ୍ତି, "ଓଡ଼ିଶାରେ ପୁରୀ ଜଗନ୍ନାଥ ମନ୍ଦିର ପ୍ରତି ଓଡ଼ିଶାର ଲୋକଙ୍କ ଭାବାବେଗଗତ ବିଶ୍ବାସକୁ କେହି ଆଘାତ କରି ପାରିବେ ନାହିଁ । କିନ୍ତୁ ବେଢ଼ା ପରିକ୍ରମା ପ୍ରକଳ୍ପକୁ ଏକ ସରକାରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ସରକାରୀ କଳ ଓ ପ୍ରଶାସନକୁ ଏଥିରେ ନିୟୋଜିତ କରିବା ଠିକ ନୁହେଁ । ସାଧାରଣ ଲୋକଙ୍କ ଧର୍ମ ବିଶ୍ବାସକୁ ବିରୋଧ କରାଯିବା ପ୍ରଶ୍ନ ନାହିଁ । ପ୍ରତ୍ୟେକ ନାଗରିକର ନିର୍ଦ୍ଦିଷ୍ଟ ଏକ ଧର୍ମ ପ୍ରତି ଆସ୍ଥା ପ୍ରକଟ କରିବା ସାମ୍ବିଧାନିକ ଅଧିକାର । ଏହା ସମ୍ପୂର୍ଣ୍ଣ ରୂପେ ଏକ ଇଚ୍ଛାଧନ ବିଷୟ । ବିଜେପି ଖୋଲାଖୋଲି ଭାବେ ଧର୍ମକୁ ରାଜନୀତିକରଣ କରୁଛି । ରାଜନୈତିକ ଫାଇଦା ନେବା କାର୍ଯ୍ୟକୁ ଦେଶର ସକଳ ଧର୍ମନିରକ୍ଷେପ ଗଣତାନ୍ତ୍ରିକ ଶକ୍ତି ବିରୋଧ କରିବା ବେଳେ ଓଡ଼ିଶାରେ ମଧ୍ୟ ବିଜେଡି ଦଳର ସରକାର, ସରକାରୀ କଳ ଓ ପ୍ରଶାସନକୁ ନିୟୋଜିତ କରିବା ଦୂର୍ଭାଗ୍ୟଜନକ ।"

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଧୁରା ହୋଇଛି, ରାଜନୀତି କରୁଛନ୍ତି ସରକାର: ନରସିଂହ

ତେବେ ଦଳ ପକ୍ଷରୁ ଜଗନ୍ନାଥ ମନ୍ଦିର ବେଢ଼ା ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି ଅଳି କିଶୋର । ଏହା ସହିତ ଏଥିରେ ଏକ ରାଜନୈତିକ ଦଳ ଭାବେ ସିପିଆଇ(ଏମ୍) ସାମିଲ ହେବ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ଅନ୍ୟ ରାଜନୈତିକ ଦଳ ପକ୍ଷରୁ ଏପରି ସ୍ପଷ୍ଟୀକରଣ ଆସିନାହିଁ । କିନ୍ତୁ କିଛି ରାଜନୈତିକ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହେବା ଓ ନହେବା ନେଇ ମତ ରଖିଛନ୍ତି । କିମ୍ବା ଦଳୀୟ ଭାବେ କୌଣସି ହୁଇପ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ହୋଇନାହିଁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କାର୍ଯ୍ୟକ୍ରମରେ ଦଳୀୟ ନୁହେଁ, ବ୍ୟକ୍ତିଗତ ଭାବେ ସାମିଲ ହୋଇପାରନ୍ତି ବୋଲି ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.