ETV Bharat / state

ବିଦ୍ୟୁତ୍‌ ବିଭ୍ରାଟ; ୨୭ରେ ପ୍ରତି ଜିଲ୍ଲାରେ ଗର୍ଜିବ କଂଗ୍ରେସ

author img

By

Published : Jun 22, 2023, 6:38 AM IST

ବିଦ୍ୟୁତ ବିଭ୍ରାଟ ନେଇ ରାଜନୀତି ଜୋର ଧରିଛି । ଆସନ୍ତା ଜୁନ୍‌ ୨୭ରେ ସବୁ ଜିଲ୍ଲାର ବିଦ୍ୟୁତ୍ ଅଫିସ ଆଗରେ କଂଗ୍ରେସ ପ୍ରତିବାଦ କରିବ ବୋଲି ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

୨୭ରେ ପ୍ରତି ଜିଲ୍ଲାରେ ଗର୍ଜିବ କଂଗ୍ରେସ
୨୭ରେ ପ୍ରତି ଜିଲ୍ଲାରେ ଗର୍ଜିବ କଂଗ୍ରେସ

୨୭ରେ ପ୍ରତି ଜିଲ୍ଲାରେ ଗର୍ଜିବ କଂଗ୍ରେସ

ଭୁବନେଶ୍ବର: ବ୍ୟାପକ ହେବ ଆନ୍ଦୋଳନ । ବିଜୁଳି ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପରେ ଏବେ ଗାଁ ଗାଁକୁ ଯିବ କଂଗ୍ରେସ । ଆସନ୍ତା ଜୁନ ୨୭ରେ ସବୁ ଜିଲ୍ଲାର ବିଦ୍ୟୁତ୍ ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । ଅଘୋଷିତ ବିଦ୍ୟୁତ୍ କାଟ୍‌, ଦୁର୍ବଳ ଭିତ୍ତିଭୂମି ଓ ଗ୍ରାହକଙ୍କଠାରୁ ବକେୟା ସୁଧ ଆଦାୟ ନେଇ ବିଦ୍ୟୁତ୍ ଅଫିସ ଘେରାଉ କରିବ ଦଳ । ସମସ୍ତ ୩୩ (ସାଂଗଠନିକ) ଜିଲ୍ଲାର କଂଗେସ ସଭାପତିଙ୍କ ନେତୃତ୍ବରେ ହେବ ପ୍ରତିବାଦ । ବକେୟା ପାଉଣା ବ୍ୟତୀତ ଉପଭୋକ୍ତାମାନେ ସୁଧ ନଦେବାକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁରୋଧ ।

ରାଜ୍ୟରେ ବିଦ୍ୟୁତ କାଟ୍‌ ନେଇ ବିରୋଧୀଙ୍କ ଆନ୍ଦୋଳନ ତେଜୁଥିବା ବେଳେ ଆଜି ଏଭଳି ସୂଚନା ଦେଇଛନ୍ତି ପିସିସି ସଭାପତି । ଏହା ପୂର୍ବରୁ କଂଗ୍ରେସ ଭୁବନେଶ୍ବରସ୍ଥିତ ଗ୍ରୀଡ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା । ବାରମ୍ବାର ବିଦ୍ୟୁତ୍‌ କାଟ୍‌ ସମସ୍ୟା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ ଆଣିଥିଲା କଂଗ୍ରେସ । ଭିତ୍ତିଭୂମିର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା କେଉଁବାଟରେ ଖର୍ଚ୍ଚ ହେଲା ବୋଲି ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ ସରକାର ବୋଲି ପିସିସି ସଭାପତି ଦାବି କରିଛନ୍ତି । ପ୍ରତି ମାସରେ ୧ରୁ ୫ ତାରିଖ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ୟୁତ ଦେୟ ବିଲ୍ ଗ୍ରାହକଙ୍କୁ ପ୍ରଦାନ କରାଯିବା ପାଇଁ ମଧ୍ୟ ଦାବି କରିଛି କଂଗ୍ରେସ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଗୋଟେ ଗୋଟେ ଦିନ ଧରି ବିଦ୍ୟୁତ ରହୁନାହିଁ । କିନ୍ତୁ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଦ୍ୟୁତ କାଟ୍‌ ହେଉନାହିଁ । ସଚିବ ଅଲଗା କଥା କହୁଛନ୍ତି । ଏ ସରକାରଙ୍କର ମନ୍ତ୍ରୀ ଓ ସଚିବକଙ୍କ କଥାରେ ତାଳମେଳ ନାହିଁ । ରାଜ୍ୟରେ ଲୋ ଭୋଲେଟେଜ୍ ଯୋଗୁଁ ଆଲୁଅ ଥାଇ ମଧ୍ୟ ଜନସାଧାରଣ ଅନ୍ଧାରରେ କଷ୍ଟ ପାଉଛନ୍ତି । ଟାଟା ପାୱାର୍‌ ପାଖରେ ଏ ସରକାର ସଂପୂର୍ଣ୍ଣ ବନ୍ଧା ପଡ଼ିଛି । ରାଜନୈତିକ ପାଣ୍ଠି ଆଦାୟ ଯୋଗୁଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ବିଦ୍ୟୁତ ଦେୟ ରାଜ୍ୟରେ ବୃଦ୍ଧି ପାଇଥିଲା ବେଳେ ଏହି ୯ ବର୍ଷ ଭିତରେ ଗ୍ୟାସ ଦାମ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଉଭୟ ବିଜେପି ଓ ବିଜେଡି ମିଶି ଓଡ଼ିଶାର ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଲୁଟ୍‌ କରୁଛନ୍ତି । ମିଛରେ ରାଜରାସ୍ତାରେ ବୟାନବାଜି କରୁଛନ୍ତି । ଟାଟା ପାୱାର୍‌ର ଗୁଣ୍ଡାଗିରି ଓ ଜୋର ଜୁଲମ ଓଡ଼ିଶାରେ ଚଳିବ ନାହିଁ । ପ୍ରଦେଶ କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ ବୋଲି ସୂଚେଇ ଦେଉଛି । ବାରମ୍ବାର ବିଦ୍ୟୁତ କାଟ୍‌ ଏବଂ ବକେୟା ବିଲ ଉପରେ ସୁଧ କଷି ଲୋକଙ୍କୁ ଲୁଣ୍ଠନ କରିବା କାମରୁ ଟାଟା ପାୱାର୍‌ ନିବୃତ ରହୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.