ETV Bharat / state

ନୂଆ ପିସିସି ଟିମ୍‌: ଅସନ୍ତୋଷ ଝାଡ଼ିଲେ ତାରା, ଶରତ କହିଲେ ଆଲୋଚନାରେ ହେବ ସମାଧାନ

author img

By

Published : Apr 25, 2023, 10:13 PM IST

ବହୁ ପ୍ରତୀକ୍ଷା ପରେ ଗତକାଲି ଘୋଷଣା ହୋଇଛି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନୂଆ ଟିମ୍‌ । ତେବେ ଘରେ ନପଶୁଣୁ ଚାଳରେ ମୁଣ୍ଡ ବାଜିବା ସଦୃଶ ଆରମ୍ଭରୁ ଏହି ଟିମକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଦଳର ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ବିଧାୟକ ତାରା ବାହିନୀପତି । ଅଧିକ ପଢ଼ନ୍ତୁ

ନୂଆ ପିସିସି ଟିମ୍‌ ନେଇ ଅସନ୍ତୋଷ ଝାଡ଼ିଲେ ତାରା
ନୂଆ ପିସିସି ଟିମ୍‌ ନେଇ ଅସନ୍ତୋଷ ଝାଡ଼ିଲେ ତାରା

ନୂଆ ପିସିସି ଟିମ୍‌ ନେଇ ଅସନ୍ତୋଷ ଝାଡ଼ିଲେ ତାରା

ଭୁବନେଶ୍ବର: ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ବ ନେବାର ପ୍ରାୟ ୧୧ ମାସ ପରେ ଗତକାଲି ଘୋଷଣା ହୋଇଛି ଶରତଙ୍କ ନୂଆ ଟିମ୍‌ । ତେବେ ଘରେ ନପଶୁଣୁ ଚାଳରେ ମୁଣ୍ଡ ବାଜିବା ସଦୃଶ ଆରମ୍ଭରୁ ପୁଣି ଏହି ଟିମକୁ ନେଇ ଅସନ୍ତୋଷ ଜାହିର କଲେଣି ଦଳର ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ବିଧାୟକ ତାରା ବାହିନୀପତି । ପ୍ରଦେଶ କଂଗ୍ରେସର ନୂଆ ପଦାଧିକାରୀ ଟିମରେ ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ତାରା ବାହିନୀପତି ।

ପିସିସି କମିଟି ଘୋଷଣା ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ମତେ କି ମୋ ପରିବାର କାହାକୁ ପଦ ପଦବୀ ଆବଶ୍ୟକତା ନାହିଁ । କାହା ଦୟାରେ କଣ ଉପସଭାପତି ହେବି ? ମୋତେ ରଖିବା ପୂର୍ବରୁ ମୋ ସହ କେହି ଆଲୋଚନା କରିନାହାନ୍ତି କି କେହି ମୋତେ କହି ନାହାନ୍ତି । କାହାକୁ ପଦବୀ ପାଇଁ ଅନୁରୋଧ କରିନି । ପଦବୀ ଦେଇଥିବାରୁ ଧନ୍ୟବାଦ । ଖରାପ ହେବ ବୋଲି ପଦବୀରୁ ଇସ୍ତଫା ଦେଇନି, ଇସ୍ତଫା ଦେବି ନା ନାହିଁ ତାହା ପରେ ବିଚାର କରିବି । ମୁଁ ମୋ ନିର୍ବାଚନ ମଣ୍ଡଳୀରେ ସମୟ ଦେବାକୁ ଚାହେଁ । ଦଳ ଯେଉଁ ଦାୟିତ୍ବ ଦେବ ତାହା ପୂରଣ କରି ପାରିବିନି । ପଦ ନେଇ କାମ ନକଲେ ଅସୁନ୍ଦର । ଗୋଟିଏ ଘରୁ ୫ ଲୋକଙ୍କୁ ପଦବୀ ଦେବେ ଯଦି ଦିଅନ୍ତୁ, ବାଛି ବାଛି ଲୋକଙ୍କୁ କମିଟିରେ ସ୍ଥାନ ଦିଆଯାଇଛି । ଏମାନେ ୯ରୁ ୯୦ ଆଣିବେ ।" ତେବେ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ କି ବିଜୟ ପଟ୍ଟନାୟକ ହେବେ ତାହା ମୁଁ ଜାଣିନାହିଁ ବୋଲି କହିଛନ୍ତି ତାରା । ପ୍ରକାଶ ଥାଉ କି, ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଥିଲେ । ତେବେ ତାଙ୍କୁ ଶରତଙ୍କ ଟିମରେ ନୂଆ ଦାୟିତ୍ବ ମିଳିଛି । ତାଙ୍କୁ ସାଧାରଣ ସମ୍ପାଦକ ଟିମରେ ନେଇଛନ୍ତି ଶରତ । ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦ ନମିଳିବାକୁ ନେଇ ଉଭୟ ତାରା ଏବଂ ମିନାକ୍ଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେପଟେ ତାରାଙ୍କ ଅସନ୍ତୋଷ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ତାଲିକାରେ କୌଣସି ଭୁଲ କରାଯାଇନାହିଁ । ଏଆଇସିସି ନିୟମ ଅନୁଯାୟୀ ଦଳ ଯୁବବର୍ଗଙ୍କୁ ଅଗ୍ରାଧିକାର ଦେଇଛି । କାହାକୁ ଅଣଦେଖା କରାଯାଇନାହିଁ । ଆଗାମୀ ଦିନରେ ଦଳକୁ ଅଧିକ ସଂଗଠିତ କରିବାକୁ ଟିମ ଘୋଷଣା କରାଯାଇଛି । ଯଦି କାହାର କୌଣସି ବ୍ୟକ୍ତିଗତ ଅସନ୍ତୋଷ ଥାଏ, ତେବେ ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତାହା ବସି ଆଲୋଚନା କରାଯାଇ ପାରିବ।"

ତେବେ ପୂର୍ବରୁ ପିସିସି ସଦସ୍ୟ ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ତାରା । ତାଙ୍କର ଯେଉଁ ସମର୍ଥକ ଥିଲେ ତାଙ୍କୁ ସେ ତାଲିକାରୁ ବାଦ ଦିଆଯାଇଥିଲା ବୋଲି ସେତେବେଳେ ସେ ଅଭିଯୋଗ ଆଣିଥିଲେ । ସୂଚନା ଥାଉ କି, କୋରାପୁଟ ଜିଲ୍ଲାରେ ନିଜର ଦବଦବା ରଖିଆସିଛନ୍ତି ତାରା । ଜିଲ୍ଲାର ସବୁ ବ୍ଲକରେ ତାଙ୍କର ସଂଗଠନ ରହିଛି । ହେଲେ ସାଂସଦ ସପ୍ତଗିରି ଉଲାକାଙ୍କ ସହ ତାଙ୍କର ଶୀତଳ ଯୁଦ୍ଧ ଚାଲିଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ଯେହେତୁ ସପ୍ତଗିରି ସାଂସଦ ରହିଛନ୍ତି, ତାଙ୍କର ଦିଲ୍ଲୀରେ ପ୍ରଭାବ ରହିଛି । ତେଣୁ ତାଙ୍କ ମତାମତ ଅଧିକ ଗ୍ରହଣୀୟ ହେଉଛି । ଫଳରେ କୋରାପୁଟ ଜିଲ୍ଲାରେ ତାରାଙ୍କ ଦବଦବା କମିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.