ETV Bharat / state

ସୌଦାମିନୀଙ୍କୁ କେବେ ମିଳିବ ନ୍ୟାୟ? ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

author img

By ETV Bharat Odisha Team

Published : Oct 3, 2023, 8:20 PM IST

ରଳାଖେମୁଣ୍ଡିର ମେଧାବୀ ଆଦିବାସୀ ଛାତ୍ରୀଙ୍କୁ ନ୍ୟାୟ ପାଇଁ ଓଡିଶା ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ। OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କୁ ଭେଟି ଏହି ଘଟଣା ବିଷୟରେ ଆଲୋଚନା କରିଛନ୍ତି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ଅଧିକ ପଢନ୍ତୁ

congress appears in OHRC
ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ବର: ସୌଦାମିନୀଙ୍କୁ ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ । ପାରଳାଖେମୁଣ୍ଡିର ମେଧାବୀ ଆଦିବାସୀ ଛାତ୍ରୀ ସୌଦାମିନୀ ରଇତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଓଡିଶା ମାନବ ଅଧିକାର କମିଶନ (OHRC)ର ଦ୍ୱାରସ୍ଥ ହେଲା କଂଗ୍ରେସ । ଆଜି ସୌଦାମିନୀଙ୍କ ପରିବାର ସହ ଭୁବନେଶ୍ୱର OHRC କାର୍ଯ୍ୟାଳୟରେ କମିଶନଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୌଦାମିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସୌଦାମିନୀ ରଇତାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରି ତାଙ୍କ ମାଆ ସୁଜ୍ଞାନୀ ଗମାଙ୍ଗୋ ୪୬ ଦିନ ଧରି ଧାରଣାରେ ମଧ୍ୟ ବସିଥିଲେ । ଝିଅ ମୃତ୍ୟୁ ଘଟଣା ଅପମୃତ୍ୟୁ ନୁହେଁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତକୁ 5 ମାସ ବିତିଗଲା ପରେ ବି ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଦୂରର କଥା ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପ୍ରକାଶ ପାଇନାହିଁ ।

ତେଣୁ ଆଜି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ସୌଦାମିନୀ ଓ ତାଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ମାନବ ଅଧିକାର କମିଶନରଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କୁ ଭେଟି ଏହି ଘଟଣା ବିଷୟରେ ଆଲୋଚନା କରିଛନ୍ତି ବିଜୟ । ସେ କହିଛନ୍ତି, "ଆଦିବାସୀ ଝିଅକୁ ନ୍ୟାୟ ଦେବାକୁ ଏକ ନିର୍ଣ୍ଣାୟକ ଲଢେଇ ଲଢ଼ିବ କଂଗ୍ରେସ । ନିକଟରେ ଗଜପତି ଜିଲ୍ଲା ଗସ୍ତ ସମୟରେ ଏହି ମେଧାବୀ ଆଦିବାସୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଖବର ସାମ୍ନାକୁ ଆସିଥିଲା । ପୀଡିତାଙ୍କ ମା' ବିଭିନ୍ନ ସ୍ଥାନରେ ନ୍ୟାୟ ପାଇଁ ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରିନାହିଁ ।"

ଏହା ବି ପଢନ୍ତୁ...ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଏକାଠି ହେଲେ ଶହ ଶହ ଆଦିବାସୀ

ବିଜୟ ଆହୁରି ମଧ୍ୟ କହିଛନ୍ତି, "ଦାୟିତ୍ୱରେ ଥିଲେ ଶିକ୍ଷକ ଓ ୱାଡେନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କ'ଣ ତଦନ୍ତ ହୋଇଛି ଓ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ପୋଷ୍ଟମଟମ୍ ରିପୋର୍ଟ ସହ ଭିଡିଓଗ୍ରାଫିର ସମାନତା ନାହିଁ। ସଠିକ ତଦନ୍ତ ହୋଇନଥିବାରୁ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବାର ସନ୍ଦେହ ହେଉଛି । ସାରା ରାଜ୍ୟରୁ 5T ସଚିବ ବୁଲିବୁଲି ଅଭିଯୋଗ ଶୁଣିଥିବାବେଳେ ଗଜପତି ଜିଲ୍ଲା ଗସ୍ତ ସମୟରେ ପୀଡ଼ିତାଙ୍କ ମାଆ ସଠିକ ତଦନ୍ତ କରି ନ୍ୟାୟ ପାଇଁ 5T ସଚିବଙ୍କ ନିକଟରେ ଦାବି କରିଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦିଆଯାଇନଥିଲା । ରାଜ୍ୟରେ ମହିଳାଙ୍କ କ୍ଷେତ୍ରର ଅପରାଧ ବଢ଼ିଚାଲିଛି । ସରକାର ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ । ପୂର୍ବରୁ ଇତିଶ୍ରୀ, କୁନ୍ଦୁଲି, ମମତାଙ୍କ ଭଳି ଅନେକ ଘଟଣାରେ ପୀଡିତାଙ୍କୁ ସୁରକ୍ଷା ଓ ନ୍ୟାୟ ମିଳିପାରିନଥିବାବେଳେ ପାରଳାଖେମୁଣ୍ଡିର ମେଧାବୀ ଆଦିବାସୀ ଛାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.