ETV Bharat / state

ନିୟମ ଉଲଙ୍ଘନ କରୁଛନ୍ତି 5T ସଚିବ, କାର୍ଯ୍ୟାନଷ୍ଠାନ ପାଇଁ କେନ୍ଦ୍ର ହସ୍ତକ୍ଷେପ ଲୋଡିଲା କଂଗ୍ରେସ

author img

By

Published : Jun 27, 2023, 6:39 PM IST

5T ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ତେଜୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ । ସଚିବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କୋଡ୍‌ ଅଫ୍‌ କଣ୍ଡକ୍ଟ୍‌ର ଉଲ୍ଲଙ୍ଘନ କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ବିଭାଗକୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା କଂଗ୍ରେସ
5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା କଂଗ୍ରେସ

5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା କଂଗ୍ରେସ

ଭୁବନେଶ୍ବର: 5T ସଚିବଙ୍କ ବିରୋଧରେ ଦିଲ୍ଲୀରେ ଫେରାଦ ହେଲା କଂଗ୍ରେସ । ଆଜି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ (Department of Personnel and Training) ସଚିବଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଯେଉଁଭଳି ଭାବରେ ଜଣେ ସରକାରୀ ଅଧିକାରୀ ହୋଇ ରାଜନୈତିକ କାର୍ଯ୍ୟକ୍ରମରେ ନିୟୋଜିତ ରହୁଛନ୍ତି, ସେ ବିଷୟରେ ଚିଠିରେ ଉଲ୍ଲେଖ କରିଛନ୍ତି ବିଜୟ । ବିଜୟଙ୍କ ଅଭିଯୋଗ, ରାଜନୈତିକ ଦଳର କାର୍ଯ୍ୟକ୍ରମ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କୋଡ୍‌ ଅଫ୍‌ କଣ୍ଡକ୍ଟ୍‌ର ଉଲ୍ଲଙ୍ଘନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ । ତେଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ଭାରତ ସରକାରଙ୍କ DOPT ସଚିବଙ୍କୁ ଚିଠିରେ ବିଜୟ ୪ଟି ବିଷୟରେ ଉଲ୍ଲେଖ କରିଥିବା କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଜୟ କହିଛନ୍ତି, "ଜଣେ ସର୍ବଭାରତୀୟ ସେବା ଅଧିକାରୀ ଭିକେ ପାଣ୍ଡିଆନ ସେବାର ବିଭିନ୍ନ କଣ୍ଡକ୍ଟ ରୁଲକୁ ଭାଙ୍ଗୁଛନ୍ତି । ପ୍ରଥମରେ, ପାରଳାଖେମୁଣ୍ଡିରେ ଏକ ପୋଷ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ଭିକେ ପାଣ୍ଡିଆନଙ୍କ ଫଟୋ ଓ ବିଜୁ ଜନତା ଦଳର ଶଙ୍ଖ ଚିହ୍ନ ରହିଛି । ଦଳୀୟ କାର୍ଯ୍ୟକ୍ରମରେ ଜଣେ କାର୍ଯ୍ୟରତ IAS ଅଫିସରଙ୍କ ଫଟୋ ରହିବା କେତେ ଦୂର ଠିକ ? ସେହିଭଳି ଦ୍ବିତୀୟ କଥା ହେଉଛି, ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଯାଉଛନ୍ତି ଏବଂ ଅନେକ ଅର୍ଥ ବିଭିନ୍ନ ଜିଲ୍ଲା ପାଇଁ ଦେବାକୁ ଘୋଷଣା କରୁଛନ୍ତି । କିନ୍ତୁ ସରକାରୀ ନିୟମ ଅନୁଯାୟୀ କିଛି ଘୋଷଣା କରିବା ପୂର୍ବରୁ ଅର୍ଥ ବିଭାଗ ସଚିବ, ପରେ ମୁଖ୍ୟ ଶାସନ ସଚିବ, ଏହାପରେ ମନ୍ତ୍ରୀ ଏବଂ ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ଘୋଷଣା କରିବା କଥା । କିନ୍ତୁ ସଚିବ ତାହା କରୁନାହାନ୍ତି । ଏହା ଏକ ଅପରାଧ । ଜଣେ ମନ୍ତ୍ରୀ ଘୋଷଣା କରିବା ଦଣ୍ଡନୀୟ ନୁହେଁ, କିନ୍ତୁ ସଚିବ ଏହା କରିପାରିବେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା କ୍ୟାଡର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର

ସେହିଭଳି ତୃତୀୟ ଅଭିଯୋଗ ନେଇ ସେ କହିଛନ୍ତି, "ସଚିବ ଭିକେ ପାଣ୍ଡିଆନଙ୍କ ନାଁରେ ସୋସିଆଲ ମିଡିଆରେ ଅନେକ ଆକାଉଣ୍ଟ ରହିଛି । ସେଥିରେ ପାଣ୍ଡିଆନଙ୍କ ଫଟୋ ଓ ଭିଡିଓ ଛଡା ଯାଉଛି । ଏଭଳି ପ୍ରଚାର ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଶୋଭା ପାଏ, ଜଣେ ସରକାରୀ ଅଧିକାରୀଙ୍କୁ ନୁହେଁ । ଚତୁର୍ଥ କଥା ହେଉଛି, ଏବେ ବିଭିନ୍ନ ସଭା ସମିତିରେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଏକ ଅଡିଓ ଶୁଣାଉଛନ୍ତି । ସେହି ଅଡିଓରେ ଲୋକଙ୍କ କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ସଚିବଙ୍କୁ ପଠାଇଛନ୍ତି ବୋଲି କହୁଛନ୍ତି । ଏହାର ଅର୍ଥ ସଚିବ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି । କିନ୍ତୁ ଭାରତୀୟ ସେବାର କଣ୍ଡକ୍ଟ୍‌ ନିୟମ ଅନୁଯାୟୀ, କେଉଁ ସରକାରୀ ଅଧିକାରୀ କୌଣସି ରାଜନେତାଙ୍କ ପ୍ରତିନିଧି ହୋଇପାରିବେ ନାହିଁ । ସଚିବ ଫାଇଲରେ କିମ୍ବା ମନ୍ତ୍ରୀଙ୍କୁ ନିଜର ମତାମତ ଦେଇପାରିବେ ।"

ବିଜୟ କହିଛନ୍ତି, "ମୁଖମନ୍ତ୍ରୀ ନିୟମ ମାନୁନଥିବା ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ତାଙ୍କର ସେହି ଅଧିକାର ଅଛି । ସରକାରୀ ଅଧିକାରୀଙ୍କୁ ସସ୍ପେଣ୍ଡ ମଧ୍ୟ କରିପାରିବେ । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ସେଭଳି ପଦକ୍ଷପ ନେବେ ନାହିଁ । କାରଣ ଭିକେ ପାଣ୍ଡିଆନ ହେଉଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ । ସେଥିପାଇଁ ମୁଁ DOPT ସଚିବଙ୍କୁ ଅବଗତ କରାଇବା ପାଇଁ ତାଙ୍କୁ ଚିଠି ଲେଖିଛି ।" ମୁଖ୍ୟମନ୍ତ୍ରୀ ଏହି ସଚିବଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବା ପାଇଁ ମୁଁ ଅନୁରୋଧ କରିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.